କେସିଙ୍ଗା,୨୮|୬(ଆପ୍ର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ଏବେ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି ସୀମା ଟପିଲାଣି । ବର୍ତ୍ତମାନ ଉଭୟ ଦେଶୀ ଓ ବିଦେଶୀ ମଦ ଚୋରାଚାଲାଣ ବିକ୍ରି ବଢ଼ିଛି ।‌ କେସିଙ୍ଗା ସହରର ବିଭିନ୍ନ ଓ୍ବାର୍ଡ, ଗଳିକନ୍ଦି ସମେତ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ଖୋଲାଖୋଲି ମଦ ବିକ୍ରି ହେଉଛି । ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗର ଅବହେଳା ଯୋଗୁଁ କ ମଦ ବେପାର କ୍ରମଶଃ ବଢିବାରେ ଲାଗିଛି ସିନା କମିବାର ନାଁ ନେଉନାହିଁ । କେବଳ ଲୋକଦେଖାଣିଆ ଭାବେ ଉଭୟ ବିଭାଗ ପକ୍ଷରୁ ଚଢାଉ କରାଯାଉଛି ହେଲେ ଯେଉଁ ଭଳି କାର୍ଯ୍ୟାନୁଷ୍ଠାନ ହେବା କଥା ତାହା ହେଉନଥିବା ଅଭିଯୋଗ ହେଉଛି ।‌ ଗତ କିଛି ଦିନ ତଳେ ହୋଇଥିବା କେସିଙ୍ଗା ସିଟି ଜେନ ଫୋରମ୍ ର ମାସିକ ସାଧାରଣ ବୈଠକରେ ବେନିୟମ ମଦ ବିକ୍ରି ହେଉଥିବା ବିଷୟ ଉପରେ ପୁଲିସ ବିଭାଗର କାର୍ଯ୍ୟ ଶୈଳୀ ଉପରେ ଉଦବେଗ ପ୍ରକାଶ ପାଇଥିଲା ।‌

କେସିଙ୍ଗା ସହରରେ ଥିବା ବିଦେଶୀ ମଦ ଦୋକାନ ମାନଙ୍କରୁ ବାଇକ୍ ଯୋଗେ ଖୋଲାଖୋଲି ଗାଁ ମାନଙ୍କୁ ସପ୍ଲାଏ ହେଉଛି ।‌ ଏଥିରେ ସରକାରଙ୍କ ରାଜସ୍ବ ମଧ୍ୟ ହାନି ହେଉଛି ।  ପୁଲିସ ଓ ଅବକାରୀ ବିଭାଗ ଏସବୁ ଜାଣି ଅଜଣା ପରି ରହୁଛି । ଏହା ଉପରେ ରୋକ୍ ଲଗାଇବାରେ ପୁଲିସ ଓ ଅବକାରୀ ବିଭାଗ ବିଫଳ ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।‌