ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ଋଷରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ୨୦୧୯ରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଏହା ପରେ ଯଦିଓ ୨୦୨୨ ଏବଂ ୨୦୨୩ରେ ଦୁଇ ନେତାଙ୍କ ମଧ୍ୟରେ ସଂକ୍ଷିପ୍ତ ସାକ୍ଷାତ ହୋଇଥିଲା କିନ୍ତୁ ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁହେଁ ପ୍ରାୟ ୫୦ ମିନିଟ ଧରି କଥାବାର୍ତ୍ତା ହୋଇଛନ୍ତି । ଦ୍ବିପାକ୍ଷିକ ବୈଠକରେ ଜିନପିଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ବିଶ୍ବ ଶାନ୍ତି ଏବଂ ସ୍ଥିରତା ଲାଗି ଆମର ଏହି ବୈଠକ ଗୁରୁତ୍ବପୂର୍ଣ୍ଣ । ସୀମା ପ୍ରସଙ୍ଗରେ ସହମତି ଲାଗି ଧନ୍ୟବାଦ । ମୋତେ ବିଶ୍ବାସ ଅଛି ଯେ ଆମେ ଖୋଲାମନରେ ଆଲୋଚନା କରିବା ।’ 

 ସେପଟେ କାଜାନରେ ଆୟୋଜିତ ଏହି ଦ୍ବିପାକ୍ଷିକ ବୈଠକ ଚୀନ ଏବଂ ଭାରତ ମଧ୍ୟରେ ସଂପର୍କକୁ ଆହୁରି ମଜଭୁତ କରିବ ବୋଲି ସି ଜିନପିଙ୍ଗ କହିଛନ୍ତି । ଏହା ସହ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ମଜଭୁତ କରିବା ଉଚିତ, ମତଭେଦକୁ ଉଚିତ ଢ଼ଙ୍ଗରେ ପରିଚାଳନା କରିବା ସହ ଦୁହେଁ ଦୁହିଁଙ୍କ ବିକାଶର ସ୍ବପ୍ନ ସାକାର କରିବା ଦରକାର ବୋଲି ସି ଜିନପିଙ୍ଗ କହିଥିବା ନେଇ ଚୀନ୍ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।   


    


 ବୈଠକରେ ଜିନପିଙ୍ଗ ଆହୁରି କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ବନ୍ଧକୁ ବୁଝିବାକୁ ହେବ । ସେପଟେ ପ୍ରଧାନମନ୍ତ୍ରୀ ମୋଦୀ  ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ହୋଇଥିବା ସହମତିକୁ ସ୍ବାଗତ କରିଛନ୍ତି । ସୀମା ବୁଝାମଣା, ଦ୍ବିପାକ୍ଷିକ ବିଶ୍ବାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଦୁଇ ଦେଶର ସଂପର୍କର ମୂଳଦୁଆ ହେବା ଦରକାର ବୋଲି ମୋଦୀ କହିଛନ୍ତି । ତେବେ ମୋଦୀ ଏବଂ ଜିନପିଙ୍ଗ ବ୍ରିକ୍ସ ନେତାଙ୍କ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ବାରା ଆୟୋଜିତ ରାତ୍ର ଭୋଜନ ପୂର୍ବରୁ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଦୀର୍ଘ ୫ ବର୍ଷ ପରେ ଦୁଇ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଦୁଇ ଦେଶ ପୁଣି ପାଟ୍ରୋଲିଂ ଲାଗି ରାଜି ହେବା ପରେ ମୋଦୀ ଏବଂ ଜିନପିଙ୍ଗଙ୍କ ଏହି ବୈଠକ  ଭାରତ ଓ ଚୀନ୍‌ ମଧ୍ୟରେ ସୁସଂପର୍କ ସ୍ଥାପନ  ଲାଗି ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।