ନୂଆପଡ଼ା,୧୬/୦୭: ନୂଆପଡ଼ା ଥାନା ଜୁନାନୀ ଗାଁର ୩ ଜଣ ବ୍ୟକ୍ତି ବିଜୁ ଏକ୍ସପ୍ରେସ ରାସ୍ତାରେ ମର୍ଣ୍ଣିଙ୍ଗ ୱାକ କରୁଥିଲେ । ଏହି ସମୟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜୁନାନୀ ଗାଁର ନିଲମ୍ବର ତାଣ୍ଡି(୫୦ବର୍ଷ) ବୋଲି ଜଣାପଡ଼ିଛି । ଏଥିରେ ସହଦେବ ପୁଞ୍ଜି(୪୫ ବର୍ଷ) ଓ ନୁରଚନ୍ଦ ସରାଫ(୪୭ବର୍ଷ) ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖା ଦେଇଛି ।
ସୂଚନା ମୁତାବକ, ଆଜି ଭୋର ସମୟରେ ଜୁନାନୀ ଗାଁର ନିଲମ୍ବର, ସହଦେବ ଓ ନୁରଚନ୍ଦ ମର୍ଣ୍ଣିଙ୍ଗ ୱାକ କରୁଥିଲେ । ଜୁନାନୀ ଛକ ନିକଟରେ ବିଜୁ ଏକ୍ସପ୍ରେସ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଏଥିରେ ୩ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ । ସ୍ଥାନୀୟଲୋକେ ୩ ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ନିଲମ୍ବରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ନୁରଚନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ସହଦେବ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ନମ୍ବର ପ୍ଲେଟ ଘଟଣା ସ୍ଥଳରେ ପଡ଼ି ଯାଇଥିଲା । ଏବେ ଗାଡ଼ି ନମ୍ବର ପ୍ଲେଟକୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶତାଧିକ ଗାଁ ଲୋକେ ପହଞ୍ଚି ମୃତକ ଓ ଗୁରୁତରଙ୍କୁ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।