ନିମବାହାଳି,୦୧/୧୦: ରାତିତମାମ୍‌ କାରଖାନା ପରିସରରେ ଚାଲିଥିଲା କଙ୍ଗାରୁ କୋର୍ଟ । କାରଖାନାରେ  କାର୍ଯ୍ୟ କରୁଥିବା ଦୁଇ ଯୁବକଙ୍କୁ ଚୋରି ଅଭିଯୋଗରେ  ଅକଥନୀୟ ନିର୍ଯାତନା ଦେଇଛନ୍ତି ସୁରକ୍ଷାକର୍ମୀ ଓ  ଗାଡ଼ି ଚାଳକ । ଉଭୟଙ୍କୁ ଅର୍ଦ୍ଧଉଲଗ୍ନ କରିବା  ସହ ହାତବାନ୍ଧି ଆଣ୍ଠେଇ ଦେଇଥିଲେ ।  ନିସ୍ତୁକ ମାଡ଼ପିଟ୍‌ କରୁଥିବାରୁ ଭିଡିଓ କ୍ଲିପ୍‌  ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।  ଏ ନେଇ ପୀଡ଼ିତ ଯୁବକ ଦ୍ୱୟ ଥାନାରେ  ଅଭିଯୋଗ କରିବା ପରେ ପୁଲିସ ମାମଲା  ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।  

ସୂଚନା ଅନୁଯାୟୀ, ମୋଟଙ୍ଗା ଥାନା  ଅନ୍ତର୍ଗତ ନିମିଧା ସ୍ଥିତ ଏକ କାରଖାନାରେ  ନିମିଧା ଗାଁର ଦୁଇ ଯୁବକ ଶ୍ରମିକ ଭାବେ କାର୍ଯ୍ୟ  କରୁଛନ୍ତି । ଗତ ଶୁକ୍ରବାର ବିଳମ୍ବିତ ରାତିରେ  ଏକ ଗାଡ଼ିର ବ୍ୟାଟେରି ଚୋରି ହୋଇଥିଲା । ଉକ୍ତ  ଯୁବକ ଦ୍ୱୟ ବ୍ୟାଟେରି ଚୋରାଇଥିବା ସନ୍ଦେହ  କରି ସୁରକ୍ଷା କର୍ମୀ ସେମାନଙ୍କୁ କାବୁ କରିଥିଲେ ।  ଏହା ପରେ ଆରମ୍ଭ ହୋଇଥିଲା କଙ୍ଗାରୁ କୋର୍ଟ ।  ସର୍ବସମ୍ମୁଖରେ ଆଣ୍ଠେଇ ଦେଇ ଆରମ୍ଭ ହୋଇଥିଲା ନିର୍ଯାତନା । ସୁରକ୍ଷା  କର୍ମୀ ଲାଠିରେ ନିର୍ଘାତ ପିଟିଥିଲେ । ଗାଡ଼ିଚାଳକ ବିଧାଗୋଇଠା  ମାରି ଚାଲିଥିଲେ । ଶହଶହ  ଲୋକ ଏହି ଦୃଶ୍ୟ ଦେଖୁଥିବା ବେଳେ ବାରଣ କରିବାକୁ କେହି  ଆଗେଇ ଆସିନଥିଲେ । ବରଂ ମୋବାଇଲ୍‌ରେ ଭିଡିଓ ରେକର୍ଡିଂ  କରିବାରେ ଲାଗିଥିଲେ। 

ରାତିସାରା  ଉଭୟଙ୍କୁ ପ୍ଲାଣ୍ଟ୍‌ ପରିସରରେ  ଉଭୟଙ୍କୁ ଅକଥନୀୟ ନିର୍ଯାତନା  ଦେଇ ସକାଳେ ପୁଲିସ ଜିମା  ଦେଇଥିଲେ । ଉଭୟଙ୍କୁ ପୁଲିସ  ପଚରାଉଚୁରା କରିବା ପରେ ଛାଡ଼ି  ଦେଇଥିଲା । ଉଭୟ ପରିବାର  ଲୋକଙ୍କୁ ଏ ସମ୍ପର୍କରେ ଅବଗତ  କରାଇବା ପରେ ଥାନାରେ ଲିଖିତ  ଅଭିଯୋଗ କରିଛନ୍ତି । ପୁଲିସ  ବିଏନ୍‌ଏସ୍‌ ଦଫା ୧୨୬(୨),  ୧୨୭(୨), ୨୯୬, ୧୧୫(୨),  ୩୫୧(୨),୩୫୧(୩), ୩(୫)ରେ ମାମଲା ରୁଜୁ କରିବା ସହ  ଭିଡିଓ କ୍ଲିପ୍‌କୁ ଆଧାର କରି ଘଟଣାର ତଦନ୍ତ ଚଳାଇଛି ।