ଫିରିଙ୍ଗିଆ, ୩୧।୮  ସରକାର ଛାତ୍ର ଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଅନେକ ଉପାନ୍ତ ଅଞ୍ଚଳର ବିଦ୍ୟାଳୟ ଅବ୍ୟବସ୍ଥାରେ ରହିଛି। ଉପାନ୍ତ ଅଞ୍ଚଳର ଛାତ୍ର ଛାତ୍ରୀ କିଭଳି ଶିକ୍ଷା ଗ୍ରହଣ କରୁଥିବେ ତାକୁ ନେଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି l  ସ୍କୁଲକୁ ଯିବାକୁ ରାସ୍ତା ନାହିଁ, ବିଦ୍ୟୁତ ନ ଥାଇ ଝୁଲୁଛି ଫ୍ୟାନ । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଗଣିବାଲି ପ୍ରାଥମିକ ବିଦ୍ୟାଳୟରେ ।

ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୧୫ ରୁ ୧୭ କିଲୋମିଟର ଦୂରରେ ଥିବା ଭୃଙ୍ଗିଯୋଡି ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ରହିଛି ଗଣିବାଲି ପ୍ରାଥମିକ ବିଦ୍ୟାଳୟ  । ଏହି ଗଣିବାଲି ପ୍ରାଥମିକ ବିଦ୍ୟାଳୟ ଭୃଙ୍ଗି ଯୋଡି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୬ ରୁ ୭ କିଲୋମିଟର ଦୂରରେ ଅବସ୍ଥିତ l ବର୍ତ୍ତମାନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ  ପ୍ରଦୀପ କୁମାର ମଲିକ ଓ ସହକାରୀ ଶିକ୍ଷକ ବୈରାଗୀ ଚରଣ ନାୟକ ୨ ଜଣ ଶିକ୍ଷକ ଅଛନ୍ତି।

ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୮ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି l ଗଣିବାଲି ପ୍ରାଥମିକ ବିଦ୍ୟାଳୟକୁ ଆଜି ପର୍ଯ୍ୟନ୍ତ କୌଣସି ରାସ୍ତା ଟିଏ ନାହଁ । ଛାତ୍ରଛାତ୍ରୀ ଛୋଟ ଚଲା ରାସ୍ତା ଏବଂ ଜଙ୍ଗଲ ମଧ୍ୟରେ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଥିବା ଦେଖିବାକୁ ମିଳିଛି l ଏମିତି କି ସାଧାରଣ ଭାବରେ ବିଦ୍ୟାଳୟକୁ ରାସ୍ତା ନଥିବାରୁ ବାଇକ ଯିବା କଷ୍ଟକର ହେଉଥିବାରୁ ଅଧା ରାସ୍ତାରେ ୨ ଜଣ ଶିକ୍ଷକ ବାଇକ ରଖି ଚାଲି ଚାଲି ଯାଇ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି ।  ବିଦ୍ୟାଳୟକୁ ରାସ୍ତା ହେବା ଦୂରର କଥା ଗାଁକୁ ଯିବାକୁ ହେଲେ ଘାଟି ପାହାଡ଼ ଖାଲ ଢିପ ଭଳି ଛୋଟ ରାସ୍ତା ଟିଏ  ଦେଇ ଯିବାକୁ ପଡେ। 

ବର୍ଷା ଦିନେ ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ଦୂରର କଥା ସାଧାରଣ ଲୋକଟିଏ ବି ଯିବା ଅସମ୍ଭବ ହୋଇ ପଡୁଛି ।  ଜଙ୍ଗଲ ଘେରା ଏବଂ ଉପାନ୍ତ ଅଞ୍ଚଳର ବିଦ୍ୟାଳୟ ହୋଇଥିବାରୁ ଠିକାଦାର ମାନେ ବି ନିମ୍ନମାନର ବିଦ୍ୟାଳୟ ଗୃହ ନିର୍ମାଣ କରୁଥିବାରୁ ତାହା ଅଳ୍ପ ଦିନ ଭିତରେ ଭାଙ୍ଗି ରୁଜି ଯାଉଛି।  ବର୍ତ୍ତମାନ ବିଦ୍ୟାଳୟ ରେ ଥିବା ଶୌଚାଳୟ ଭାଙ୍ଗି ଯାଇ ପଡିରହିଥିବା ବେଳେ ଭଙ୍ଗା ବିଦ୍ୟାଳୟକୁ ମରାମତି ପାଇଁ ପ୍ରଶାସନ ତରଫରୁ ଅଳ୍ପ କିଛି ଟଙ୍କା ଦିଆ ଯାଇଛି । କିନ୍ତୁ ତାହା ମଧ୍ୟ ମରାମତି କରୁଥିବା ଠିକାଦାର ଗତ ୨୦୨୨ -୨୩ ମସିହା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି।  ଯାହାଦ୍ୱାରା ଶିକ୍ଷା ଦାନରେ ମଧ୍ୟ ବାଧା ପ୍ରାପ୍ତ ହେଉଥିବା କହିଛନ୍ତି  ଅଭିଭାବକ l ବିଦ୍ୟାଳୟକୁ କୌଣସି ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ନ ଥାଇ ନାମକୁ ମାତ୍ର ଶ୍ରେଣୀ ଗୃହ ଭିତରେ ଓ୍ବାରିଂ କରି ୩ ରୁ ୪ ଟି ଫ୍ୟାନ ମଧ୍ୟ ଝୁଲୁଛି । ବିଭାଗୀୟ ଅଧିକାରୀ ଏହି ବିଦ୍ୟାଳୟର ଉନ୍ନତି କରଣ କି ରାସ୍ତା ନିର୍ମାଣ ଉପରେ କୌଣସି ଗୁରତ୍ୱ ଦେଇନ ଥିବାରୁ ଅସନ୍ତୋଷ ଦେଖା ଦେଇଛି l ବିଦ୍ୟାଳୟରେ ପିଇବା କିମ୍ବା ରୋଷେଇ କରିବା ପାଇଁ ପାଣିର ବ୍ୟବସ୍ଥା ମଧ୍ୟ ନାହିଁ । ଯାହାଦ୍ୱାରା ବିଲ କଡରେ ଥିବା ଏକ କୂଅରୁ ପାଣି ବୋହି ଆଣି ଛାତ୍ର ଛାତ୍ରୀ ପିଉଛନ୍ତି ଓ ରୋଷେଇ ମଧ୍ୟ କରାଯାଉଛି l  ଗ୍ରାମବାସୀ ଙ୍କ କହିବା କଥା ଶିକ୍ଷକ ଦୈନିକ ଆସୁଛନ୍ତି ପାଠ ବି ପଢା ହେଉଛି କିନ୍ତୁ ରାସ୍ତା ନଥିବାରୁ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି। ତେଣୁ ବିଭାଗୀୟ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟ ଗୃହ, ପାଇଖାନା ନିର୍ମାଣ ସହ ରାସ୍ତା ଏବଂ ପାନୀୟ ଜଳ ବ୍ୟବସ୍ଥା କରିଦେଲେ ଛାତ୍ର ଛାତ୍ରୀ ଉପକୃତ ହେବେ। ବ୍ଲକ ଗୋଷ୍ଠୀ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ଏ ସମ୍ପର୍କରେ  ପଚାରି ବାରୁ ଆମେ ଲେଖିକି ଦେଇଛୁ ବୋଲି କହିଛନ୍ତି।