ଭୁବନେଶ୍ୱର,୨୦/୧୦: ଓଡ଼ିଶାରେ  ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ । ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ଯାଏଁ  ଜନତା ମଇଦାନରେ ଏହି କାର୍ଯ୍ୟକ୍ରମ ହେବ । କେନ୍ଦ୍ର ସରକାରଙ୍କ ଏହି ପ୍ରମୁଖ କାର୍ଯ୍ୟକ୍ରମ  ଓଡ଼ିଶାରେ ଆୟୋଜନ କରିବାକୁ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ  ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବହୁ କେନ୍ଦ୍ରମନ୍ତ୍ରୀଙ୍କ  ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ଦେଶ ବିଦେଶରୁ  ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟ  ଯୋଗଦେବେ । ପ୍ରାୟ ୫ ହଜାର ପ୍ରତିନିଧି  ଏହି ମେଗା କାର୍ଯ୍ୟକ୍ରମରେ ସାମିଲ ହେବେ ।  

ଭାରତର ବିକାଶରେ ପ୍ରବାସୀ  ଭାରତୀୟମାନଙ୍କର ଅବଦାନକୁ ସ୍ୱୀକୃତି ଦେବା  ଉଦ୍ଦେଶ୍ୟରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି । ୧୯୧୫ ମସିହା ଜାନୁଆରୀ ୯ରେ  ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାରୁ ଭାରତକୁ  ଫେରିଥିବା ସ୍ମୃତିରେ ଏହି ଦିବସ ପ୍ରତି  ବର୍ଷ ପାଳନ କରାଯାଏ । ୨୦୧୫ରୁ ପ୍ରତି ୨  ବର୍ଷରେ ଥରେ ଏ ଉତ୍ସବ ଅନୁଷ୍ଠିତ ହେଉଛି ।  ୨୦୨୩ରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ  ୧୮ତମ ପ୍ରବାସୀ ଭାରତୀୟ ଦିବସ ଜନତା  ମଇଦାନରେ ଅନୁଷ୍ଠିତ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । 

ଭାରତ ପ୍ରତି ପ୍ରବାସୀ ଭାରତୀୟଙ୍କ ଚିନ୍ତାଧାରା,  ସେମାନଙ୍କର ଭାବନାକୁ ଦେଶବାସୀଙ୍କ ନିକଟରେ  ପ୍ରକାଶ କରିବା ସହ ସକାରାତ୍ମକ କଥାବାର୍ତ୍ତା  ପାଇଁ ଏହି ଦିବସ ମଞ୍ଚ ଯୋଗାଇ ଆସୁଛି । ଏହାଛଡ଼ା ନିଜ ନିଜ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଥିବା ପ୍ରବାସୀ ଭାରତୀୟମାନଙ୍କୁ  ସମ୍ମାନିତ କରିବା, ସେମାନଙ୍କଠାରୁ ଦେଶବାସୀ  କ’ଣ ଆଶା କରୁଛନ୍ତି ସେ ବିଷୟରେ ଜଣାଇବା ଏବଂ ଭାରତର ଯୁବପିଢିକୁ  ପ୍ରବାସୀ ଭାରତୀୟଙ୍କ ସହ ଯୋଡ଼ିବାରେ ଏହି  ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଏହା ଏକ ମେଗା କାର୍ଯ୍ୟକ୍ରମ ହୋଇଥିବାରୁ  ଆବଶ୍ୟକ ସମନ୍ୱୟ ଏବଂ ପ୍ରାରମ୍ଭିକ ପ୍ରସ୍ତୁତି  ନିମନ୍ତେ ଆଲୋଚନା କରିବାକୁ କେନ୍ଦ୍ର  ସରକାରଙ୍କ ବିଦେଶ ମନ୍ତ୍ରାଳୟର ୫ ଜଣିଆ  ଅଧିକାରୀ ଦଳ ଓଡ଼ିଶା ଆସିଛନ୍ତି । ଏହି ଦଳ  ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ସଂପୃକ୍ତ  ବିଭାଗର ସଚିବମାନଙ୍କ ସହ ଆଲୋଚନା  କରିବା ସହ କ୍ଷେତ୍ର ପରିଦର୍ଶନ କରିଥିଲେ ।  

ଏହି ସମ୍ମିଳନୀର ପ୍ରଥମ ଦିବସରେ ଯୁବ  ପ୍ରବାସୀ ଭାରତୀୟ ଦିବସ, ଦ୍ୱିତୀୟ ଦିବସରେ  ୧୮ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ ସମାରୋହ ଓ ତୃତୀୟ ଦିନ ଉଦ୍‌ଯାପନୀ  ସମାରୋହ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମର  ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ଯୋଗଦେଇ  ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସ୍‌ର ଡିଜିଟାଲ୍‌  ଫ୍ଲାଗଅପ୍‌ କରିବେ । ସମସ୍ତ ଦିବସରେ ସ୍ୱତନ୍ତ୍ର  ଅଧିବେଶନ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ  ଆଲୋଚନା କରାଯିବ । ସଂଧ୍ୟାରେ ସାଂସ୍କୃତିକ  କାର୍ଯ୍ୟକ୍ରମ ହେବ । ପ୍ରବାସୀ ଭାରତୀୟ, ଅତିଥି  ଓ ଅନ୍ୟ ଅଧିକାରୀମାନଙ୍କୁ ଓଡ଼ିଶାର ବିଭିନ୍ନ  ପର୍ଯ୍ୟଟନ ସ୍ଥଳ,ଐତିହ୍ୟ ସ୍ଥଳ,ଦର୍ଶନୀୟ ସ୍ଥାନ  ଓ ସଂଗ୍ରହାଳୟ ଆଦି ପରିଦର୍ଶନ ପାଇଁ ରାଜ୍ୟ  ସରକାର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି ।  

ଏହି ସମାରୋହକୁ ସୁଚାରୁରୂପେ  କରିବାକୁ ଏକ ପରିଚାଳନା କମିଟି ଓ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଛି । ସମସ୍ତ କମିଟିରେ ଓଡିଶା ସମେତ ଭାରତ  ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସଦସ୍ୟ  ଅଛନ୍ତି । ପ୍ରବାସୀ ଭାରତୀୟ ଏବଂ ଅତିଥିମାନଙ୍କ  ରହଣି, କାର୍ଯ୍ୟକ୍ରମ ସ୍ଥଳର ପ୍ରସ୍ତୁତି ଓ ପରିଚାଳନା, ସାଂସ୍କୃତିକ କାର୍ଯ୍ୟକ୍ରମ, ଟ୍ରାଫିକ୍‌ ନିୟନ୍ତ୍ରଣ ଓ  ନିରାପତ୍ତା, ଗଣମାଧ୍ୟମ ଓ ଲୋକସଂପର୍କ ଆଦି  ପାଇଁ ଉପ କମିଟିଗୁଡିକ ଗଠନ ହୋଇଛି । 

ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ  ଆୟୋଜନ ରାଜ୍ୟ ପାଇଁ ଗୌରବ ଓ ସମ୍ମାନର  ବିଷୟ । ତେଣୁ ସମସ୍ତ ଅଧିକାରୀ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା  ଅନୁରୋଧ କରିଛନ୍ତି । ବୈଠକରେ ଉନ୍ନୟନ  କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ  ସଚିବ ସତ୍ୟବ୍ରତ ସାହୁଙ୍କ ସହ ସଂପୃକ୍ତ ବିଭିନ୍ନ  ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।