ତେଲକୋଇ,୧୪/୦୭: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ସୋମବାର ଭୋର ସମୟରୁ ଲଗାଣ ବର୍ଷା ଯୋଗୁଁ ସମଗ୍ର ତେଲକୋଇ ଅଞ୍ଚଳ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ନଦୀ ନାଳ ଫୁଲିବା ସହିତ କେତେକ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେବାରେ ଲାଗିଛି । ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହେବା ସହିତ ଗମନା ଗମନ ପ୍ରଭାବିତ ହୋଇଛି । ଓରିଆ ପଞ୍ଚାୟତ ପିଟାନାଳି ଗ୍ରାମ ପୋଲ ଉପରେ ତିନି ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବା ଫଳରେ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ସାପଲାଞ୍ଜି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ଯାହା ଫଳରେ ଆଦର୍ଶ ବିଦ୍ୟାଳୟ ଆଜି ଛୁଟି ହୋଇଯାଇଛି ।
ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇ ପାରିନଥିବା ଜଣାପଡ଼ିଛି । ଆଉ କେତେକ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ପହଞ୍ଚି ଥିଲେ ସୁଦ୍ଧା ପୋଲ ଉପରେ ପାଣି ଯିବା ଆରମ୍ଭ ହେବାରୁ ତୁରନ୍ତ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଏହି ସମସ୍ୟା ପ୍ରତି ବର୍ଷ ଦେଖା ଦେଉଥିବା ବେଳେ ଜିଲ୍ଲା ପ୍ରଶାସନ ହେଉ କିମ୍ବା ସରକାର ଏଥି ପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି । ଉଚ୍ଚ ତମ ପୋଲ ପାଇଁ ଦାବି ହୋଇ ଆସୁଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ସମାଧାନ କରୁ ନଥିବା ଅଭିଯୋଗ ହୋଇଛି । ଫଳରେ ପ୍ରତ୍ୟେକ ବର୍ଷ ଏହି ସମାନ ସମସ୍ୟା ଦେଖା ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ତେଲକୋଇ ବଜାର ମଧ୍ୟରେ ଡ୍ରେନେଜ୍ ସୁବିଧା ନଥିବାରୁ ତେଲକୋଇ ଥାନା ରୋଡ ଏବଂ କଲେଜ ରୋଡ ଲଗାଣ ବର୍ଷାରେ କୃତ୍ରିମ ନାଳର ଭ୍ରମ ସୃଷ୍ଟି କରିଛି । ଛାତ୍ରଛାତ୍ରୀ କିମ୍ବା ପଥଚାରୀ ଏହି ରାସ୍ତାରେ ଚାଲି ଚାଲି ଯିବାକୁ ଭୟ କରୁଛନ୍ତି । ଆଣ୍ଠୁଏ ଆଣ୍ଠୁଏ ଖାଲରେ ପରିପୂର୍ଣ୍ଣ ଥିବା ଏହି ରାସ୍ତା ଲୋକଙ୍କ ପାଇଁ ଏବେ ମରଣ ଜନ୍ତା ପାଲଟିଛି । ତେବେ ସରକାର ବଦଳିବାର ବର୍ଷେ ପରେ ମଧ୍ୟ ତେଲକୋଇ ବଜାର ମୁଖ୍ୟ ରାସ୍ତାର ସମସ୍ୟା ଯଥା ପୂର୍ବମ୍ ତଥା ପରମ୍ ହୋଇ ରହିଛି । ଏହା ସହିତ ବିଲ ବାଡ଼ିରେ ମଧ୍ୟ ପ୍ରଚୁର ମାତ୍ରାରେ ବର୍ଷା ଜଳ ପ୍ରବାହିତ ହୋଇଥିବାରୁ ଚାଷ କାର୍ଯ୍ୟ ମଧ୍ୟ ବାଧା ପ୍ରାପ୍ତ ହୋଇଛି ।