ପ୍ରମୂଖ ଖବର

ଆସୁଛି ବାତ୍ୟା ‘ଦାନା’: କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ କୋଲକାତା ଗସ୍ତ ସ୍ଥଗିତ

Published By : Tapas Panda | October 21, 2024 9:52 PM

Image Courtesy: indiatvnews

କୋଲକାତା: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମତି ଶାହଙ୍କ କୋଲକାତା ଗସ୍ତ ସ୍ଥଗିତ । କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଅକ୍ଟୋବର ୨୪ (ଗୁରୁବାର)ରେ କୋଲକାତା ଗସ୍ତ କାର୍ଯ୍ୟକ୍ରମ ଥିଲା । ଏହି ସମୟରେ ଶାହ ୪୫୦ କୋଟି ଟଙ୍କାର ଭାରତ-ବାଂଲାଦେଶ ସୀମାରେ ଏକ ଅତ୍ୟାଧୁନିକ ପାସେଞ୍ଜର ଟର୍ମିନାଲର ଶୁଭାରମ୍ଭ କରିବାର ଥିଲା । ତେବେ ବାତ୍ୟା ଦାନା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଶାହଙ୍କ ଗସ୍ଥ ସ୍ଥଗିତ ରଖାଯାଇଛି । 

ଅକ୍ଟୋବର ୨୪ କିମ୍ବା ୨୫ରେ ପୁରୀ ଏବଂ ସାଗର ଦ୍ବୀପ ମଧ୍ୟରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦-୧୧୦ କିଲୋମିଟର ରହିପାରେ ।  ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଅନୁସାରେ, ବଙ୍ଗୋପ ସାଗରରେ ଅକ୍ଟୋବର ୨୩ରେ ସାମୁଦ୍ରିକ ଝଡ଼ ‘ଦାନା’ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଅକ୍ଟୋବର ୨୫ ଯାଏଁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ । 

ସେହିଭଳି ଅକ୍ଟୋବର ୨୩ରେ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲା ପଶ୍ଚିମ ମେଦିନପୁର, ପୂର୍ବ ମେଦିନପୁର, ଦକ୍ଷିଣ ୨୪ ପ୍ରଗଣା ଏବଂ ଉତ୍ତର ୨୪ ପ୍ରଗଣାରେ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଉଛି । ଅକ୍ଟୋବର ୨୪ ଏବଂ ୨୫ରେ କୋଲକାତା, ହାଓ୍ବଡା, ହୁଗୁଳି, ଉତ୍ତର୨୪ ପ୍ରଗଣା, ପୁରୁଲିଆ ଏବଂ ବାଙ୍କୁରା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସମ୍ଭାବ୍ୟ ବାତ୍ୟାର ଭୟକୁ ଦେଖି ୧୪ଟି ଏନଡିଆରଏଫ ଟିମ୍‌ ପଶ୍ଚିମବଙ୍ଗରେ ଏବଂ ୧୧ଟି ଟିମ୍‌ ଓଡ଼ିଶାରେ ମୁତୟନ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.