ବରଗଡ,୧୭/୦୫: କେନ୍ଦ୍ରୀୟ ବୋର୍ଡ ୨୦୨୫ ଶିକ୍ଷାବର୍ଷର ଦ୍ବାଦଶ ଓ ଦଶମ ପରୀକ୍ଷା ଫଳାଫଳ ପ୍ରକାଶ ପାଇ ସାରିଛି । ହେଲେ ଫଳାଫଳ ପ୍ରକାଶ ପାଇବାର ୪ ଦିନ ପରେବି ବରଗଡ଼ ଜିଲ୍ଲା ଅଧିନସ୍ଥ ପଦ୍ମପୁର ଉପଖଣ୍ଡର ପ୍ରମୁଖ ୬ଟି ବିଦ୍ୟାଳୟ ସମେତ ଜିଲ୍ଲାର କିଛି ସ୍କୁଲର ଫଳାଫଳ ପ୍ରକାଶ ପାଇ ନାହିଁ । ଯାହାକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ପଦ୍ମପୁର ପବ୍ଲିକ ସ୍କୁଲ ପରୀକ୍ଷା କେନ୍ଦ୍ରରେ ପାଇକମାଲ ବ୍ଲକର ଫ୍ରେଜରପୁର ଆଦର୍ଶ ବିଦ୍ୟାଳୟ , ରାଜବୋଡ଼ାସମ୍ବର ବ୍ଳକର ବାନ୍ଦୁପାଲି ଆଦର୍ଶ ବିଦ୍ୟାଳୟ , ପଦ୍ମପୁର ପବ୍ଲିକ ସ୍କୁଲ, ଜେନିଥ ଲାୟନ୍ସ ଗୁରୁକୁଳ ବିଦ୍ୟାଳୟ ପଦ୍ମପୁର, ସୋହେଲା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗାଇସିଲେଟ ବ୍ଲକ ଆଦର୍ଶ ବିଦ୍ୟାଳୟ, ବରଗଡ ରେନବୋ ପବ୍ଲିକ ସ୍କୁଲ ଓ ଜିଷ୍ଟ ସ୍କୁଲର ୨ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ । ହେଲେ କାହାରି ଫଳାଫଳ ପ୍ରକାଶ ପାଇନାହିଁ। ରେଜଲ୍ଟରେ RE ବା ରେଜଲ୍ଟ ଲେଟର ଦେଖାଉଛି । ଯଦ୍ୱାରା ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ଭାଙ୍ଗି ପଡିଲେଣି । ପରୀକ୍ଷା କେନ୍ଦ୍ର ଅଧିକ୍ଷକ ଚେଷ୍ଠା କରାଯାଉଛି ବୋଲି ସୂଚନା ଦେଇଥିଲେ ମଧ୍ୟ ୪ଦିନ ପରେବି ସ୍ଥିତି ସମାନ ଥିବାରୁ ଓଡିଶା ସରକାର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏହି ପରୀକ୍ଷା ଫଳ ନ ବାହାରିବା ନେଇ ପରଦା ପଛରେ କେଉଁ ଖଳନାୟକଙ୍କ ସଂପୃକ୍ତି ରହିଛି ତାହା ତଦନ୍ତ ହେବା ଉଚିତ ବୋଲି ଅଭିଭାବକ ମହଲର ଦାବି ବରଗଡ ପ୍ରଶାସନ ପାଇଁ ଆହ୍ୱାନ ପାଲଟିଯାଇଛି ।