ଛେଣ୍ଡିପଦା/ଅନୁଗୁଳ,୦୭/୦୮: ଅନୁଗୁଳ ଜିଲ୍ଲା  ଛେଣ୍ଡିପଦା ବ୍ଲକ୍‌ ତଥା ବାଗେଡ଼ିଆ ଥାନା ଇଲାକାରେ ଗତ ରବିବାର  ଏକ ଲଜ୍ଜାଜନକ ଘଟଣା ଆଲୋଡ଼ନ  ଖେଳାଇ ଦେଇଛି । ପାଳଲହଡ଼ା  ଅଞ୍ଚଳରୁ ସମ୍ପର୍କୀୟଙ୍କ ଘରକୁ  ବୁଲିବାକୁ ଆସିଥିବା ଜଣେ ମହିଳାଙ୍କୁ  ଟ୍ରାକ୍ଟରରେ କାମ କରୁଥିବା ୩ ଜଣ  ଶ୍ରମିକ ଗଣଦୁଷ୍କର୍ମ କରିଛନ୍ତି ।  ଗତକାଲି ଏ ଘଟଣା ସମ୍ପର୍କରେ  ଥାନାରେ ଅଭିଯୋଗ ହେବା  ପରେ ପୁଲିସ ୨୪ ଘଣ୍ଟା ମଧ୍ୟରେ  ୩ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ  ଥିବା ଜଣାପଡ଼ିଛି । ପୁଲିସ  ଏହାକୁ ‘ସ୍ପେଶାଲ ରିପୋର୍ଟ୍‌’ ଓ  ‘ରେଡ଼୍‌ ଫ୍ଲାଗ କେସ୍‌’ ଭାବେ  ଗୁରୁତ୍ୱ ଦେଇ ମାସକ ମଧ୍ୟରେ  ଚାର୍ଜସିଟ୍‌ ଦାଖଲ କରିବ ବୋଲି  ଏସ୍‌ପି ରାହୁଲ ଜୈନ୍‌ ସୂଚନା  ଦେଇଛନ୍ତି । ଏସ୍‌ପି ଶ୍ରୀ ଜୈନ୍‌ଙ୍କ  ତତ୍ତ୍ୱାବଧାନରେ ଆଇୟୁସିଏଡବ୍ଲୁ  (ଇନ୍‌ଭେଷ୍ଟିଗେଟିଭ୍‌ ୟୁନିଟ୍‌ ଫର୍‌  କ୍ରାଇମ୍‌ ଏଗନେଷ୍ଟ ୱିମେନ୍‌)  ଡିଏସ୍‌ପି ଯୋଗେଶ୍ୱରୀ ବେହେରାଙ୍କ  ଉପରେ ମାମଲାର ତଦନ୍ତ ଭାର  ନ୍ୟସ୍ତ ହୋଇଛି ।  

ପ୍ରକାଶ ଯେ, ପୀଡ଼ିତାଙ୍କ ଘର ପାଳଲହଡ଼ା ଅଞ୍ଚଳରେ । ସେ ଗତ ୩  ତାରିଖରେ ତାଙ୍କର ଜଣେ ସମ୍ପର୍କୟଙ୍କ ଘରକୁ ଛେଣ୍ଡିପଦା ଆସିଥିଲେ । ସେହିଦିନ ଅପରାହ୍ଣ ୩ଟା ବେଳେ ସମ୍ପର୍କୀୟ ଭଣଜା ସହ ସେ ବାଇକ୍‌ରେ ଘରକୁ ଫେରୁଥିଲେ । ବାଟରେ ହୋଟେଲ୍‌ରେ ଖାଇବା ସହ ଚାରବାଟିଆଠାରେ ବାଇକ୍‌ରେ ପେଟ୍ରୋଲ ଭରିଥାନ୍ତେ । ହେଲେ ଅଧାରାସ୍ତାରେ  ମହିଳା ଜଣକ ଶୌଚ ପାଇଁ ଯାଇଥିବାବେଳେ ଟ୍ରାକ୍ଟର୍‌ରେ ଆସୁଥିବା  ବାରମଞ୍ଚା ଗ୍ରାମର ରଞ୍ଜନ କୁମାର ମୁଖୀ (୨୮) ସମେତ ଦୁଇ ନାବାଳକ ତାଙ୍କୁ ଦେଖିଥିଲେ । ମହିଳାଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତମାନେ ନିକଟସ୍ଥ ଜଙ୍ଗଲ ଭିତରକୁ ଟେକି ନେଇଥିଲେ । ବିରୋଧ କରିବାରୁ ତାଙ୍କର ସମ୍ପର୍କୀୟ ଭଣଜାକୁ ଅଭିଯୁକ୍ତମାନେ ନିସ୍ତୁକ ମାଡ଼ ମାରି ଭଗାଇ ଦେଇଥିଲେ । ରଞ୍ଜନ ସମେତ ଦୁଇ ନାବାଳକ ପୀଡ଼ିତାଙ୍କୁ ଦୁଷ୍କର୍ମ କରିବା ସହ  ମୋବାଇଲ୍‌ରେ ଭିଡ଼ିଓ ରେକର୍ଡ଼୍‌ କରିଥିବା ଗତକାଲି ବାଗେଡ଼ିଆ ଥାନାରେ  ଅଭିଯୋଗ ହୋଇଥିଲା । 

ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ  ଅଭିଯୋଗ ହେବା ପରେ ବୁଧବାର ପୁଲିସ ଡଗ୍‌ସ୍କ୍ୱାଡ୍‌ ଓ ସାଇଣ୍ଟିଫିକ୍‌  ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଥିଲା । ବିଏନ୍‌ଏସ୍‌  ଦଫା ୭୦(୧), ୩୫୧(୩) ଏବଂ ସେକ୍ସନ୍‌ ୬୬ (ଇ) ଆଇଟି ଆକ୍ଟରେ  ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏସ୍‌ପିଙ୍କ ତତ୍ତ୍ୱାବଧାନରେ  ପୁଲିସ୍‌ ପକ୍ଷରୁ ୩ଟି ସ୍କ୍ୱାଡ୍‌ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଠାବ କରାଯିବା  ସହ କାବୁ କରାଯାଇଥିଲା । ଶ୍ରମିକ ନିୟୋଜିତ ଥିବା ଟ୍ରାକ୍ଟର ସାଙ୍ଗକୁ ସେମାନଙ୍କ ଦ୍ୱାରା ବ୍ୟବହୃତ  ଦୁଇଟି ମୋବାଇଲ୍‌ ଫୋନ୍‌, ପୋଷାକପତ୍ର ପୁଲିସ ଜବତ କରିଛି । ପୀଡ଼ିତା  ଓ ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିବା ଜିଲ୍ଲା ପୁଲିସ ପକ୍ଷରୁ  ସୂଚନା ଦିଆଯାଇଛି ।