ଝାରବନ୍ଧ, ୦୪/୦୬ (ଜୋହନ କୁମ୍ଭାର): କବୀର ସିଦ୍ଦାର । ବୟସ ୧୯ । ସେ ଭିବି-ଜି-ରାମ-ଜି ପ୍ରକଳ୍ପର ଏକ ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ ନିୟୋଜିତ । ଭୋର୍ ୫ଟାରୁ ଦିନ ୧୦ଟା ଏବଂ ଅପରାହ୍ଣ ୩ଟାରୁ ୫ଟା ଯାଏ ମୁଣ୍ଡରେ ବୁହନ୍ତି ମାଟି । ପ୍ରାୟ ସପ୍ତାହେ ହେଲା ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନରେ କାର୍ଯ୍ୟ କରୁଛନ୍ତି । ଜଣେ ଶ୍ରମିକ ଭାବେ କବୀରଙ୍କ ପରିଚୟ ଏତିକି । କିନ୍ତୁ ତାଙ୍କ ଜୀବନ ଫର୍ଦ୍ଦ ଓଲଟାଇଲେ ମିଳେ ସଂଘର୍ଷର କାହାଣୀ । କବୀର ପାଠପଢ଼ାରେ ପାରଙ୍ଗମ । ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ୧୦ ମେଧାବୀଙ୍କ ଭିତରୁ ଜଣେ। କଲେଜ ବାରଣ୍ଡା ମାଡ଼ିଲେ ଯୁବପିଢ଼ି ନିଜକୁ ଭିନ୍ନ ପରିଚୟରେ ପରିଚିତ କରାନ୍ତି । ଛୋଟମୋଟ କାମ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ହେଲେ ଅନ୍ୟମାନଙ୍କଠାରୁ ଭିନ୍ନ କବୀର । ଅବସର ସମୟର ସଦୁପଯୋଗ କରିବା ଓ ପରିଶ୍ରମରୁ ସଞ୍ଚିତ ଅର୍ଥରେ ଉଚ୍ଚଶିକ୍ଷା ଲାଭ କରିବା ଲକ୍ଷ୍ୟ ନେଇ ସେ ଆଗକୁ ବଢୁଛନ୍ତି ।
କବୀରଙ୍କ ଘର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ବିଜାଢ଼ୋଲ ଗ୍ରାମରେ । ମାତ୍ର ୧୨ ବର୍ଷର ହୋଇଥିବା ବେଳେ ବାପାଙ୍କୁ ହରାଇଛନ୍ତି । ଅଭାବ ଅନଟନ ଭିତରେ ବିଧବା ମା’, ବଡ଼ଭାଇ ଦେବରାଜ ତାଙ୍କୁ ପାଠ ପଢ଼ିବାରେ ସାମାନ୍ୟତମ ଅବହେଳା କରିନାହାନ୍ତି । ଦେବରାଜ ବିବାହିତ । ସ୍ୱଳ୍ପ ପୈତୃକ ଜମିରେ ଚାଷବାସ କରୁଛନ୍ତି । ପରିବାର ଚଳାଇବା ସହ ସାନଭାଇକୁ ପାଠପଢ଼ାଇ ଉଚ୍ଚ ଶିକ୍ଷିତ କରାଇବାକୁ ଉଦ୍ୟମ କରୁଛନ୍ତି । ପରିବାର ଲୋକଙ୍କୁ ମଧ୍ୟ ନିରାଶ କରିନାହାନ୍ତି କବୀର । ଚଳିତ ଶିକ୍ଷାବର୍ଷରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନ ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରୁ ଶିକ୍ଷା (ସମ୍ମାନ)ରେ ଭଲ ମାର୍କ ରଖି ପାସ୍ କରିଛନ୍ତି । ବିଶ୍ୱବିଦ୍ୟାଳୟରେ ୯ମ ସ୍ଥାନରେ ରହି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏଥିପାଇଁ କଲେଜ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଛି । ଆଗକୁ ସେ ବି.ଏଡ୍ କରି ଶିକ୍ଷକତା କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ମାଟିକାମ କରିବା ନେଇ କବୀର ଯେଉଁ ମତ ଦେଇଛନ୍ତି, ତାହା ବାସ୍ତବିକ୍ ପ୍ରେରଣାଦାୟୀ । ଏବେ ସେ ଘରେ ଖାଲିରେ ବସିଛନ୍ତି । ବେକାର ରହି ସମୟ ନଷ୍ଟ କରିବା ଅପେକ୍ଷା ଯାହା ବି କାମ କରିବା ଭଲ । ହାତପାଆନ୍ତାରେ କାମ ମିଳୁଥିବାରୁ ସେ ଏହାର ସୁଯୋଗ ନେଇଛନ୍ତି । ପ୍ରଥମେ ଜବ୍କାର୍ଡ କରିବା ପରେ କାମ ପାଇଁ ଆବେଦନ କରିଥିଲେ । ବିଜାଢୋଲରୁ-ବଣ୍ଡାମୁଣ୍ଡାକୁ ସଂଯୋଗ କରୁଥିବା ରାସ୍ତା ଉନ୍ନତୀକରଣ କାମରେ ତାଙ୍କୁ ନିୟୋଜିତ କରାଯାଇଛି । ଭିବି-ଜି-ରାମଜିରେ ଦୈନିକ ମଜୁରି ୩୭୧ ଟଙ୍କା ରହିଛି । ଏଥିପାଇଁ ଅତିକମ୍ରେ ୬୪ ବର୍ଗଫୁଟ୍ ମାଟି ଉଠାଇବାକୁ ପଡ଼େ । ଜଣେ ଶ୍ରମିକ ଏହାକୁ କେତେ ଘଣ୍ଟାରେ କରିବ, ତାହା ତାଙ୍କ ପରିଶ୍ରମ ଉପରେ ନିର୍ଭର କରେ । ବସି ରହି ସମୟ ନଷ୍ଟ କରିବା ଅପେକ୍ଷା କାମ କରିବା ବରଂ ଶହେ ଗୁଣରେ ଭଲ । ଏହା ଦ୍ୱାରା ଶରୀର ସୁସ୍ଥ ରହିବ । ମାନସିକ ଦୁଃଶ୍ଚିନ୍ତାରୁ ମୁକ୍ତି ମିଳିବ । ଏଥିରୁ ଯେଉଁ ଦୁଇ ପଇସା ରୋଜଗାର ହେବ, ତାହା ଆଗକୁ ପାଠପଢ଼ାରେ କାମରେ ଆସିବ । କେବଳ କବୀର ନିଜେ କାମ କରୁନାହାନ୍ତି ଅଞ୍ଚଳର ୧୦ରୁ ଊର୍ଦ୍ଧ୍ୱ ପାଠୁଆ ପିଲାଙ୍କୁ କାମ କରିବାକୁ ଉତ୍ସାହିତ କରାଇ ସଫଳ ହୋଇଛନ୍ତି।
ଆହୁରି ପଢନ୍ତୁ- AC usage : ଏସି ବ୍ୟବହାରରେ ଜାତୀୟ ହାର ତୁଳନାରେ ବହୁ କମ୍ ଓଡ଼ିଶା, ୨ ଗୁଣା ବ୍ୟବହାର କରୁଛନ୍ତି ଆନ୍ଧ୍ର ଉପଭୋକ୍ତା
ମେଧାବୀ ଛାତ୍ର କବୀରଙ୍କ ସ୍ୱାବଲମ୍ବୀ ହେବାର ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି କଲେଜ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା । ସେ କହିଛନ୍ତି, କବୀର ଜଣେ ପରଶ୍ରମୀ ପିଲା । ଭଲ ପାଠ ପଢ଼ି ଆମ କଲେଜ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏଭଳି କାମ ସମାଜକୁ ଭଲ ସନ୍ଦେଶ ଦେଉଛି । ବିଡିଓ ପର୍ଶୁରାମ ପଣ୍ଡା କହିଛନ୍ତି, ଏହା ଖୁସିର ବିଷୟ । କବୀରଙ୍କ ଭଳି ପିଲା ଛାତ୍ର ସମୟରୁ ନିଜ ଖର୍ଚ୍ଚରେ ପାଠ ପଢ଼ିବାକୁ ପ୍ରୟାସ କରୁଛନ୍ତି । ଅଞ୍ଚଳର ଅନ୍ୟ ପାଠୁଆ ପିଲାଙ୍କୁ ଉତ୍ସାହିତ କରି କାମରେ ନିୟୋଜିତ କରାଉଛନ୍ତି । ଦାଦନ ପ୍ରବଣ ଝାରବନ୍ଧ ବ୍ଲକରେ ଭିବି-ଜି-ରାମ-ଜି ଅନେକ ଗରିବ ପରିବାରକୁ ସହାୟତା କରୁଛି । ଏଥିରେ କବୀର ପ୍ରେରଣା ସାଜିଛନ୍ତି । ଖୁବ୍ଶୀଘ୍ର ସେ କବୀରଙ୍କୁ ଭେଟିବେ । ପାରିବାରିକ ସମସ୍ୟା, ପାଠପଢ଼ା ସମସ୍ୟା ଉପରେ ଆଲୋଚନା କରି ବିହିତ ପଦକ୍ଷେପ ନେବେ।