ନାଗେଶ୍ୱର ରାଓଙ୍କୁ ୧ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୧୨ ।୨(ଏଜେନ୍ସି): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରିବା ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ୍. ନାଗେଶ୍ୱର ରାଓଙ୍କୁ ମହଙ୍ଗା ପଡିଛି । ଗତକାଲି ସେ କରିଥିବା ନିଃସର୍ତ୍ତ କ୍ଷମା ପ୍ରାର୍ଥନାକୁ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି । ଏଥିସହିତ ତାଙ୍କୁ ୧ଲକ୍ଷ ଟଙ୍କାର ଜରିମାନା କରିବା ସହ ଦୃଷ୍ଟାନ୍ତ ଦଣ୍ଡ ସ୍ୱରୂପ କୋର୍ଟ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ କୋର୍ଟରୁମ୍ର ଗୋଟିଏ କୋଣରେ ବସି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ରାଓ କୋର୍ଟରୁମ୍ର ଗୋଟିଏ କୋଣରେ ବସି ରହିଥିଲେ ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏମ୍ ନାଗେଶ୍ୱର ରାଓ ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଓଙ୍କ ସହିତ ଏହି ମାମଲାରେ ସିବିଆଇର ଡିରେକ୍ଟର ଅଫ ପ୍ରସିକ୍ୟୁସନ (ଡିଓପି) ଏସ୍ ଭାସୁରାମଙ୍କୁ ମଧ୍ୟ ଦଣ୍ଡିତ କରିଛନ୍ତି । ପ୍ରଧାନ ବିଚାରପତି ଗୋଗୋଇ କହିଥିଲେ ବିଚାରପତି ଭାବେ ଗତ ୨୦ ବର୍ଷର ତାଙ୍କ କ୍ୟାରିୟର ଭିତରେ ସେ ପ୍ରଥମ କରି ଅଦାଲତ ଅବମାନନା ମାମଲାରେ କାହାରିଙ୍କୁ ଦଣ୍ଡିତ କରୁଛନ୍ତି । ରାଓ ଅବମାନନା କରିଛନ୍ତି । ତେଣୁ ଏହା ତାଙ୍କ କ୍ୟାରିୟରରେ ଦାଗ ନିଶ୍ଚିତ ଲାଗିବ । ଆମେ ଚାହିଁଲେ ତାଙ୍କୁ ୩୦ ଦିନ ପାଇଁ ଜେଲ୍କୁ ପଠାଇ ପାରିବୁ । ରାଓଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ କୋର୍ଟଙ୍କୁ ଅନୁରୋଧ କରି କହିଥିଲେ କି ରାଓଙ୍କ ୩୨ ବର୍ଷର କ୍ୟାରିୟର ସ୍ୱଚ୍ଛ ରହିଛି । ଭୁଲ କରି ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ଦୟାକରି ତାଙ୍କୁ କ୍ଷମା କରିଦିଅନ୍ତୁ । ଫଳରେ କୋର୍ଟ ରାଓଙ୍କ ପ୍ରତି ଆଭିମୁଖ୍ୟ ନରମ କରିଥିଲେ । ରାଓ ଓ ଭାସୁରାମଙ୍କୁ ଗୋଟିଏ କୋଣରେ ଯାଇ ବସିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟେ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମ୍ର ଗୋଟିଏ କୋଣରେ ଅପରାହ୍ନ ୪ଟା କୋର୍ଟ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ବସି ରହିଥିଲେ । ଏପରିକି ଲଞ୍ଚ ସେସନ୍ରେ ମଧ୍ୟ ସେମାନେ ବସିରହିଥିଲେ । ଅପରାହ୍ନ ୩ଟା ୪୦ରେ ସେମାନଙ୍କୁ ଛାଡିଦେବା ଲାଗି ଆଟର୍ଣ୍ଣି ଜେନେରାଲ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ ମଧ୍ୟ ତାହା ଅଗ୍ରାହ୍ୟ ହୋଇଯାଇଥିଲା । ଆଟର୍ଣ୍ଣି ଜେନେରାଲଙ୍କ ଉପରେ କୋର୍ଟ କ୍ଷୁବ୍ଧ ହୋଇଥିଲେ । କହିଥିଲେ ଏହା କଣ? ଆପଣ କ’ଣ ଭାବୁଛନ୍ତି ଆମେ ଉଭୟଙ୍କୁ ଆସନ୍ତାକାଲି କୋର୍ଟ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଦଣ୍ଡିତ କରିବୁ? ଆପଣ ନିଜ ଆସନରେ ଯାଉ ବସନ୍ତୁ ।
ଉଲ୍ଲେଖଯୋଗ୍ୟ, ବିହାରର ମୁଜାଫରପୁର ଆଶ୍ରୟ ଗୃହ ବଳାତ୍କାର ମାମଲାର ତଦନ୍ତ କରୁଥିବା ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଅରୁଣ କୁମାର ଶର୍ମାଙ୍କୁ ବଦଳି କରିବା ନେଇ ସୁପ୍ରିମକୋର୍ଟ ରାଓଙ୍କ ବିରୋଧରେ ଗତ ୭ ତାରିଖରେ କଡ଼ା ଟିପ୍ପଣୀ ଦେଇଥିଲେ । କହିଥିଲେ କୋର୍ଟଙ୍କ ଆଦେଶ ସହ ଆପଣ ଖେଳିଛନ୍ତି । କେବଳ ଭଗବାନ ଚାହିଁଲେ ଆପଣଙ୍କୁ ବଞ୍ଚାଇ ପାରିବେ । ଏଥିସହ ଅଦାଲତ ଅବମାନନା ନୋଟିସ ଜାରି କରି ରାଓଙ୍କୁ ୧୨ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ରାଓ ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । କହିଥିଲେ କୋର୍ଟଙ୍କ ଆଦେଶ ଅମାନ୍ୟ କରିବା ତ ଦୂରର କଥା ଏହା ସ୍ୱପ୍ନରେ ସୁଦ୍ଧା ସେ ଭାବି ପାରିବେ ନାହିଁ । ମାତ୍ର ଆଜି ତାଙ୍କର କ୍ଷମା ପ୍ରାର୍ଥନାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।
ଖଣ୍ଡପୀଠ କହିଛନ୍ତି ଯେ ଗତ ଜାନୁଆରୀ ୧୮ ରେ ଶର୍ମାଙ୍କୁ ସିଆରପିଏଫ ଏଡିଜି ଭାବେ ବଦଳି କରାଯିବା ବେଳେ ରାଓ ଭଲ ଭାବେ ଜାଣିଥିଲେ ଯେ କୋର୍ଟଙ୍କ ବିନା ଅନୁମତିରେ ଜଣେ ତଦନ୍ତକାରୀ ସିବିଆଇ ଅଫିସରଙ୍କୁ ବଦଳି କରାଯାଇପାରିବ ନାହିଁ । ମାତ୍ର ସେହିଦିନ କାର୍ମିକ ବିଭାଗ ପକ୍ଷରୁ ଶର୍ମାଙ୍କ ବଦଳି ସଂକ୍ରାନ୍ତ ଚିଠିରେ ରାଓ ସ୍ୱାକ୍ଷର କରିଥିଲେ । କିନ୍ତୁ ତା ପୂର୍ବରୁ କୋର୍ଟଙ୍କ ଅନୁମତି ନେବାକୁ ଉଚିତ ମଣି ନଥିଲେ କିମ୍ବା ଏହାର ପରିଣତି ବିଷୟରେ ଚିନ୍ତା କରି ନଥିଲେ । ଏହା ଅଦାଲତ ଅବମାନନା ନୁହେଁ ତ କ’ଣ? ଶର୍ମା ମଧ୍ୟ ତାଙ୍କୁ କୋର୍ଟଙ୍କ ବିନା ଅନୁମତିରେ ବଦଳି କରାଯାଇପାରିବ ନାହିଁ ବୋଲି ଦର୍ଶାଇଥିଲେ ମଧ୍ୟ ରାଓ ତାକୁ ଶୁଣି ନଥିଲେ ।
ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବର ୩୦ ଓ ନଭେମ୍ବର ୨୮ରେ ସୁପ୍ରିମକୋର୍ଟ ଆଶ୍ରୟ ଗୃହ ବଳାତ୍କାର ମାମଲାର ଶୁଣାଣି କରିବା ବେଳେ ତଦନ୍ତକାରୀ ଅଧିକାରୀ ଶ୍ରୀ ଶର୍ମାଙ୍କୁ ବଦଳି କରାଯାଇପାରିବ ନାହିଁ ବୋଲି ରାୟ ଦେଇଥିଲେ ।