ନୂଆଦିଲ୍ଲୀ,୧୦।୭: ବିଶ୍ବର ବହୁ ଦେଶକୁ ଛାନିଆ କଲାଣି ଟ୍ରମ୍ପଙ୍କ ଟାରିଫ ବମ୍। ମାତ୍ର ୩ ଦିନରେ ବିଶ୍ବର ୨୧ ଟି ଦେଶ ଉପରେ ଆମେରିକା ନିଜର ନୂଆ ଟାରିଫ୍ ଘୋଷଣା କରିସାରିଛି। ସୋମବାରଠାରୁ ଜାପାନ-କୋରିଆ ସହିତ ୧୪ ଦେଶକୁ ଟ୍ରମ୍ପ ଟାରିଫ୍ ଲେଟର ପଠାଇଛନ୍ତି। ବୁଧବାର ହଠାତ ୭ ଦେଶର ଲିଷ୍ଟ ଜାରି କରିଥିଲେ। ଏଥିରେ ସବୁଠାରୁ ଅଧିକ ବ୍ରାଜିଲ ଉପରେ ୫୦% ଆମଦାନୀ ଶୁଳ୍କ ଲଗାଇଥିଲେ । ଏବେ ଲିଷ୍ଟ ଆଗକୁ ଆହୁରି ବଢିପାରେ।
୧ ଅଗଷ୍ଟ ପୂବରୁ ବହୁ ଦେଶକୁ ବଡ଼ ଝଟକା ଦେଇପାରେ ଆମେରିକା। ବର୍ତ୍ତମାନ ଏହି ଟାରିଫ୍ ଦର ୨୦% ରୁ ନେଇ ୫୦% ପର୍ଯ୍ୟନ୍ତ ରହିଛି। ଲିଷ୍ଟରେ ସବୁଠାରୁ ବଡ଼ ଝଟକା ବ୍ରାଜିଲକୁ ଲାଗିଛି। ତା ଉପରେ ଆମେରିକା ୫୦% ଆମଦାନୀ ଶୁଳ୍କ ଲଗାଇଛି। ସପ୍ତାହ ଆରମ୍ଭରୁ ଟ୍ରମ୍ପ ପ୍ରଶାସନ ଜାପାନ, ଦକ୍ଷିଣ କୋରିଆ ସହିତ ୧୪ ଦେଶକୁ ଟାରିଫ ନୋଟିସ୍ ପଠାଇଥିଲା। ଏହାପରେ ବୁଧବାର ଆହୁରି ୭ ଦେଶ ଉପରେ ଟାରିଫ୍ ଘୋଷଣା କରିଥିଲା। ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ଏହି ଘୋଷରା ନେଇ ସୂଚନା ଦେଇଥିଲେ।
ବୁଧବାର ଘୋଷିତ ୭ ଦେଶର ସୂଚୀରେ ବ୍ରାଜିଲ ସବୁଠାରୁ ଉପରେ ରହିଛି। ବ୍ରିକ୍ସ ସମୁହର ସଦସ୍ୟ ବ୍ରାଜିଲ ପୂର୍ବରୁ ଆମେରିକାର ଟାରିଫ୍ ନୀତିକୁ ବିରୋଧ କରିଥିଲା। ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍ଭା ନିକଟରେ ଏଥିପାଇଁ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଦୁନିଆକୁ କୌଣସି ସମ୍ରାଟଙ୍କର ଆବଶ୍ୟକତା ନାହିଁ। ଏହାପରେ ଟ୍ରମ୍ପ ପ୍ରଶାସନ ବ୍ରାଜିଲ ଉପରେ ସର୍ବାଧିକ ଆମଦାନୀ ଶୁଳ୍କ ଲଗାଇଛି। ବ୍ରାଜିଲ ବ୍ୟତୀତ ବୁଧବାର ଫିଲିପାଇନ୍ସ, ବ୍ରୁନେଇ, ମଲଡୋଭା, ଆଲଜେରିଆ, ଇରାକ ଓ ଲିବିୟାକୁ ଟାରିଫ୍ ଲେଟର ପଠାଇଥିଲେ। ଏଥିରେ ଫିଲିପାଇନ୍ସ ଉପରେ ୨୦%, ବ୍ରୁନେଇ ଓ ମଲଡୋଭା ଉପରେ ୨୫%, ସେଭଳି ଆଲଜେରିଆ, ଇରାକ ଓ ଲିବ୍ୟା ଉପରେ ୩୦% ଟାରିଫ୍ ଲଗାଇଥିଲେ। ଏହି ନୂଆ ଶୁଳ୍କ ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ । ଆମେରିକା ଗୋଟିଏ ପଟେ ଦୁନିଆ ଉପରେ ଟାରିଫ୍ ଲଗାଉଛି ତ , ଅନ୍ୟପକ୍ଷେ ଭାରତ ଓ ଆମେରିକା ଭିତରେ ବାଣିଜ୍ୟ ଚୁକ୍ତି ହେବାକୁ ଯାଉଛି। ତେବେ ଏ ନେଇ ଅନ୍ତିମ ଘୋଷଣା ହୋଇନି। ତେବେ ଟ୍ରମ୍ପ ବାରମ୍ବାର ଏହି ଦାବି କରୁଛନ୍ତି ଯେ, ଭାରତ ସହ ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ହେବ।