ନୂଆଦିଲ୍ଲୀ,୧୦।୭: ବିହାରରେ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଆସିଛି ବଡ଼ ଖବର । ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଜାରି ରହିବା ଉଚିତ। ଏହା ସହିତ ଆଧାର କାର୍ଡ, ଭୋଟର କାର୍ଡ ଏବଂ ରାସନ କାର୍ଡକୁ ଭୋଟର ତାଲିକା ସଂଶୋଧନରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ଏକ ସାମ୍ବିଧାନିକ ସଂସ୍ଥାର କାମକୁ ବନ୍ଦ କରାଯାଇପାରିବ ନାହିଁ।
ସୁପ୍ରିମକୋର୍ଟ ଗୁରୁବାର ବିହାରରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR)ରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୁଦ୍ଧରେ ଦାଖଲ ଆବେଦନ ଉପରେ ଶୁଣାଣି କରିଛନ୍ତି। ଏହି ମାମଲାରେ ଜଣେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କର ନାରାୟଣ କୋର୍ଟଙ୍କ ଦୃଷ୍ଟିକୁ ଆଣିଥିଲେ ଯେ, ବିହାରରେ ହେଉଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନରେ ଆଧାର କାର୍ଡକୁ ନିର୍ବାଚନ କମିଶନ ଗ୍ରହଣ କରୁ ନାହାନ୍ତି । ଏହାର ଜବାବରେ ଭାରତୀୟ ନିର୍ବାଚନ କମିଶନଙ୍କ ଓକିଲ ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ କହିଛନ୍ତି, ଆଧାର କାର୍ଡ ନାଗରିକତାର ପ୍ରମାଣ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ । ମାମଲାର ଶୁଣାଣି କରି ବିଚାରପତି ସୁଧାଂଶୁ ଧୂଲିଆ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ନିର୍ବାଚନ କମିଶନଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ କହିଛନ୍ତି, ଭୋଟର ତାଲିକା ଯାଞ୍ଚ ଏକ ଗଣତାନ୍ତ୍ରିକ କାର୍ଯ୍ୟ। ଏହାକୁ ବନ୍ଦ କରାଯାଇପାରିବ ନାହିଁ। ବିହାରରେ ଭୋଟର ତାଲିକା ପାଇଁ ଲୋକଙ୍କ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଏବଂ ରାସନ କାର୍ଡ ସାମିଲ କରିବାକୁ ବିଚାରକୁ ନେବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ଏହି ମାମଲାରେ ନିର୍ବାଚନ କମିଶନଙ୍କୁ ଜବାବ ଦାଖଲ କରିବାକୁ କହିଛନ୍ତି। ଏହା ସହ ମାମଲାର ପରବର୍ତ୍ତୀ ଶୁଣାଣି୨୮ ଜୁଲାଇରେ ହେବ ।

ସୁପ୍ରିମକୋର୍ଟଙ୍କ ଶୁଣାଣିର ଗୁରୁତ୍ବପୂର୍ଣ୍ଣ କଥା
-ବିହାରରେ ଭୋଟର ତାଲିକା ପାଇଁ ଲୋକଙ୍କ ଆଧାର କାର୍ଡ, ଭୋଟର ପରିଚୟପତ୍ର ଏବଂ ରାସନ କାର୍ଡ ଉପରେ ସାମିଲ କରିବାକୁ ବିଚାର ନେଇ ନିର୍ବାଚନ କମିଶନଙ୍କୁ କହିଛନ୍ତି ସୁପ୍ରିମକୋର୍ଟ।
-କୋର୍ଟ କହିଛନ୍ତି ସ୍ପେଶାଲ ଇଣ୍ଟେନସିଭ ରିଭିଜନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା 'ଗଣତନ୍ତ୍ର ଏବଂ ଭୋଟ ଦେବାର ଶକ୍ତିର ମୂଳ' ସହିତ ଜଡିତ।
-ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ତିନୋଟି ପ୍ରସଙ୍ଗରେ ଜବାବ ଦେବାକୁ କହିଛନ୍ତି - ଭୋଟର ତାଲିକା ସଂଶୋଧନର ଅଧିକାର, ଏଥିପାଇଁ ଗ୍ରହଣ କରାଯାଇଥିବା ପ୍ରକ୍ରିୟା ଏବଂ ଏହି ପ୍ରକ୍ରିୟାର ସମୟ।
- ସୁପ୍ରିମ କୋର୍ଟ ରାଜ୍ୟରେ ନାଗରିକତା ପ୍ରମାଣ କରିବା ପାଇଁ ଆବଶ୍ୟକ ୧୧ଟି ତାଲିକାଭୁକ୍ତ ଦଲିଲରେ ଆଧାର ଅନ୍ତର୍ଭୁକ୍ତ ନହେବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି।
- ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟଙ୍କ କାର୍ଯ୍ୟକୁ "କୃତ୍ରିମ" କିମ୍ବା "କାଳ୍ପନିକ" କହିବାରୁ ନିବୃତ୍ତ ରହିବାକୁ କହିଥିଲେ। ଏହା ସହ ଭୋଟର ତାଲିକା ସଂଶୋଧନ ପଛରେ ଯୁକ୍ତି ଅଛି ବୋଲି କହିଛନ୍ତି।
କ’ଣ କହିଲେ ନିର୍ବାଚନ କମିଶନ
-ନିର୍ବାଚନ କମିଶନ ସୁପ୍ରିମକୋର୍ଟକୁ କହିଛନ୍ତି, ବିହାରରେ କୌଣସି ବ୍ୟକ୍ତିଙ୍କୁ ନୋଟିସ୍ ନଦେଇ ଭୋଟର ତାଲିକାରୁ ବାଦ ଦିଆଯିବ ନାହିଁ।
-ନିର୍ବାଚନ କମିଶନ ଏକ ଯୋଜନାବଦ୍ଧ ମାନସିକତା ସହିତ କାମ କରୁଛନ୍ତି ବୋଲି ଭୁଲ ଧାରଣା ସୃଷ୍ଟି କରାଯାଉଛି।
-ନାଗରିକତା ଉପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଉପରେ ନିର୍ବାଚନ କମିଶନ କହିଛନ୍ତି, ସମ୍ବିଧାନର ଧାରା ୩୨୬ ଅନୁଯାୟୀ ଭାରତରେ ଭୋଟର ହେବା ପାଇଁ ନାଗରିକତା ଯାଞ୍ଚ କରାଯିବା ଆବଶ୍ୟକ।

ସୁପ୍ରିମକୋର୍ଟରେ ଦାଖଲ ହୋଇଛି ୧୦ଟି ଆବେଦନ
ସୁପ୍ରିମକୋର୍ଟରେ ଏହି ମାମଲା ସମ୍ପର୍କରେ ୧୦ ରୁ ଅଧିକ ଆବେଦନ ଦାଖଲ ହୋଇଛି। ସେମାନଙ୍କ ମଧ୍ୟରେ ମୁଖ୍ୟ ଆବେଦନକାରୀ ହେଉଛି ଅଣ-ସରକାରୀ ସଂଗଠନ 'ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍'। ଆରଜେଡି ସାଂସଦ ମନୋଜ ଝା ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବ୍ୟତୀତ କଂଗ୍ରେସର କେସି ଭେଣୁଗୋପାଳ, ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଗୋଷ୍ଠୀର ସୁପ୍ରିୟା ସୁଲେ, ସିପିଆଇରୁ ଡି ରାଜା, ସମାଜବାଦୀ ପାର୍ଟିରୁ ହରିନ୍ଦର ସିଂହ ମଲିକ, ଶିବସେନା (ୟୁବିଟି)ରୁ ଅରବିନ୍ଦ ସାୱନ୍ତ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ସରଫରାଜ ଅହମ୍ମଦ ଏବଂ ସିପିଆଇ (ଏମ୍ଏଲ୍)ର ଦୀପଙ୍କର ଭଟ୍ଟାଚାର୍ଯ୍ୟ ମିଳିତ ଭାବରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସମସ୍ତ ନେତା ବିହାରରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ ରିଭିଜନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି ଏବଂ ଏହାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।