ନିଖୋଜକୁ ବର୍ଷେ ବିତିଲା, ଏମ୍ସ ଡାକ୍ତରୀ ଛାତ୍ର ସୋହେଲଙ୍କ ପତ୍ତା ମିଳୁନି

ଭୁବନେଶ୍ୱର,୯ ।୨(ବ୍ୟୁରୋ): ଭୁବନେଶ୍ୱର ଏମ୍ସ ଡାକ୍ତରୀ ଛାତ୍ର ସୋହେଲ୍ ଆଇଜାଜ୍ ନିଖୋଜ ଘଟଣାକୁ ବର୍ଷେ ବିତିଲାଣି । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ୍ ଖବର ମିଳୁନି । ସୋହେଲ୍ଙ୍କୁ ଖୋଜିବାରେ ଗୁଇନ୍ଦା ବିଭାଗ ସମେତ ୩ ରାଜ୍ୟ ପୁଲିସ ବି ଫେଲ୍ ମାରିଛନ୍ତି । ସୋହେଲ୍ ଜୀବିତ କି ମୃତ ତାହା ଆଜି ପର୍ଯ୍ୟନ୍ତ ରହସ୍ୟରେ ରହି ଯାଇଛି ।
ସୂଚନା ଥାଉକି, ଜମ୍ମୁ-କାଶ୍ମୀର କୁପୱାଡ଼ା ଜିଲ୍ଲା ଚୋକିବାଲ ଥାନା ଅନ୍ତର୍ଗତ ମର୍ସାରି ଗାଁର ସୋହେଲ୍ ଭୁବନେଶ୍ୱର ଏମ୍ସରେ ଦ୍ୱିତୀୟ ବର୍ଷ ଡାକ୍ତରୀ ପଢ଼ୁଥିଲେ । ୨୦୧୮ ଫେବ୍ରୁଆରୀ ୯ ତାରିଖରେ ସେ ପଞ୍ଜାବର ଅମୃତସରରେ ଜଣେ ସାଙ୍ଗଙ୍କ ଜନ୍ମଦିନ ଉତ୍ସବରେ ଯୋଗଦେବାକୁ କହି ଛୁଟି ନେଇ ଯାଇଥିଲେ । ୧୬ ତାରିଖ ସୁଦ୍ଧା ସେ ଫେରି ଆସିବେ ବୋଲି କହିଥିଲେ । ତେବେ ନିର୍ଧାରିତ ସମୟରେ ନଫେରିବାରୁ ଏମ୍ସ କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।
ସୋହେଲ୍ ନିଖୋଜ ଖବରପାଇ ବାପା ଏଜାଜ୍ ଅହମ୍ମଦ କଟାରିଆ ଆସି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଭୁବନେଶ୍ୱର ଡିସିପିଙ୍କ ଠାରୁ ଆରମ୍ଭ କରି ପୁଲିସ କମିଶନର ଓ ଡିଜିପିଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ । ଫେବ୍ରୁଆରୀ ୧୦ରେ ସୋହେଲ୍ଙ୍କ ମୋବାଇଲ୍ ନେଟ୍ୱାର୍କ କୋଲକାତାର ହାୱଡ଼ା ଷ୍ଟେସନ ପର୍ଯ୍ୟନ୍ତ ଦେଖାଇଥିଲା । ତା’ ପର ଠାରୁ ତାଙ୍କ ମୋବାଇଲ୍ ନେଟ୍ୱାର୍କ ଦେଖାଇ ନଥିଲା । ଖଣ୍ଡଗିରି ଥାନା ପୁଲିସ ହାୱଡ଼ାରେ ଖୋଜାଖୋଜି କରି ଫେରିଥିଲା । ସୋସିଆଲ ମିଡିଆର ମଧ୍ୟ ସହାୟତା ନେଇଥିଲା ପୁଲିସ । ଜଣେ ରାଜସ୍ଥାନୀ ଯୁବକ ଦିଲ୍ଲୀ ଗୁରଗାଓଁରେ ସୋହେଲଙ୍କୁ ଦେଖିଥିବା ସୋସିଆଲ ମିଡିିଆରେ ପୋଷ୍ଟ କରିଥିଲେ । ଖଣ୍ଡଗିରି ଥାନା ପୁଲିସର ଏକ ୩ ଜଣିଆ ଟିମ୍ ଯାଇ ଦିଲ୍ଲୀରେ ଖୋଜାଖୋଜି କରି ବିଫଳ ହୋଇଥିଲେ ।
ଫେଲ୍ ମାରିଲେ ଗୁଇନ୍ଦା ଓ ୩ ରାଜ୍ୟ ପୁଲିସ:
ଓଡ଼ିଶା ଡିଜିପି ପଶ୍ଚିମବଙ୍ଗ ଓ ଜମ୍ମୁ-କାଶ୍ମୀର ଡିଜିପିଙ୍କଠାରୁ ସହାୟତା ଲୋଡ଼ିଥିଲେ । ଓଡ଼ିଶା, ପଶ୍ଚିମବଙ୍ଗ ଓ ଜାମ୍ମୁ-କାଶ୍ମୀର ପୁଲିସ ସୋହେଲ୍ଙ୍କୁ ଖୋଜିବାରେ ଲାଗି ପଡ଼ିଥିଲେ । ଗୁଇନ୍ଦା ବିଭାଗ ମଧ୍ୟ ଏନେଇ ତଦନ୍ତ ଚଳାଇଥିଲେ । ହେଲେ ସୋହେଲ୍ଙ୍କୁ ଠାବ କରିବାରେ ଫେଲ୍ ମାରିଛନ୍ତି ସମସ୍ତେ ।
ଆତଙ୍କୀ ସଂଗଠନରେ ସାମିଲ୍ ସନ୍ଦେହ:
ଜମ୍ମୁ-କାଶ୍ମୀରର କୁପୱାଡ଼ା ଜିଲ୍ଲା ସଂପୂର୍ଣ୍ଣ ଆତଙ୍କବାଦୀ ପ୍ରବଣ ଅଞ୍ଚଳ । କୁପୱାଡ଼ାରେ ଜନ୍ମିତ ସୋହେଲ୍ ଜଣେ ମେଧାବୀ । କଲେଜରେ ପଢ଼ିବା ସମୟରେ ଦୁଇ ସପ୍ତାହ ପାଇଁ ସେ କେଉଁଆଡ଼େ ଚାଲି ଯାଇଥିଲେ । ଫେରିବା ପରେ ସେ କେଉଁଆଡ଼େ ଯାଇଥିଲେ ସେ ନେଇ ଘର ଲୋକଙ୍କ ଆଗରେ ମୁହଁ ଖୋଲି ନଥିଲେ । ଡାକ୍ତରୀ ପଢ଼ିବା ପାଇଁ ସେ ଏମ୍ସରେ ନାମ ଲେଖାଇଥିଲେ । କିନ୍ତୁ ଅଧିକାଂଶ ସମୟରେ ସେ ସହପାଠୀମାନଙ୍କ ଠାରୁ ଦୂରେଇ ରହୁଥିଲେ । ଅମୃତସରରେ ଜଣେ ସାଙ୍ଗଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ କହି ସେ ଏମ୍ସରୁ ଛୁଟି ନେଇଥିଲେ । କିନ୍ତୁ ଅମୃତସରରେ ତାଙ୍କର କୌଣସି ସାଙ୍ଗ ନ ଥିବା ପରିବାର ଲୋକଙ୍କ ଠାରୁ ଜଣା ପଡ଼ିଥିଲା । ସେ କୌଣସି ଆତଙ୍କୀ ସଂଗଠନରେ ସାମିଲ୍ ହୋଇ ଯାଇଥିବା ସନ୍ଦେହ କରା ଯାଉଛି ।
ଛାର୍ଖାର ହୋଇଗଲା ସୋହେଲ୍ଙ୍କ ପରିବାର: ସୋହେଲଙ୍କୁ ଖୋଜିଖୋଜି ନିରାଶ ହୋଇ ବାପା ଏଜାଜ୍ ଓ ଭାଇ ସୋହେବ୍ ମାର୍ଚ୍ଚ ୧୮ରେ ଟ୍ରେନ ଯୋଗେ ଦିଲ୍ଲୀରୁ କାଶ୍ମୀର ଫେରୁଥିଲେ । ଜମ୍ମୁରୁ ସେମାନଙ୍କୁ ଆଣିବାକୁ ସୋହେଲଙ୍କ ଜେଜେ ଲିୟାକତ ଅଲ୍ଲୀ ଓ ଦାଦା ମୁସ୍ତାକ୍ ଅହମ୍ମଦ କଟାରିଆ କାର୍ (ଜେକେ୦୯ଏ-୫୫୪୭)ଯୋଗେ ଯାଇଥିଲେ । ସୋହେବ୍ କୌଣସି କାମରେ ଜମ୍ମୁରେ ରହି ଯାଇଥିଲାବେଳେ ଏଜାଜଙ୍କୁ ଧରି ସୋହେଲ୍ଙ୍କ ଜେଜେ ଓ ଦାଦା ଫେରୁଥିଲେ । ସେମାନଙ୍କ କାର୍ ହାଣ୍ଡୱାରା ୟୁନିସୋ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସୋହେଲ୍ଙ୍କ ଜେଜେ ଲିୟାକତ ଓ ଦାଦା ମୁସ୍ତାକ୍ଙ୍କ ମୃତ୍ୟୁ ଘଟିଥିଲା । ବାପା ଏଜାଜ୍ ପ୍ରାୟ ୨ ମାସ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଦୁର୍ଘଟଣା ପରଠାରୁ ସେ ଆଉ କଥା କହିପାରୁ ନାହାନ୍ତି । ସୋହେଲ୍ଙ୍କୁ ଝୁରି ଝୁରି କେବଳ ଆଖିରୁ ଲୁହ ଗଡ଼ାଉଛନ୍ତି ।