ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ; ଏଏସ୍ଆଇଙ୍କ ସମେତ ୨ ଗିରଫ

ବରଗଡ଼,୧୧/୨: ବରଗଡ଼ ଜଣେ ଦଶମ ଶ୍ରେଣୀର ନାବାଳିକାଛାତ୍ରୀଙ୍କୁ ଦୁଷ୍କର୍ମ ଓ ଅସଦାଚରଣ ଅଭିଯୋଗରେ ସୋହେଲା ଥାନାର ଏଏସ୍ଆଇ ବନମାଳି କୁଅଁର ଓ ମେଲଛା ମୁଣ୍ଡାର କୈବଲ୍ୟ ନାଗ୍ ନାମକ ଜଣେ ଯୁବକକୁ ପୁଲିସ ଗିରଫ୍ କରି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ ଯେ, ମେଲଛା ମୁଣ୍ଡା ଥାନା ଅନ୍ତଗର୍ତ ଝୁନୁଙ୍ଗା ପାଲିରେ ନିଜ ମାମୁଁ ଘରେ ରହି ଦଶମ ଶ୍ରେଣୀ ପଢ଼ୁଥିବା ଜଣେ ନାବାଳିକା ଗତ ୮ ତାରିଖ ଦିନ ସକାଳେ ସାଇକେଲ ଯୋଗେ ନିକଟସ୍ଥ ଦିପ୍ତୀ ପୁର ଗାଁକୁ ଟିଉସନ୍ ପଢ଼ିବାକୁ ଯାଉଥିଲେ। ସେହି ଗ୍ରାମର ଟଙ୍କଧର ନାଗଙ୍କ ପୁଅ କୈବଲ୍ୟ ନାଗ ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଇଥିଲା। କୈବଲ୍ୟ ଛାତ୍ରୀଙ୍କୁ ନେଇ ସୋହେଲା ଥାନା ଏଏସ୍ ଆଇ ବନମାଳି କୁଅଁରଙ୍କ ଭଡ଼ା ଘରେ ପହଞ୍ଚିଥିଲା।

ସେଠାରେ ନାବାଳିକାଙ୍କୁ କୈବଲ୍ୟ ଦୁଷ୍ମର୍ମ କରିଥିଲା। ଏହାପରେ ସେଠାରେ ନାବାଳିକାଙ୍କୁ ବାହାରୁ ଚାବି ପକାଇ ଫେରାର୍ ହୋଇଯାଇଥିଲା। ସନ୍ଧ୍ୟାରେ ଏଏସ୍ଆଇ କୁଅଁର ନିଜ ଭଡ଼ା ଘରେ ପହଞ୍ଚିବା ସହ ନାବାଳିକାଙ୍କୁ ଥାନା ପରିସରରେ ଥିବା ନିଜ କ୍ବାର୍ଟରକୁ ନେଇଯାଇଥିଲେ।
ସେତବେଳକୁ ନାବାଳିକା ଠିକ୍ ହୋସରେ ନଥିଲେ। ନାବାଳିକାଙ୍କ ସହ ଏଏସ୍ ଆଇ କୁଅଁର ରାତିସାରା ଅସଦାଚରଣ କରିଥିଲେ। ପରଦିନ ସକାଳେ ବସରେ ବସାଇ ନାବାଳିକାଙ୍କୁ ବରଗଡ଼ ପଠାଇ ଦେଇଥିଲେ। ଅପରପକ୍ଷରେ ନାବାଳିକାଙ୍କ ବାପା ମା ଥାନାରେ କୈବଲ୍ୟ ଝିଅକୁ ଅପହରଣ କରିନେଇଥିବା ନେଇ ଏତଲା ଦେଇଥିଲେ।

ଏହି ଖବର ଏଏସ୍ଆଇଙ୍କ ଜରିଆରେ କୈବଲ୍ୟ ଜାଣିବାକୁ ପାଇଥିଲା। ସେ ଫୋନ୍ ଯୋଗେ ନାବାଳିକାଙ୍କୁ ଜଣାଇଥିଲା ଯେ, ତାଙ୍କ ବାପା ମା ଥାନାରେ ଅଛନ୍ତି ତେଣୁ ସେ ତୁରନ୍ତ ଥାନାରେ ପହଞ୍ଚି ତାଙ୍କୁ ଦେଖା କରନ୍ତୁ। ଏହାପରେ ନାବାଳିକା ପୁଣି ବରଗଡ଼ରୁ ସୋହେଲାରେ ପହଞ୍ଚି ଏଏସ୍ ଆଇ ଙ୍କ ଘରପାଖକୁ ଯାଇଥିଲେ। ଜଣେ ଲୋକ ପଠାଇ ସେଠାରୁ ନାବାଳିକାଙ୍କୁ ଥାନାକୁ ଆଣିଥିଲେ ଏଏସ୍ଆଇ କୁଅଁର।

ଝିଅକୁ ପାଇବା ପରେ ତାଠାରୁ ସମସ୍ତ କଥା ଶୁଣି ନାବାଳିକାଙ୍କ ପିତା କୈବଲ୍ୟ ଓ ଏଏସ୍ଆଇ ବନମାଳି କୁଅଁର ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କୈବଲ୍ୟ ନାଗ ଓ ଏଏସ୍ ଆଇ ବନମାଳି କୁଅଁରଙ୍କୁ ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ପିଡ଼ୀତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି।