ଭାରତରେ ଚୀନ୍ର ୧୦ ଲକ୍ଷ ଗୁପ୍ତଚର ! ପ୍ରତ୍ୟେକ ଗତିବିଧି ଉପରେ ଡ୍ରାଗନ୍ ରଖୁଛି ନଜର, ଜାଣନ୍ତୁ କିଭଳି ହେଉଛି ସମ୍ଭବ ?

ନୂଆଦିଲ୍ଲୀ,୭।୩: ଚୀନର ଚାଲାକି ପୁଣି ଧରାପଡିଛି। ଏବେ ଚୀନ୍ର ନୂଆ ଷଡଯନ୍ତ୍ର ଖୁବ୍ ଭୟଙ୍କର। କୁହାଯାଉଛି ଯେ, ଭାରତରେ ଅଛନ୍ତି ଚୀନ୍ର ୧୦ ଲକ୍ଷ ଗୁପ୍ତଚର। ତେବେ ଏହି ଗୁପ୍ତଚର ମଣିଷ ନୁହେଁ, ଏସବୁ ହେଉଛି ସିସିଟିଭି। ଏହି ସିସିଟିଭି ଦ୍ବାରା ଭାରତର ସବୁ ଗତିବିଧି ଉପରେ ନଜର ରଖିଛି ଡ୍ରାଗନ୍। ଚୀନ୍ର କାର୍ଯ୍ୟକଳାପ ଉପରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରଣାଳୟର ନଜର ମଧ୍ୟ ରହିଛି। ବେଜିଂ ’ମେଡ୍ ଇନ୍ ଚାଇନା’ ସିସିଟିଭିକୁ ଡ୍ରାଗନ୍ ନିଜର ଗୁପ୍ତଚର ଭାବରେ ବ୍ୟବହାର କରୁଛି।

ଦେଶରେ ୧୦ ଲକ୍ଷ ସିସିଟିଭି କ୍ୟାମେରା ରହିଛି, ଯାହାକି ସାଇବର ସୁରକ୍ଷା ପାଇଁ ବଡ ବିପଦ। ଶସ୍ତା ହେବା କାରଣରୁ ଭାରତରେ ଚାଇନିଜ୍ ସିସିଟିଭିକୁ ବଡ ସ୍ତରରେ କିଣା ଯାଉଛି, କିନ୍ତୁ କେନ୍ଦ୍ରୀୟ ଏଜେନ୍ସି ଏହି ମାମଲାକୁ ନେଇ ଏବେ ସତର୍କ ରହିଛି। ଆମେରିକା, ବ୍ରିଟେନ୍ ଓ ଅଷ୍ଟ୍ରେଲିଆ ଭଳି ଦେଶ ଚୀନ୍ ପକ୍ଷରୁ ସିସିଟିଭି ଉପରେ କଟକଣା ଲଗାଇଛନ୍ତି।
ଏହା ଭିତରେ ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଗ ଇରିଙ୍ଗ ବିପଦର ଆଶଙ୍କା ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶରେ ଚୀନ୍ ନିର୍ମିତ ସିସିଟିଭି ଫୁଟେଜ୍ ଉପରେ କଟକଣା ଲଗାଇବାକୁ ଅନୁରୋଧ କରିଛନ୍ତି। ପାସିଘାଟ ପଶ୍ଚିମର ବିଧାୟକ ଇରିଙ୍ଗ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ମଧ୍ୟ ଚାଇନାର ସିସିଟିଭି କ୍ୟାମେରା ବ୍ୟବହାର ନକରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି,ଆବଶ୍ୟକତା ଅନୁଯାୟୀ ସିସିଟିଭି ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ସରକାର ଏକ ସ୍ୱଦେଶୀ କ୍ଲାଉଡ୍ ଆଧାରିତ ସର୍ଭର ଆରମ୍ଭ କରିବାକୁ ଚିନ୍ତା କରିପାରନ୍ତି। ସେ ତାଙ୍କ ଚିଠିରେ କହିଛନ୍ତି, ଆଇଟି କ୍ଷେତ୍ରରେ ଭାରତର କୌଶଳକୁ ଦୃଷ୍ଟିରେ ରଖି ଆମେ ଜାତୀୟ ସୁରକ୍ଷା ପାଇଁ ଏହି ବିପଦର ମୁକାବିଲା କରିବାକୁ ଆମେ ସକ୍ଷମ ଅଟୁ।