ପୁରୀ,୦୯/୦୨: ପରିଚୟ ଖୋଜୁଛି ଶ୍ରୀକ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ସ୍ଥାନ ତାଳବଣିଆ । ମହାପ୍ରଭୁଙ୍କ ଶ୍ରୀମନ୍ଦିର ପାଇଁ ଏହିଠାରୁ ତାଳ ପତ୍ର ଯାଇ ଭୋଗେଇ ପ୍ରସ୍ତୁତ ହେଉଥିଲା । ଏବେ ତାଳ ଗଛ ଦେଖିବା ତ ସ୍ୱପ୍ନ ସମଗ୍ର ତାଳବଣିଆ ଅଞ୍ଚଳ ବିପର୍ଯ୍ୟସ୍ତ ପଡ଼ିଛି । ଭାରି ଅଳିଆ ହୋଇଗଲାଣି ତାଳବଣିଆ । ବେଲଗାମ୍ ଭୋଜିରୁ ବାହାରୁଥିବା ବର୍ଜ୍ୟବସ୍ତୁ ସେଠାରେ ଗଦା ହେଉଛି । ୧୦୦ ଏକର ଭଳି ଜଙ୍ଗଲ ଜରିମୟ ହେଲାଣି । ଏପଟେ ତାଳବଣିଆରେ ଜରି ଗଦା ହେବାରେ ବର୍ଷା ଜଳ ସଂରକ୍ଷଣରେ ବାଧା ଉପୁଜି ମଧୁର ଜଳ ସ୍ତର ମଧ୍ୟ ହ୍ରାସ ପାଉଛି । ବିଭିନ୍ନ ସମୟରେ ତାଳବଣିଆ ପରିବେଶରେ ସୁଧାର ପାଇଁ କିଛି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଉଦ୍ୟମ କରିଛନ୍ତି । ହେଲେ ସରକାରଙ୍କ ଆନ୍ତରିକତା ନରହିବାରେ ତାଳବଣିଆ ଅଞ୍ଚଳ ଏବେ ଅନାଥ ଭଳି ପଡ଼ିଛି ।

ସହର ଭିତରେ ଏତେ ବଡ଼ ଜଙ୍ଗଲ କହିଲେ କେବଳ ତାଳବଣିଆ । ଦଶନ୍ଧି ଦଶନ୍ଧି ଧରି ଅବହେଳିତ ତଥା ଟାଙ୍ଗରା ପଡ଼ିଥିବା ଅଞ୍ଚଳରେ ୧୨/୧୪ ବର୍ଷ ପୂର୍ବେ ବନ ବିଭାଗ ବିଭିନ୍ନ ରକମର ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଥିଲା । ପରେ ବିସ୍ତୀର୍ଣ୍ଣ ଜଙ୍ଗଲକୁ ସ୍ୱଳ୍ପ କର୍ମଚାରୀଙ୍କୁ ଜଗାଇ ତାଳବଣିଆ ଯତ୍ନ କଥା ପୂରା ପାସୋରିଗଲା ପ୍ରଶାସନ । ଇତିମଧ୍ୟରେ ସରକାରଙ୍କ ନାକ ତଳେ ତାଳବଣିଆ ଅଳିଆବଣ ଓ ଅସାମାଜିକ କାର୍ଯ୍ୟର ପେଣ୍ଠରେ ପରିଣତ ହେଲା । ଭୋଜି ବାର ପଡ଼ିଲେ ଶହ ଶହ ବ୍ୟକ୍ତି ଭୋଜି କରୁଛନ୍ତି । ମଦ ମାଂସର ଆସର ଜମୁଛି । ଏପରିକି ଅନେକ ସମୟରେ ସିଗାରେଟ୍ ଝୁଲ ହେଉ ଚୁଲିରୁ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେଉଛି । ଭୋଜିରୁ ବାହାରୁଥିବା ବର୍ଜ୍ୟବସ୍ତୁ ସେହିଠାରେ ଗଦା ହେଉଛି । ପୁଣି କିଛି ବ୍ୟକ୍ତି ଓ ଖାଦ୍ୟ ଦୋକାନୀ କଠିନ ମଇଳା ଆଣି ତାଳବଣିଆରେ ଗଦାଉଛନ୍ତି । କୌଣସି ବ୍ୟବସ୍ଥା କିମ୍ବା ନିୟମ ନଥାଇ ଏତେ ବଡ଼ ଜଙ୍ଗଲକୁ ସ୍ୱଳ୍ପ ବନ ବିଭାଗ କର୍ମଚାରୀ ଜଗିବା ମୁସ୍କିଲ ହେଉଛି ।

ସ୍ଥାନୀୟ ବାସିନ୍ଦା ସତ୍ୟପ୍ରିୟ ସାହୁଙ୍କ କହିବା କଥା, ଜଙ୍ଗଲର ବାପା ମା’ କେହି ନଥିବାରେ ଅସାମାଜିକଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି । ନିଶା ବେପାର ଠାରୁ ବନ୍ଧୁକ କାରବାର ଓ ସହରରେ ବିଭିନ୍ନ ଅପରାଧର ବ୍ଲୁପ୍ରିଣ୍ଟ ତିଆରି ହେଉଛି । କିଛି ଦିନ ପୂର୍ବେ ପୁଲିସ ତନାଘନା କରିଥିଲା । ପାଟ୍ରୋଲିଂ ହୁଗୁଳା ହେବାରେ ପୁଣି ଆଡ୍ଡା ଜମାଇଲେଣି ଅସାମାଜିକ। ଏଥିସହ ଜଙ୍ଗଲରେ ହରିଣ, ବିଲୁଆ, ନେଉଳ ଓ ଗଧିଆ ଆଦି ବହୁ ଜୀବଜନ୍ତୁ ରହୁଛନ୍ତି । ବାଲୁଖଣ୍ଡ ଅଭୟାରଣ୍ୟରେଖାଦ୍ୟାଭାବରୁ ହରିଣମାନେ ଖାଦ୍ୟ ଅନ୍ୱେଷଣରେ ତାଳବଣିଆକୁ ଘର କରିନେଇଛନ୍ତି । ଖାଦ୍ୟ ସଙ୍ଗେ ଜରି ଖାଇ ସେମାନଙ୍କ ଜୀବନ ମଧ୍ୟ ସଙ୍କଟାପନ୍ନ ହେଉଛି ।

ଆଲୋଚକମାନେ କୁହନ୍ତି, ତାଳବଣିଆରେ ମଧୁର ଜଳ ଗଛିତ ନାହିଁ । ବର୍ଷା ଜଳ ମାଟି ତଳେ ସଂରକ୍ଷିତ ହୋଇ ମଧୁର ଜଳ ଭାବେ ବ୍ୟବହୃତ ହୁଏ । ଏବେ ତାଳବଣିଆରେ ବର୍ଜ୍ୟବସ୍ତୁ ଗଦା ହେବାରେ ମଧୁର ଜଳକୁ ସଙ୍କଟ ପଡ଼ିଛି । ବର୍ଷ ବର୍ଷ ଧରି କ୍ୱିଣ୍ଟାଲ କ୍ୱିଣ୍ଟାଲ ଓଜନର ଜରି ବାଲିରେ ଗଦା ହେବାରେ ବର୍ଷା ଜଳ ବାଲିକୁ ଭେଦୁନି । ଏଣୁ ତାଳବଣିଆରେ ମଧୁର ଜଳ ସ୍ତର ଚିନ୍ତାଜନକ ଭାବେ ହ୍ରାସ ପାଉଛି ।

ତାଳବଣିଆର ଏଭଳି ଦୁରାବସ୍ଥା କିଛି ଯୁବସଙ୍ଗଠକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏନେଇ ସେମାନେ ପ୍ରଶାସନିକ ଉଦାସୀନତା ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ଯୁବ ସଂଗଠକ ପ୍ରଦୀପ୍ତ କୁମାର ପ୍ରଧାନ, ବିପ୍ଳବ କୁମାର ଦାଶ, ଦୀପକ କୁମାର ପ୍ରଧାନଙ୍କ କହିବା କଥା, ପର୍ଯ୍ୟଟନ ସ୍ଥଳୀରେ ପ୍ରାକୃତିକ ପରିବେଶର ସୁରକ୍ଷା ସହ ଲୋକଙ୍କ ଚିତ୍ତବିନୋଦନ ପାଇଁ ବିଭିନ୍ନ ବ୍ୟବସ୍ଥା ଓ ନିୟମ ଲାଗୁ କରାଯାଉଛି । ରାମଚଣ୍ଡୀ ମନ୍ଦିର ନିକଟ ଜଙ୍ଗଲରେ ଭୋଜିଭାତ ପାଇଁ ଏକ ବ୍ୟବସ୍ଥାବଳୀ ଲାଗୁ ହୋଇଛି । ଆଗନ୍ତୁକ ଯଦି ଭୋଜି କରିବାକୁ ଚାହୁଁଛନ୍ତି ମୁଣ୍ଡ ପିଛା ଅତି କମ୍ ଅର୍ଥ ରଖି ପରିବେଶକୁ ସଫାସୁତୁରା ରଖାଯାଇପାରୁଛି । ସହର ଭିତରେ ଏକମାତ୍ର ଜଙ୍ଗଲ ହେତୁ ଲୋକେ ଆସୁଛନ୍ତି କିଛି ସମୟ ବିତାଇବା ପାଇଁ । ହେଲେ ଏଠାରେ ପ୍ରାୟତଃ ଭୋଜି ଓ ନିଶା ଆସର ଆୟୋଜିତ ହେଉଛି । ସୁରକ୍ଷା ମିଳୁ ନଥିବାରୁ ପରିବାର ଧରି ସହରବାସୀ ଏଠାକୁ ଆସିବାକୁ ମଙ୍ଗୁନାହାନ୍ତି । ଲୋକଙ୍କ ସୁବିଧା ତଥା ତାଳବଣିଆର ପ୍ରାକୃତିକ ପରିବେଶ ଓ ସୌନ୍ଦର୍ଯ୍ୟ ରକ୍ଷା ପାଇଁ ଯୁବ ସଙ୍ଗଠକମାନେ ଦାବି କରୁଛନ୍ତି ।

ଆହୁରି ପଢ଼ନ୍ତୁ :- ଭୁବନେଶ୍ବର ମର୍ଡର ମିଷ୍ଟ୍ରିରେ ନୂଆ ଟୁଇଷ୍ଟ୍, ଟ୍ୟାକ୍ସି ଡ୍ରାଇଭରଙ୍କ ହତ୍ୟା ପଛରେ ପାର୍ଲର ଗର୍ଲ ପ୍ରେମିକା !