ଭୁବନେଶ୍ଵର, ୧୫/୦୭ : ଦେଶରେ ଏମିତି ଚୋରି ହେଉଛି, ଯେଉଁଠି ନା ତାଲା ଭାଙ୍ଗିବାକୁ ପଡେ, ନା ସିସିଟିଭିରେ ଚୋରଙ୍କ ମୁହଁ କଏଦ ହୁଏ... ଏମିତିକି ପୁଲିସର ବି ଭୟ ନାହିଁ। ପୁରା ନିର୍ଭୟରେ ପ୍ରତି ବର୍ଷ କୋଟି କୋଟି ଟଙ୍କାର ଏଭଳି ଚୋରି ହେଉଛି। ଆଉ ସବୁଠୁ ବଡ଼ କଥା ହେଲା, ଏକଥା ସମସ୍ତେ ଜାଣୁଛନ୍ତି, ହେଲେ ଚୋରିର ଠିକଣା କେବେ ବଦଳୁନି। ଏ କାହାଣୀ ହେଉଛି କିଛି ସଭ୍ୟ ଚୋରଙ୍କର। ଯେଉଁମାନେ ହଜାର ହଜାର ଟଙ୍କା ଦେଇ ଟ୍ରେନର ଏସି କୋଚ୍ ରେ ଯାତ୍ରା କରନ୍ତି। ଆଉ ଯାତ୍ରା ଶେଷ ହେବା ପରେ ନିଜ ସହ ରେଲୱେ ଚାଦର, ତକିଆ କିମ୍ଵା ଟାୱଲ ନେଇ ଚାଲିଯାଆନ୍ତି। ତେବେ ଏକଥା ଆମେ କହୁନୁ। ଆରଟିଆଇ ରିପୋର୍ଟରୁ ଏହାର ଖୁଲାସା ହୋଇଛି। କେଉଁ ଡିଭିଜନରୁ କେତେ ଚୋରି ହୋଇଛି, କେତେ ଚାଦର ଗାଏବ ହୋଇଛି ? ଏବଂ ରେଲୱେ କେତେ କୋଟି ଟଙ୍କାର ଚୂନା ଲଗାଯାଇଛି।
ପ୍ରତି ରାତିରେ ଭାରତୀୟ ରେଲୱେରେ ପ୍ରାୟ ୮ ଲକ୍ଷ ଏସି ଯାତ୍ରୀ ଟ୍ରେନ୍ ର ବିଛଣା ବ୍ୟବହାର କରନ୍ତି । ଏଥିରେ ସାଧାରଣତଃ ୨ ବେଡସିଟ୍, ଗୋଟିଏ କମ୍ବଳ, ଗୋଟିଏ ତକିଆ ଖୋଳ ଓ ଏକ ମୁହଁ ପୋଛା ତଉଲିଆ ଥାଏ । ଏହି ସେବା ଟିକଟ ସହିତ ମିଳେ । ଟ୍ରେନରେ ଏସି କୋଚରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ବେଡ୍ ରୋଲ୍ ସେଟ୍ ଦିଆଯାଏ। ହେଲେ ଏହି ସଭ୍ୟ ଯାତ୍ରୀମାନେ ସେମାନଙ୍କ ସଫର ଶେଷ ହେବା ମାତ୍ରେ ନିଜ ବ୍ୟାଗରେ ଚାଦର, ତକିଆ କିମ୍ଵା ଟାୱଲ ଠୁସି ନିଅନ୍ତି। ପ୍ରତି ଏକ ହଜାର ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ଜଣେ ବିଛଣା ପ୍ୟାକେଟ୍ ରୁ ଅତିକମ୍ ରେ ଖଣ୍ଡେ ସାଙ୍ଗରେ ନେଇଯାଆନ୍ତି । ଆରଟିଆଇରୁ ଆସିଥିବା ରିପୋର୍ଟ ଅନୁସାରେ, ୨୦୨୨ ଜାନୁଆରୀରୁ ୨୦୨୬ ମେ ଭିତରେ ଭାରତୀୟ ରେଲୱେରୁ ୧ କୋଟି ୨୭ ଲକ୍ଷ ଚାଦର ଗାଏବ ହୋଇଯାଇଛି। ଅର୍ଥାତ୍, ଲକ୍ଷ ଲକ୍ଷ ଯାତ୍ରୀ ସେମାନଙ୍କ ଯାତ୍ରା ସମାପ୍ତ ହେବାପରେ ରେଲୱେର ଜିନିଷକୁ ନିଜ ମାଲ୍ ଭାବି ଉଠାଇ ନେଇଛନ୍ତି। ସବୁଠୁ ବଡ଼ କଥା ହେଲା ୨୦୨୨ ରୁ ୨୫ ମଧ୍ୟରେ ଏଭଳି ଚୋରି ୫୬ ପ୍ରତିଶତ ବୃଦ୍ଧି ପାଇଛି। ଥରେ ଭାବନ୍ତୁ ତ, ଏହି ଘଟଣା କେବଳ ବେଡସିଟ୍ ଚୋରିର ନୁହେଁ, ଏହା ଜଣେ ନାଗରିକର ଚରିତ୍ର ଏବଂ ସଚ୍ଚୋଟତାର ହରଣ। ଯାହାକି ସମାଜକୁ ଆଇନା ଦେଖାଇଛି।
ଆରଟିଆଇ ଅଧୀନରେ ଭାରତୀୟ ରେଲୱେ ସମସ୍ତ ୬୯ ଡିଭିଜନକୁ ଆବେଦନ କରିଥିଲା । ୧୮ ରେଲୱେ ଜୋନ୍ ମଧ୍ୟରୁ ୫୪ ଡିଭିଜନ୍ରୁ ଜବାବ ମିଳିଲା । କିଛି ଡିଭିଜନ୍ ଅଧୁରା ସୂଚନା ଦେଇଥିଲେ । ଏହି ରେକର୍ଡରୁ ଜଣାପଡ଼ିଲା, କୋଭିଡ୍ ପରେ ୨୦୨୨ ପରଠୁ ଚଳିତ ବର୍ଷ ମେ’ ମାସ ମଧ୍ୟରେ ଟ୍ରେନ୍ ରୁ ଅତିକମରେ ୧ କୋଟି ୨୭ ଲକ୍ଷ ଚାଦର ଚୋରି ହୋଇଛି । ଏହି ଚୋରି ଯୋଗୁ ୪ ବର୍ଷରେ କଣ୍ଟ୍ରାକ୍ଟରମାନଙ୍କର ୧୦୪ କୋଟି ୫୧ ଲକ୍ଷ କ୍ଷତି ହୋଇଛି । ଏହି ଅର୍ଥ ଅଧିକାଂଶ ସମୟରେ କୋଚ୍ ଆଟେଣ୍ଡାଣ୍ଟଙ୍କ ଦରମାରୁ କଟାଯାଏ । ଯାହାକି ଏକ ଗମ୍ଭୀର ମାମଲା। ତେବେ ରେଲୱେର ୭ଟି ଜୋନ୍ ର ୧୦ ଡିଭିଜନ୍ ରେ ମୋଟ ବିଛଣା ସାମଗ୍ରୀ ଚୋରିର ୬୭% ରେକର୍ଡ ହୋଇଛି। ଏଥିରେ ବିକାନେର, ଯୋଧପୁର ଓ ଜୟପୁର (ରାଜସ୍ଥାନ ସମେତ), ରାଞ୍ଚି, ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ସୋନପୁର ଓ ଦାନାପୁର ଏବଂ ବିଲାସପୁର ରହିଛି । ଚୋରି ସାମଗ୍ରୀ ମଧ୍ୟରେ ତଉଲିତା ଶୀର୍ଷରେ ରହିଛି। ତେବେ ତଉଲିଆ ସାଙ୍ଗରେ ନେବା ସହଜ ହେଉଥିବାରୁ ୪ ବର୍ଷ ମଧ୍ୟରେ ୪୬ ଲକ୍ଷ ୫୪ ହଜାର ତଉଲିଆ ଚୋରି ହୋଇଛି । ସେହିପରି ୪୧ ଲକ୍ଷ ୧୩ ହଜାର ବେଡସିଟ୍, ୨୩ ଲକ୍ଷ ୫୯ ହଜାର ତକିଆ ଖୋଳ, ୧୨ ଲକ୍ଷ ୯୫ ହଜାର କମ୍ବଳ, ଏବଂ ୨ ଲକ୍ଷ ୭୬ ହଜାର ତକିଆ ଚୋରି ହୋଇଛି। ବିକାନେର ଏବଂ ରାଞ୍ଚିରେ ସର୍ବାଧିକ ଚୋରି ରେକର୍ଡ ହୋଇଛି ।
ଏବେ ସବୁଠୁ ବଡ଼ ପ୍ରଶ୍ନ ଏହା ଲୋକଙ୍କ କି ପ୍ରକାର ମାନସିକତା ? କଣ ଏହି ଚୋରି କେବଳ ରେଲୱେ ଯାଏଁ ସୀମିତ ? ଆଜି ଆପଣଙ୍କୁ ଏମିତି ଚୋରିର ଉଦାହରଣ ଦେବୁ ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ୨୦୨୪ ସେପ୍ଟେମ୍ଵରରେ ମୁମ୍ଵାଇରୁ ଏକ ଖବର ଆସିଥିଲା, ୬ ମାସ ଭିତରେ ୨୨୦ ମ୍ୟାନହୋଲ୍ ର ଢକନ ଚୋରି ହୋଇଯାଇଥିଲା। ୨୦୨୫ ନଭେମ୍ଵରରେ ହରିୟାଣରେ ନ୍ୟାସନାଲ ହାଇୱେରୁ ୪୦ ଷ୍ଟ୍ରିଟ୍ ଲାଇଟ୍ ର ୱାୟାର ଚୋରି ହୋଇଥିଲା। ଅର୍ଥାତ୍ ସଡ଼କ ଆପଣଙ୍କର, ବିଜୁଳି ସରକାରଙ୍କର ହେଲେ ୱାୟାରକୁ ଆଉ କେହି ହଜମ କରିଦେଲା। ସେହିପରି ୨୦୨୫ରେ ୟୁପିର ଗାଜିଆବାଦରୁ ଆଉ ଏକ ଖବର ସାମ୍ନାକୁ ଆସିଥିଲା। ଦୁଇ ଜଣ ଚୋର ଡ୍ରେନ୍ ଉପରେ ଲାଗିଥିବା ଢକନକୁ ରିକ୍ସାରେ ଲଦି ନେଇଗଲେ। ଏପରିକି ରାସ୍ତାରୁ ପିଚୁ ଚୋରାଇବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯାହାକି ଚିନ୍ତାଜନକ ବିଷୟ। କାରଣ ଭାରତର ଏହି ସମସ୍ୟା ଏବେ କେବଳ ଲୋକାଲ୍ ହୋଇନାହିଁ, ଏହା ଗ୍ଲୋବାଲ୍ ହୋଇସାରିଲାଣି। କିଛି ମାସ ତଳେ ଆମେରିକାରେ ଜଣେ ଭାରତୀୟ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ମହିଳା ଜଣଙ୍କ ଏକ ଦୋକାନରୁ ସାମଗ୍ରୀ ଚୋରି କରି ଧରାପଡ଼ିଥିଲେ ଏବଂ ଆମେରିକୀୟ ଅଧିକାରୀଙ୍କୁ କାନ୍ଦି କାନ୍ଦି କ୍ଷମା ମାଗୁଥିଲେ। ବାଲିରେ ଜଣେ ଭାରତୀୟ ହୋଟେଲରୁ କିଛି ସାମଗ୍ରୀ ଚୋରି କରି ଧରା ପଡ଼ିଥିଲେ। ତେବେ ଏହି ସମସ୍ତ ଘଟଣା ଭିନ୍ନ ହୋଇଥାଇପାରେ, ହେଲେ ଏହା ପଛର ଉଦ୍ଦେଶ୍ୟ ସମାନ। ଯେତେବେଳେ ବିଦେଶରେ ଜଣେ ନାଗରିକ ଏଭଳି କାମ କରି ଧରାପଡ଼ୁଛନ୍ତି, ସେତେବେଳେ ଦୁନିଆରେ ଭାରତର ଛବି ଖରାପ ହେଉଛି। ଭାରତୀୟମାନେ ମଜାକର ବିଷୟ ପାଲଟୁଛନ୍ତି।
କୌଣସି ଦେଶର ପରିଚୟ ତାର ଜିଡିପି, ସାମରିକ ଶକ୍ତି କିମ୍ଵା ଟେକ୍ନୋଲୋଜି ଦ୍ଵାରା ହୋଇଥାଏ। ସେହିପରି ଆଉ କିଛି ଦେଶ ମେଧାବୀ ନାଗରିକ ଏବଂ ପ୍ରଗତି ପାଇଁ ପରିଚିତ ହୋଇଥାନ୍ତି। ହେଲେ ଭାରତରେ ରେଲୱେକୁ ନେଇ ଏହି ଖବର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଯଦି ଆପଣ ଏଭଳି କରୁଥାନ୍ତି, ତାହେଲେ ଭାରତୀୟ ନାଗରିକ ହିସାବରେ ନିଜକୁ ଥରେ ପ୍ରଶ୍ନ କରନ୍ତୁ। ସରକାରୀ ସମ୍ପତ୍ତିକୁ ନେଇ ଆମ ଦାୟିତ୍ଵବୋଧ କଣ ? ଆମେ କେତେ ସଚ୍ଚୋଟ ? ଏବଂ ଜଣେ ନାଗରିକ ହିସାବରେ କେଉଁଠି ଅଛେ। ଏହି ଘଟଣାକୁ ନେଇ ପ୍ରତିଟି ନାଗରିକ ମାନସ ମନ୍ଥନ କରିବା ଉଚିତ୍।