ଭୁବନେଶ୍ବର, ୯।୫ : ବାଲିଅନ୍ତାରେ ଜିଆରପି କନେଷ୍ଟବଲ ସୈାମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ମାମଲାରେ ଗିରଫ ସଂଖ୍ୟା ୧୧ରେ ପହଞ୍ଚିଛି। ପୂର୍ବରୁ ୫ ଜଣ ଗିରଫ ହୋଇଥିବା ବେଳେ ଶନିବାର ଆଉ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ତେବେ ଏହି ଗିରଫ ସଂଖ୍ୟା ଆହୁରି ବଢିପାରେ। ଘଟଣାସ୍ଥଳର ଆଖପାଖ ଗାଁ ଗୁଡ଼ିକୁ ଗିରଫଦାରୀ ଭୟ ଘାରିଛି। ପୁରୁଷମାନେ ଘର ଛାଡ଼ି କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି। ସେପଟେ ସିସିଟିଭି ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବାଲିଅନ୍ତା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ଡ଼ିସିପିଙ୍କ ସୂଚନା ଅନୁସାରେ ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି। ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଯେଉଁ ମାନେ ଯୁବକଙ୍କୁ ମାଡ଼ ମାରିଛନ୍ତି ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅନ୍ୟପକ୍ଷରେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସାଙ୍ଗ ଓମ୍ ପ୍ରକାଶ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି।ସୌମ୍ୟ ଓ ସେ ଗୋଟିଏ ବାଇକରେ  ଓଲଟପୁରସ୍ଥିତ ମଉଜପୁରରୁ ଭୁବନେଶ୍ୱର ସତ୍ୟବିହାର ଜିମ୍କୁ ଆସୁଥିଲେ । ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ପାର ହେବା ପରେ ମନିପର୍ସ ଘରେ ଛାଡ଼ି ଆସିଛି ବୋଲି ସୌମ୍ୟ କହିଥିଲେ । ଓମ୍ ଗାଡ଼ି ବୁଲାଇ ଘର ମୁହାଁ ହୋଇଥିଲା । ଏହି ସମୟରେ ହଠାତ୍ ସୌମ୍ୟଙ୍କୁ ବାତ ମାରିଥିଲା । ସେ ଅସ୍ୱାଭାବିକ ଆଚରଣ ଦେଖାଇଲେ । ଓମଙ୍କ ବେକକୁ ସୌମ୍ୟ ଜୋରରେ  ଧରି ପକାଇଥିଲେ । ଓମ୍ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏହି ସମୟରେ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କ ସହ ତାଙ୍କ ବାଇକ୍ ଧକ୍କା ହୋଇଥିଲା । ସମସ୍ତେ ତଳେ ପଡ଼ି ଯାଇଥିଲେ । ଦୁର୍ଘଟଣାକୁ ନେଇ ସାମାନ୍ୟ ପାଟି ତୁଣ୍ଡ ହୋଇଥିଲା ।ଯୁବତୀଙ୍କୁ ଅସଦାଚରଣ ଘଟଣାକୁ ସେ ଅସ୍ବୀକାର କରିଛନ୍ତି।