ସୁବର୍ଣ୍ଣପୁର, ୨୪/୧୦ : ଏନଏସି ଦାବିରେ ୧୨ ଘଣ୍ଟିଆ ସୁବଳୟା ବନ୍ଦ ଡାକରା। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ସୁବଳୟା ଏନଏସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଏହା ପ୍ରଭାବରେ ଦୋକାନ ବଜାର ସବୁକିଛି ବନ୍ଦ ରହିଛି।
ସୂଚନା ଥାଉକି, ଗତ ସରକାର ସୁବଳୟାକୁ ଏନଏସି ଘୋଷଣା କରିଥିଲେ ମଧ୍ୟ ନୂତନ ସରକାର ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସୁବଳୟା ଏନଏସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୈଠକ କରି ଆଜି ୧୨ ଘଣ୍ଟିଆ ବନ୍ଦ କରିଛନ୍ତି। ବନ୍ଦ ପ୍ରଭାବରେ ଦୋକାନ ବଜାର, ସ୍କୁଲ କଲେଜ ଓ ଗାଡ଼ି ମଟର ସବୁ କିଛି ବନ୍ଦ ଥିବା ଦେଖାଯାଇଛି। କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ବିଭିନ୍ନ ସ୍ଲୋଗାନ ଦେଇ ପିକେଟିଂ କରି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ସୋନପୁର ରେଢ଼ାଖୋଲ ସମ୍ବଲପୁର ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଜରୁରୀ ସେବାକୁ ବାଦ ଦେଲେ ସବୁ କିଛି ବନ୍ଦ ହୋଇ ପଡିଛି।