ନୂଆଦିଲ୍ଲୀ, ୯।୮: ଗରିବ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ୩୦୦ ଟଙ୍କାର ଉଜ୍ଜ୍ୱଳା ସବ୍‌ସିଡି ୨୦୨୫- ୨୬ରେ ଜାରି ରହିବ । ଏଥିପାଇଁ ୧୨ ହଜାର କୋଟି ଟଙ୍କା ମଞ୍ଜୁର କରିଛି କେନ୍ଦ୍ର କ୍ୟାବିନେଟ୍‌ । ତେବେ ଏଲ୍‌ପିଜି ସିଲିଣ୍ଡରକୁ ସବ୍‌ସିଡି ଦରରେ ବିକ୍ରି ଯୋଗୁଁ ହେଉଥିବା କ୍ଷତିପୂରଣ ବାବଦ ସରକାର ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି ଟଙ୍କା ଯୋଗାଇ ଦେବେ । କମ୍ପାନିଗୁଡ଼ିକୁ ଏହି ରାଶି ୧୨ଟି କିସ୍ତିରେ ମିଳିବ । ଶୁକ୍ରବାର କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସୂଚନା ଦେଇଛନ୍ତି । ଦେଶରେ ଆଇଓସିଏଲ୍‌, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ ଭଳି ସରକାରୀ ତୈଳ କମ୍ପାନିଗୁଡ଼ିକ ଘରୋଇ ଏଲ୍‌ପିଜି ସିଲିଣ୍ଡର ବିକ୍ରି କରିଥାନ୍ତି । ଏହି ସିଲିଣ୍ଡର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ମିଳିଥାଏ । ଏହା ବଜାର ନିୟନ୍ତ୍ରିତ ନୁହେଁ । ଅଧିକ ଦରରେ କିଣି କମ୍‌ରେ ବିକ୍ରି କରି ତୈଳ କମ୍ପାନିଗୁଡ଼ିକୁ ବିପୁଳ ମାତ୍ରାରେ କ୍ଷତି ସହିବାକୁ ପଡ଼ିଛି । ତେଣୁ ୩୦,୦୦୦ କୋଟି ଟଙ୍କାର କ୍ଷତିପୂରଣକୁ ଅନୁମୋଦନ ମିଳିଛି । 

ସୂଚନାଯୋଗ୍ୟ, ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ୧୪.୨ କିଲୋଗ୍ରାମ ଏଲ୍‌ପିଜି ସିଲିଣ୍ଡର ଉପରେ ୩୦୦ ଟଙ୍କାର ସବ୍‌ସିଡି ମିଳିଥାଏ । ବର୍ଷକରେ ୯ଟି ସିଲିଣ୍ଡର ନିଆଯାଇପାରିବ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‌ୟୁୱାଇ) ୨୦୧୬ ମେ’ରେ ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଗରିବ ପରିବାରର ମହିଳାମାନଙ୍କୁ ମାଗଣାରେ ଏଲ୍‌ପିଜି ସଂଯୋଗ ଦେବା, ଯାହାଦ୍ୱାରା ସେମାନେ କାଠ କିମ୍ବା କୋଇଲା ଭଳି ହାନିକାରକ ଇନ୍ଧନ ବଦଳରେ ଗ୍ୟାସ୍‌ରେ ରୋଷେଇ କରିପାରିବେ । ୨୦୨୫ ଜୁଲାଇ ୧ ସୁଦ୍ଧା ଦେଶବ୍ୟାପୀ ପିଏମ୍‌ୟୁୱାଇ ଅଧୀନରେ ୧୦.୩୩ କୋଟି ସଂଯୋଗ ଦିଆଯାଇଛି । ଉଜ୍ଜ୍ୱଳା ୨.୦ ଅନ୍ତର୍ଗତ ପ୍ରଥମ ରିଫିଲ୍‌ ଏବଂ ଷ୍ଟୋଭ୍‌ ମାଗଣାରେ ମିଳିଥାଏ ।