ନୂଆଦିଲ୍ଲୀ ୨୫/୦୩: ଆମେରିକାର ଟେନେସୀ ସ୍ଥିତ ମେମ୍‌ଫିସ ସହର ବାସିନ୍ଦା ୧୨ ବର୍ଷୀୟା ଜ୍ୟାକ୍‌ସନ ଓସ୍‌ୱାଲ୍ଟଙ୍କୁ ନେଇ ଚର୍ଚ୍ଚା । ଅନନ୍ୟ କୃତିତ୍ୱ ପାଇଁ ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ ତାଙ୍କ ପାଖକୁ ଗସ୍ତ କରିଛି । ଓସ୍‌ୱାଲ୍ଟ ନିଜ ଶୟନକକ୍ଷରେ ଏକ ନ୍ୟୁକ୍ଲିୟର ଫ୍ୟୁଜନ୍‌ ରିଆକ୍ଟର ନିର୍ମାଣ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଏକ ପୋଷ୍ଟ୍‌ ଜରିଆରେ ଓସ୍‌ୱାଲ୍ଟ ନିଜର ଏହି ଉଦ୍ଭାବନର ସଫଳ ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି । ନିଜର ୧୩ତମ ଜନ୍ମଦିନ ପୂର୍ବରୁ ସେ ଏହି କୃତିତ୍ୱ ହାସଲ କରିଛନ୍ତି । ନିଜକୁ ପ୍ରମାଣ କରିବା ଉପରେ ତାଙ୍କର ପୂରା ଫୋକସ୍‌ ଥିଲା । ଦିନେ ସେ ଟେଲର୍‌ ୱିଲ୍‌ସନଙ୍କ ଟେଡ୍‌ ଟକ୍‌ ସଂସ୍ପର୍ଶରେ ଆସିଲେ, ଯେଉଁଥିରେ ସେ ୨୦୦୮ ମସିହାରେ ୧୪ ବର୍ଷ ବୟସରେ ନିୟନ୍ତ୍ରିତ ନ୍ୟୁକ୍ଲିୟର ଫ୍ୟୁଜନ୍‌ ନିର୍ମାଣରେ ସଫଳ ହୋଇଥିବା ବିଷୟରେ କହିଲେ । ଏହା ଶୁଣୀ ଓସ୍‌ୱାଲ୍ଟ ସେହିଭଳି କିଛି ନିର୍ମାଣ କରିବାକୁ ଚିନ୍ତାକଲେ । 

ସେ ଏକ୍ସ ପୋଷ୍ଟ୍‌ରେ ଲେଖିଛନ୍ତି, ୱିଲ୍‌ସନଙ୍କ କୃତିତ୍ୱ ତାଙ୍କ ଆଖି ଖୋଲିଦେଲା । ଜଣେ ଛୋଟ ପିଲା ମଧ୍ୟ ନିଶ୍ଚୟ କିଛି କରିପାରିବ ବୋଲି ସେ ଚିନ୍ତାକଲେ । ଏହା ପରେ ୧୧ ବର୍ଷ ବୟସରେ ନ୍ୟୁକ୍ଲିୟର ଫ୍ୟୁଜନ୍‌ ରିଆକ୍ଟର ନିର୍ମାଣ କରିବାକୁ ସେ ନିଷ୍ପତ୍ତି ନେଲେ । ଓସ୍‌ୱାଲ୍ଟ ପ୍ରଥମେ ନ୍ୟୁକ୍ଲିୟର ଫ୍ୟୁଜନ୍‌ ନିର୍ମାଣ ପଛର ବିଜ୍ଞାନକୁ ଅଧ୍ୟୟନ କଲେ । ତା’ପରେ ଏକ ଡେମୋ ଫ୍ୟୁଜର୍‌ ନିର୍ମାଣ କଲେ । ତା’ପରେ ସେ ପୁନଃ ଏକ ଭାକ୍ୟୁମ୍‌ ଚାମ୍ବର ନିର୍ମାଣ କଲେ । ଇବେ ସାଇଟ୍‌ରୁ ଏକ ଟର୍ବୋମୋଲିକ୍ୟୁଲାର ପମ୍ପ୍‌ ଆଣିଲେ । ଇନ୍ଧନ ପାଇଁ ଡ୍ୟୁଟୋରିୟମ୍‌ର ପ୍ରବନ୍ଧନ କଲେ ଏବଂ ଟାଣ୍ଟାଲମ୍‌ରୁ ଇନର୍‌ ଗ୍ରୀଡ୍‌ର ପୁନଃନିର୍ମାଣ କଲେ । ପ୍ରାୟ ପ୍ରତ୍ୟେକ ଉପକରଣ ସେ ଇବେରୁ ପାଇଲେ । ପ୍ରାୟ ବର୍ଷେ କାମ କରିବା ପରେ ରିଆକ୍ଟର କାମ କରିବା ଆରମ୍ଭ କଲା ବୋଲି ଓସ୍‌ୱାଲ୍ଟ କହିଛନ୍ତି । 



ନିଜର ୧୩ତମ ଜନ୍ମଦିନର ଖୁବ୍‌ କମ୍‌ ଦିନ ପୂର୍ବରୁ ଏକାଧିକ ପରୀକ୍ଷଣ ପରେ ଓସ୍‌ୱାଲ୍ଟ ସଫଳତାପୂର୍ବକ ଫ୍ୟୁଜନ୍‌ ପ୍ରାପ୍ତ କଲେ । ପରମାଣୁ ଫ୍ୟୁଜନ୍‌ରେ ସଫଳତା ହାସଲ ପରେ ତାଙ୍କୁ ନେଇ ସବୁଠି ଚର୍ଚ୍ଚା ହେଲା । ଫ୍ୟୁଜନ୍‌ ପ୍ରାପ୍ତ କରିଥିବା ସବୁଠୁ କମ୍‌ ବୟସ୍କ ବ୍ୟକ୍ତି ଭାବେ ସେ ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ ପାଇଲେ ଏବଂ ବିଭିନ୍ନ ଗଣମାଧ୍ୟମର ଧ୍ୟାନ ଆକର୍ଷଣ କଲେ । ଏହି ଖବର ପାଇ ଏଫ୍‌ବିଆଇ ତାଙ୍କ ଘରକୁ ଆସିଲା । ଦୁଇ ଜଣ ଏଫ୍‌ବିଆଇ ଏଜେଣ୍ଟ୍‌ ତାଙ୍କ ଘରକୁ ଆସିଥିବା କଥା ଓସ୍‌ୱାଲ୍ଟ କହିଛନ୍ତି । ଏହି ଉପଲବ୍ଧି ପରେ ଦେଶର ଅନେକ ଷ୍ଟାର୍ଟଅପ୍‌କୁ ଗସ୍ତ କରିବାର ସୁଯୋଗ ତାଙ୍କୁ ମିଳିଲା ।