ଭୁବନେଶ୍ୱର, ୧୦/୦୧ : କମିଶନରେଟ୍ ପୁଲିସ୍ରେ ବାଇକ୍ ଚୋରଙ୍କ ଆତଙ୍କରାଜ। ମାମଲା ରୁଜୁ କରୁଛି, ହେଲେ ଚୋରଙ୍କୁ ଧରି ବାଇକ୍ ଜବତ କରିବାରେ ପୁଲିସ ସମ୍ପୂର୍ଣ୍ଣ ଫେଲ୍ ମାରୁଛି। ପ୍ରତିଦିନ ସହର ଓ ଏହାର ଉପକଣ୍ଠରୁ ୩/୪ଟି ବାଇକ୍ ଚୋରି ହେଉଛି । ଗତ ବର୍ଷଠାରୁ ନୂଆ ଢଙ୍ଗରେ ବାଇକ୍ ଚୋରି ହେଉଛି । ଚୋରମାନେ ଟାଟା ଏସିଇ ଭଳି ଡାଲା ଥିବା ଗାଡ଼ି ନେଇ ଆସୁଛନ୍ତି । ସିଧା ବାଇକ୍ ଉଠାଇ ଗାଡିରେ ଲଦି ଫେରାର ହୋଇଯାଉଛନ୍ତି ।
ଚୋର ଧରି ବୁଲୁଛନ୍ତି ଚୋରା ବାଇକ୍
ରିପୋର୍ଟ କହୁଛି, ୨୦୨୫ ମସିହାରେ କମିଶନରେଟ୍ ପୁଲିସ୍ ଭୁବନେଶ୍ୱରରୁ ୧୨ ଶହ ୨୩ଟି ବାଇକ୍ ଚୋରି ହୋଇଛି । ଚୋରି ହୋଇଥିବା ବାଇକ୍ ମଧ୍ୟରୁ ମାତ୍ର ୧୯.୦୮% ବାଇକ୍ ଉଦ୍ଧାର କରିବାରେ ପୁଲିସ୍ ସକ୍ଷମ ହୋଇଛି । ୨୦୨୫ରେ ସର୍ବାଧିକ ବାଇକ୍ ଚୋରି କ୍ୟାପିଟାଲ ଥାନା ଅଞ୍ଚଳରେ ଚୋରି ହୋଇଛି । ଦ୍ୱିତୀୟରେ ରହିଛି ନୟାପଲ୍ଲୀ ଓ ତୃତୀୟରେ ଖଣ୍ଡଗିରି ଥାନା ଅଞ୍ଚଳରୁ ସର୍ବାଧିକ ବାଇକ୍ ଚୋରି ହୋଇଛି । ସବୁଠାରୁ ବଡ଼ କଥା ହେଲା ସବୁ ବାଇକ୍ ଚୋରିରେ ପୁଲିସ୍ ମାମଲା ରୁଜୁ କରିନାହିଁ । ଶହ ଶହ ବାଇକ୍ ମାଲିକଙ୍କୁ ପୁଲିସ୍ ଷ୍ଟେସନ୍ ଡାଏରୀ ଓ ଜେନେରାଲ୍ ଡାଏରୀ ଏଣ୍ଟ୍ରି କରି ଛାଡିଦେଇଛି । ଯଦି ଏ ସବୁ ବାଇକ୍ ଚୋରିର ହିସାବ କରାଯାଏ ତା’ହେଲେ ୩ ହଜାର ଟପିବ । ଚୋରି ମାମଲା ବଢ଼ିଲେ ପୁଲିସ୍ର ପାରିବାପଣିଆ ଉପରେ ଅଙ୍ଗୁଳି ଉଠିବ । ସେଥିପାଇଁ ମାମଲା ରୁଜୁ ନ କରି ଡାଏରୀ ଏଣ୍ଟ୍ରି କରି ଛାଡି ଦିଆଯାଉଛି ବୋଲି ଅଭିଯୋଗ ହେଉଛି ।
ତାଳମେଳ ଅଭାବ
ସେହିପରି ବିନା ଇନ୍ସ୍ୟୁରାନ୍ସ ବାଇକ ଚୋରି ହେଲେ ପୁଲିସ୍ ମାମଲା ରୁଜୁ କରିବାକୁ ମନା କରିଦେଉଛି । ତାଳମେଳ ଅଭାବ ବାଇକ୍ର ବୀମା ଅବଧି ଜାରି ଥିଲେ ପୁଲିସ୍ ମାମଲା ରୁଜୁ କରୁଛି । ନଥିଲେ ହଇରାଣ କରୁଛି । ବୀମା ଥିବା ବାଇକ୍ର ମାଲିକ ଇନ୍ସ୍ୟୁରନ୍ସ କମ୍ପାନୀ ଠାରୁ ଟଙ୍କା ପାଇଯାଏ । କ୍ଷେତ୍ର ବିଶେଷରେ ଅନ୍ୟ କୌଣସି ଥାନା ପୁଲିସ୍ ଉକ୍ତ ବାଇକ୍ ଉଦ୍ଧାର କରି ସଂପୃକ୍ତ ମାଲିକଙ୍କୁ ଯୋଗାଯୋଗ କରେ । ହେଲେ ବୀମା ଟଙ୍କା ପାଇସାରିଥିଲେ ମାଲିକ ଆଉ ଗାଡ଼ି ଆଣିବାକୁ ଯାଏନାହିଁ । ଫଳରେ ଗାଡ଼ି ଥାନାରେ ପଡ଼ି ଖତ ହୁଏ । ଚୋରା ଗାଡ଼ି ଜବତ ବିଷୟରେ ବୀମା ସଂସ୍ଥା ଖବର ପାଏନାହିଁ । କାରଣ ପୁଲିସ୍ ଓ ବୀମା ସଂସ୍ଥା ମଧ୍ୟରେ ତଥ୍ୟ ଆଦାନପ୍ରଦାନର କୌଣସି ବ୍ୟବସ୍ଥା ନାହିଁ । ସମନ୍ୱୟ ଅଭାବରୁ ଏମିତି ଶହ ଶହ ଗାଡ଼ି ଖତ ଯାଉଛି ।ଉଦାହରଣ ସ୍ୱରୂପ ପୁରୀ ପୁଲିସ୍ ଜବତ କରିଥିବା ଗାଡ଼ି ବିଷୟରେ ଭୁବନେଶ୍ୱର ପୁଲିସ୍ ପାଖରେ କୌଣସି ତଥ୍ୟ ରହୁନାହିଁ । ଯାହା ରାଜ୍ୟ ପୁଲିସ୍ ପାଇଁ ବଡ଼ ସମସ୍ୟା ପାଲଟୁଛି ।
କୁଆଡ଼େ ଯାଉଛି ଚୋରା ଗାଡ଼ି?
ଚୋରା ଗାଡ଼ିକୁ ଚୋରମାନେ କଣ କରୁଛନ୍ତି? କମିଶନରେଟ୍ ପୁଲିସ୍ର କିଛି ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ଚୋରମାନେ ବାଇକ୍ ନେବା ପରେ ପ୍ରଥମେ ବିଭିନ୍ନ ପାର୍କିଂସ୍ଥାନରେ ଗାଡ଼ି ରଖିଦିଅନ୍ତି । ଯଦି ବାଇକ୍ ବହୁତ ପୁରୁଣା ତା’ହେଲେ ମଉକା ଦେଖି କବାଡ଼ିଖାନାକୁ ନେଇ ଗାଡ଼ିକୁ କାଟି କବାଡି ଦରରେ ବିକ୍ରି କରିଦିଅନ୍ତି । ତା’ଛଡା ପଶ୍ଚିମବଙ୍ଗ ଓ ବାଂଲାଦେଶର କିଛି ଗ୍ୟାଙ୍ଗ୍ ଗାଡ଼ି ଚୋରି କରି ନେଇ ପଳାଉଛନ୍ତି । ସେମାନଙ୍କୁ ଧରିବା କଷ୍ଟକର ବୋଲି ସେମାନେ କହିଛନ୍ତି । ଯଦି ବାଇକ୍ ଭଲ ଅଛି ତା’ହେଲେ ଉକ୍ତ ଗାଡ଼ିର ନମ୍ବର ବଦଳାଇ ଚୋରମାନେ ତାକୁ ଧରି ବୁଲୁଛନ୍ତି ।