ଉଦଳା, ୨୧/୦୩: ସାଙ୍ଗରେ ରଖିଛନ୍ତି ଦାମିକା ବ୍ୟାଗ ଆଉ ବ୍ୟାଗ ଉପରେ ଚିହ୍ନିବା ପାଇଁ ଦିଆଯାଇଛି କୋର୍ଡ । ଆଉ ସେହି ବ୍ୟାଗ ଭିତରେ ରଖାଯାଇଛି ଦେଶୀ ମଦ । ତାହା ପୁଣି ଥଣ୍ଡା ବୋତଲରେ । ଆଉ ସେହି ମଦ ଚାଲାଣ କରୁଛନ୍ତି ନାବାଳକ । ଉଦଳା ପୁଲିସ ବସଷ୍ଟାଣ୍ଡରେ ଚଢ଼ାଉ କରି ଭୁବନେଶ୍ୱର ଯାଉଥିବା ରାଜାବାବୁ ନାମକ ଘରୋଇ ବସରୁ ଦେଶୀ ମଦ ଜବତ କରିବା ପରେ ଖୋଲିଛି ମଦ ଚାଲାଣର ରହସ୍ୟ । ବସ୍ରେ ମଦ ନେଇ ଯାଉଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଉଦଳା ଥାନା ପାଟଶାଣିପୁର ଅଞ୍ଚଳରୁ ଦେଶୀ ମଦ ବ୍ୟବହୃତ ଥଣ୍ଡା ବୋତଲରେ ପୁରାଇ ତାହାକୁ ଚାଲାଣ କରାଯାଉଥିଲା ।
ଥଣ୍ଡା ବୋତଲଗୁଡ଼ିକୁ ବ୍ୟାଗରେ ଭର୍ତ୍ତି କରି ଜଣେ ଯାତ୍ରୀଙ୍କ ଭଳି ବସ୍ରେ ଚଢ଼ିଥିଲେ ଏହି ନାବାଳକ ଏବଂ ତାଙ୍କର ଦୁଇ ସାଥି । ପାଟଶାଣିପୁରରୁ ଭୁବନେଶ୍ୱର ସାଲିଆସାହି ଏହି ମଦ ନେଇ ଯାଉଥିବା ବେଳେ ଖବର ପାଇ ପୁଲିସ ମାଡ଼ି ବସିଥିଲା । ବସ୍ରୁ ୩ ଗୋଟି ବ୍ୟାଗ୍ ଜବତ ହୋଇଥିବା ବେଳେ ୩୪ ଗୋଟି ଦେଶୀ ମଦ ଭର୍ତ୍ତି ଥଣ୍ଡା ବୋତଲ ପୁଲିସ ଜବତ କରିଛି । ଜବତ ବ୍ୟାଗ୍ ଗୁଡ଼ିକ ଚିହ୍ନଟ ପାଇଁ ତାହା ଉପରେ ଚିହ୍ନ ମଧ୍ୟ ଦିଆଯାଇଥିବା ଦେଖିବାକୁ ମିଳିଛି ।