ହେଇ ହେଇ ଲୋ… ଆସିଲା ସେଇ ସେଇ ନାଟକ, ଆଜିଠୁ ଯାତ୍ରା ମହାକୁମ୍ଭର ସଂଳାପରେ କମ୍ପିବ ଖଣ୍ଡଗିରି

ଭୁବନେଶ୍ୱର ୩୦/୦୧: ହେଇ ହେଇ ଲୋ… । ଇଆଡ଼େ ଇଆଡ଼େ… । ସାରା ରାଜ୍ୟରେ ଚହଳ ପକାଇଛି । ସେଇ ସେଇ ନାଟକ । ମାଡ଼ି ଆସ ମାଡ଼ି ଆସ… । ଏଭଳି ଶବ୍ଦରେ ପ୍ରକମ୍ପିତ ହେବ ଖଣ୍ଡଗିରି ପରିବେଶ । ଆଜି ଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଖଣ୍ଡଗିରି ଯାତ୍ରା ମହାକୁମ୍ଭ । କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଯାତ୍ରା ମହାକୁମ୍ଭ ଆରମ୍ଭ ହେଉଥିବାରୁ ଯାତ୍ରାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଯାଇଛି । ଏଥର ମେଳାରେ ୫ଟି ପେଣ୍ଡାଲରେ ୧୦ଟି ନାମକରା ଅପେରା ପାର୍ଟି ଯାତ୍ରା ପରିବେଷଣ କରିବେ । ୩୦ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଯାତ୍ରା ଲଢ଼େଇ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ ।
ଆଜିଠୁ ମହତାବ ପେଣ୍ଡାଲରେ ନାଚିବ ‘ଯାତ୍ରାଶ୍ରୀ ବିଶ୍ୱ ଦରବାର’ । ପାର୍ଟି ଦୀପକ କୁମାର ଜେନାଙ୍କ ରଚିତ ଓ ଗୁରୁପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ ‘ମୃତ୍ୟୁ ପରେ ମଣିଷ’ ପରିବେଷଣ କରିବ । ଚର୍ଚ୍ଚିତ ନାୟକ ବାପି ପଣ୍ଡା, ସଞ୍ଜୟ ଭୋଳ, ଗୌରାଙ୍ଗ ପାଢ଼ୀ, ବାସନ୍ତୀ ପାଢ଼ୀ, କମଳ ନନ୍ଦ, କାବୁଲା, ଆଶିଷ, ସରୋଜ ମହାପାତ୍ର, ଭାରତୀ, ଲିଜା, ମାତନ, ମନୁଆ, ଅଶୋକ, ଧଡ଼ିଆ ଓ ପୁଷ୍ପା ପ୍ରମୁଖଙ୍କ ଭଳି କଳାକାରଙ୍କୁ ନେଇ ପାର୍ଟି ପୂରା ଦମ୍ରେ ମଇଦାନକୁ ଓହ୍ଲାଉଛି । ଇନ୍ଦିରା ସାଂସ୍କୃତିକ ପରିଷଦ ଜାଗମରାରେ ନାଚିବ ହେବି ୱେଟ୍ ଯାତ୍ରାନୁଷ୍ଠାନ ‘ଶିବାନୀ ଗଣନାଟ୍ୟ’ । ପାର୍ଟି ତାର ଚଳିତ ବର୍ଷର ଚର୍ଚ୍ଚିତ ନାଟକ ଡ. ଦୀପକ ଜେନାଙ୍କ ରଚିତ ଓ ବିକ୍ରମ ନାୟକ(ନନ୍ଦୁ)ଙ୍କ ନିର୍ଦ୍ଦେଶିତ ‘ଗୁମୁରି ଗୁମୁରି କାହାଣି କାନ୍ଦେ’ ପରିବେଷଣ କରିବ ।
ନାଟକରେ ଖଣ୍ଡଗିରି ଯାତ୍ରାର ଚର୍ଚ୍ଚିତ ନାୟିକା ଟିକି, କାହ୍ନା, ଶଙ୍ଖାଳି, ଗୌରାଙ୍ଗ ସେନାପତି, ଅକ୍ଷୟ, ବ୍ରଜପାଣି, ପେଞ୍ଚୁଆ, ଟୁଲୁ, ବାପି, କବିତା, ଅନନ୍ୟା, ରୂପା ଓ ଲିପି ପ୍ରମୁଖ କଳାକାରମାନଙ୍କୁ ନେଇ ମଇଦାନରେ ସାମିଲ ହେଉଛି । ନାଟକରେ ଗୀତ ରଚନା ନିଗମ ମିଶ୍ର କରିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମୃତାଂଶୁ ପଟ୍ଟନାୟକ । ;ମା’ ମଙ୍ଗଳା ସାଂସ୍କୃତିକ ପରିଷଦ କେସିଏ ପଡ଼ିଆରେ ମଇଦାନକୁ ଓହ୍ଲାଉଛି ‘ରାଜଧାନୀ ଅପେରା’ । ପାର୍ଟି ହର ବାରିକଙ୍କ ରଚିତ ଓ ନିର୍ଦ୍ଦେଶିତ ‘ସିଂହଦ୍ୱାର ମନା ମୋତେ ସ୍ୱର୍ଗଦ୍ୱାର ମନା’ ନାଟକକୁ ନେଇ ମଇଦାନକୁ ଓହ୍ଲାଇବ । ପାର୍ଟିରେ ଦୟା, ଲକ୍ଷ୍ମୀଧର, ରୁଦ୍ର, ଜିନା ଓ ଟିକିଲି ପ୍ରମୁଖ କଳାକାରଙ୍କୁ ନେଇ ଦମ୍ ଦେଖାଇବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି ।
ସେହିପରି ସନାତନ ସେବା ସମିତି ଘାଟିକିଆ ପେଣ୍ଡାଲରେ ଅପେରା ‘ସୂର୍ଯ୍ୟ ମନ୍ଦିର’ ଗଣେଶ ରାଉତଙ୍କ ରଚିତ ଓ ଗୁରୁ ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶିତ ‘ଗୁମୁରି ଗୁମୁରି କାହାଣି କାନ୍ଦେ’ ନାଟକକୁ ନେଇ ମଇଦାନକୁ ଓହ୍ଲାଇବ । ପାର୍ଟିରେ ଚର୍ଚ୍ଚିତ ନାୟକ ସୁବାସ, ଶୁଭେନ୍ଦୁ-ଟିକିନା, ବିରଞ୍ଜି, ମଞ୍ଜୁ, ବାପି, ଟୁକୁ, ଚାନ୍ଦିନୀ ପ୍ରମୁଖ କଳାକାର ନାଟକରେ ଦମ୍ ଦେଖାଇବେ ବୋଲି ଆୟୋଜକ କମିଟି ଆଶା ରଖିଛି ।