ନୂଆଦିଲ୍ଲୀ,୧୫।୭:  ପୃଥିବୀ ଫେରିଲେ ଶୁଭାଂଶୁ ଶୁକ୍ଲା। ମହାକାଶରେ ୧୮ ଦିନ ରହିବା ପରେ ଫେରିଲେ ଶୁଭାଂଶୁଙ୍କ ସହ ୪ ମହାକାଶଚାରୀ।ଅପରାହ୍ନ ୩ଟାରେ ପ୍ରଶାନ୍ତ ମହାସାଗରର କାର୍ଲିଫର୍ଣ୍ଣିଆ ଉପକୂଳରେ ସ୍ପେସ୍ ଡ୍ରାଗନ୍ କଲା ସଫଳ ଅବତରଣ। ପ୍ରାୟ ୨୩  ଘଣ୍ଟାର ଯାତ୍ରା ପରେ ସେମାନଙ୍କ ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟ ମଙ୍ଗଳବାର  ଅପରାହ୍ନ ପ୍ରାୟ ୩ଟାରେ କାଲିଫର୍ଣ୍ଣିଆ ତଟରେ ଜଳାବତରଣ କରିଛି । ଏହି ଅବତରଣ ପ୍ରକ୍ରିୟାକୁ ‘ସ୍ପ୍ଲାସ୍‌ଡାଉନ୍‌’  କୁହାଯାଏ । 

ସୋମବାର ଅପରାହ୍ନ ପ୍ରାୟ ୨ଟା ୧୫ରେ ୪ ଜଣ  ମହାକାଶଚାରୀ ଡ୍ରାଗନ୍‌ କ୍ୟାପ୍‌ସୁଲ୍‌ରେ  ପ୍ରବେଶ କରିଥିଲେ । ଏହାପରେ ସନ୍ଧ୍ୟା  ୪ଟା ୪୫ରେ କ୍ୟାପ୍‌ସୁଲ୍‌ଟି ଆଇଏସ୍‌ଏସ୍‌ର  ହାର୍ମନି ମଡ୍ୟୁଲ୍‌ରୁ ଅନ୍‌ଡକ୍‌ ହୋଇଥିଲା । ଆଜି ଅପରାହ୍ନ  ପ୍ରାୟ ୩ଟାରେ ଏହା କାଲିଫର୍ଣ୍ଣିଆ ତଟରେ ଜଳାବତରଣ କରିଛି। ମହାକାଶ ଯାନଟି ୨୬୩ କିଲୋଗ୍ରାମ୍‌ରୁ ଅଧିକ ଓଜନର  ସାମଗ୍ରୀ ସହ ପ୍ରତ୍ୟାବର୍ତ୍ତନ କରୁଛି ।  ଏଥିରେ ନାସାର ହାର୍ଡୱେର ଓ ୬୦ରୁ  ଅଧିକ ପ୍ରୟୋଗର ତଥ୍ୟ ସାମିଲ  ରହିଛି । ଏହା ମହାକାଶ ଗବେଷଣା  ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଆକ୍ସିଓମ୍‌-୪ ମିଶନର ଏହି ଟିମ୍‌ ଜୁନ୍‌ ୨୬ ସନ୍ଧ୍ୟା ୪ଟା ୧ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ  ପହଞ୍ଚିଥିଲା । ଜୁନ୍‌ ୨୫ ଅପରାହ୍ନ ପ୍ରାୟ  ୧୨ଟାରେ ସେମାନେ ଯାତ୍ରା ଆରମ୍ଭ  କରିଥିଲେ । ସ୍ପେସ୍‌ଏକ୍ସର ଫାଲ୍‌କନ୍‌-୯  ରକେଟ୍‌ ସହ ଜଡ଼ିତ ଡ୍ରାଗନ୍‌ କ୍ୟାପ୍‌ସୁଲ୍‌ରେ ସେମାନେ କେନେଡି ମହାକାଶ କେନ୍ଦ୍ରରୁ  ଉଡ଼ାଣ ଭରିଥିଲେ । ବୈଷୟିକ ସମସ୍ୟା  ଓ ପ୍ରତିକୂଳ ପାଣିପାଗକୁ ନେଇ ମିଶନକୁ  ୬ ଥର ରୋକାଯାଇଥିଲା ।

ଅବତରଣ ପରେ ନାସାର ଜନସନ ସ୍ପେସ୍ ସେଣ୍ଟର ଯିବେ ଶୁଭାଂଶୁ । କିଛି ଦିନ ମେଡିକାଲ ସୁପରଭିଜନରେ ରହିବେ । ଶୁଭାଂଶୁ ଓ ମିଶନ -୪ କ୍ରିୟୁ ମହାକାଶରେ ୬୦ଟି ପରୀକ୍ଷା କରିଛନ୍ତି । ଇସ୍ରୋ ପାଇଁ ୭ଟି ପରୀକ୍ଷଣ କରାଯାଇଛି । ଶୁଭାଂଶୁଙ୍କ ସ୍ପେସ୍ ଅଭିଜ୍ଞତା ଭାରତର ନିଜସ୍ବ ସ୍ପେସ୍ ଷ୍ଟେସନ୍ ପାଇଁ ବହୁ ଉପଯୋଗୀ ହେବ ।