ଭୁବନେଶ୍ୱର: କିଡ୍ନୀ ବା ବୃକ୍କ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଆମ ଶରୀରର ରକ୍ତକୁ ପରିଷ୍କାର କରିବା ସହ ମାତ୍ରାଧିକ ଲବଣ ଓ ଜଳକୁ ନିର୍ଗତ କରିବା ତଥା ୟୁରିଆ, ୟୁରିକ୍ ଏସିଡ୍, ଆମୋନିଆ ଭଳି ଅନାବଶ୍ୟକ ପଦାର୍ଥକୁ ମଧ୍ୟ ବାହାର କରିଥାଏ । ବର୍ତ୍ତମାନ ସମୟରେ ଆମର ପରିବର୍ତ୍ତିତ ଜୀବନଶୈଳୀ ଓ ତ୍ରୁଟିପୂର୍ଣ୍ଣ ଆହାର, ଶାରୀରିକ ବ୍ୟାୟାମର ଅଭାବ, କମ୍ ମାତ୍ରାରେ ପାଣି ପିଇବା, ମାତ୍ରାଧିକ ଚା’ ଓ କଫିର ବ୍ୟବହାର ଯୋଗୁ ଲୋକଙ୍କଠାରେ କିଡ୍ନୀଜନିତ ସମସ୍ୟା ଦେଖାଯାଉଛି । ଏଣୁ କିଡ୍ନୀକୁ ସୁରକ୍ଷା ଦେବା ଲାଗି ସନ୍ତୁଳିତ ଆହାର ସହ କିଛି ପ୍ରଭାବୀ ଆସନକୁ ଆମେ ନିୟମିତ ଅଭ୍ୟାସ କରିବା । ଏହାଦ୍ୱାରା କିଡ୍ନୀର କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇପାରିବ ।
ପିଠିରେ ଶୋଇ ଯାଆନ୍ତୁ । ଗୋଡ଼ ଓ ପାଦ ସିଧା ହୋଇ ଏକାଠି ରହିବ । ପାପୁଲି ଶରୀର ଦୁଇ ପାଶ୍ୱର୍ରେ ଲାଗି ରହିବ କିମ୍ବା ଆପଣ ହାତକୁ ମୁଠାକରି ନିତମ୍ବର ତଳେ ରଖିପାରିବେ । ଏହା ପ୍ରାରମ୍ଭିକ ସ୍ଥିତି । ଶ୍ୱାସ ନେଇ ଦୁଇ ଗୋଡ଼କୁ ସମାନ୍ତରାଳ ଭାବେ ଉପରକୁ ଉଠାଇବା । ନିତମ୍ବ ଭୂମି ଉପରେ ବା ହାତମୁଠା ଉପରେ ରହିବ । ବର୍ତ୍ତମାନ ଗୋଡ଼ ସିଧା କରି ପାଦକୁ ମୁଣ୍ଡ ଆଡ଼କୁ ତଳକୁ ନୁଆଁଇବେ, ଯେପରି ଦେହ ସହ ଗୋଡ଼ ୪୫ଂ କୋଣ କରି ରହିବ । ଏହି ସ୍ଥିତିରେ ଆପଣ ଗୋଡ଼କୁ ଯଥା ସମ୍ଭବ ଅଲଗା କରିବେ ଏବଂ ପୁନର୍ବାର ଗୋଡ଼କୁ ଏକାଠି କରିବେ । ବର୍ତ୍ତମାନ ଶ୍ୱାସ ଛାଡ଼ି ଗୋଡ଼କୁ ଯେଉଁଭଳି ଭାବେ ନେଇଥିଲେ ଧୀରେ ଧୀରେ ତଳକୁ କରି ପ୍ରାରମ୍ଭିକ ସ୍ଥିତିକୁ ଫେରିଆସିବେ । ଏହା ଗୋଟିଏ ଚକ୍ର । ଏହିଭଳି ୧୦ ଚକ୍ର ଅଭ୍ୟାସ କରିବେ ।
ସତର୍କତା: ବୃଦ୍ଧ, ହାର୍ଣ୍ଣିଆ, ସାଇଟିକା, ସ୍ଲିପ୍ଡ ଡିସ୍କରେ ପୀଡ଼ିତ ବ୍ୟକ୍ତି ଏହି ଆସନ କରିବେ ନାହିଁ । ଜାନୁ ଶୀର୍ଷାସନ ଆଗକୁ ଗୋଡ଼ ଲମ୍ବାଇ ପାଦକୁ ଏକାଠି କରି ଦଣ୍ଡାସନରେ ବସନ୍ତୁ । ବାମ ଗୋଡ଼ ବଙ୍କାଇ ପାଦର ଗୋଇଠି ଜନନାଙ୍ଗ ପାଖରେ (perinium) ଜୋର ଦେଇ ରହିବ। ତଳିପାଦ ଡାହାଣ ଜଙ୍ଘର ଭିତର ପଟେ ଲାଗି ରହିବ । ବାମ ଆଣ୍ଠୁ ଭୂମିକୁ ସ୍ପର୍ଶ କରିବ । ଦୁଇ ହାତକୁ ଡାହାଣ ଆଣ୍ଠୁ ଉପରେ ରଖିବେ । ମେରୁଦଣ୍ଡ ସିଧା ରହିବ । ଶରୀରକୁ ଢିଲା କରିବେ । ଏହା ପ୍ରାରମ୍ଭିକ ସ୍ଥିତି । ବର୍ତ୍ତମାନ ଶ୍ୱାସ ନେଇ ଶ୍ୱାସ ଛାଡ଼ି ଧୀରେ ଆଗକୁ ବଙ୍କିବେ ଏବଂ ଦୁଇ ହାତରେ ଡାହାଣ ପାଦକୁ ଧରି କପାଳକୁ ଆଣ୍ଠୁରେ ଲଗାଇବେ । ଆରାମ ଲାଗିଲା ପର୍ଯ୍ୟନ୍ତ ଏହି ସ୍ଥିତିରେ ରହିବେ ଏବଂ ଶ୍ୱାସ ନେଇ ପ୍ରାରମ୍ଭିକ ସ୍ଥିତିକୁ ଫେରି ଆସି ହାତକୁ ଆଣ୍ଠୁ ଉପରେ ରଖିବେ । ଏହି ଅଭ୍ୟାସକୁ ସମାନ ଢଙ୍ଗରେ ବିପରୀତ ପଟରେ ଡାହାଣ ଗୋଡ଼କୁ ବଙ୍କାଇ, ବାମ ଗୋଡ଼କୁ ସିଧା ରଖି ଅଭ୍ୟାସ କରିବେ । ମନେ ରଖିବେ ଯଦି କପାଳକୁ ଦୀର୍ଘ ସମୟ ଧରି ଆଣ୍ଠୁରେ ଲଗାଇ ରଖୁଛନ୍ତି, ତେବେ ଶ୍ୱାସକୁ ନ ରୋକି ସାଧାରଣ ଶ୍ୱାସ ପ୍ରଶ୍ୱାସ ନେଇପାରିବେ । ଏହାକୁ ପ୍ରତି ଗୋଡ଼ରେ ୫ ଥର ଲେଖାଏଁ ଅଭ୍ୟାସ କରିବେ।
ସତର୍କତା: ବୃଦ୍ଧ, ହାର୍ଣ୍ଣିଆ, ସାଇଟିକା, ସ୍ଲିପ୍ଡ ଡିସ୍କରେ ପୀଡ଼ିତ ବ୍ୟକ୍ତି ଏହି ଆସନ କରିବେ ନାହିଁ ।