ଭୁବନେଶ୍ୱର, ୨୪।୮: ବାୟୁ ପ୍ରଦୂଷଣ ହ୍ରାସ ପାଇଁ ରାଜ୍ୟ ସରକାର ସ୍ୱଚ୍ଛ ବାୟୁ ଅଭିଯାନକୁ ଆହୁରି ଜୋରଦାର କରିବେ । ଏଥିରେ ଆସନ୍ତା ୫ ବର୍ଷରେ ୧୫୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ପ୍ରସ୍ତାବ ରହିଛି । ଏହି କାର୍ଯ୍ୟକ୍ରମ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବ । ଚଳିତ ବର୍ଷ ଜୁନ୍ ୫ ତାରିଖରେ ନୂଆ ଭାବେ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଗାମୀ ୫ ବର୍ଷରେ ବାୟୁମଣ୍ଡଳରେ ପ୍ରଦୂଷିତ ଧୂଳିକଣା ପିଏମ୍ ୧୦ ଓ ପିଏମ ୨.୫ରେ ୪୦% ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟସ୍ତରୀୟ ବାୟୁ ଗୁଣାବତ୍ତା ମନିଟରିଂ କମିଟିର ଦଶମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରିଥିଲେ ।
ବୈଠକରୁ ଜଣାପଡ଼ିଛି, ରାଜ୍ୟର ୭ଟି ସହରରେ ପିଏମ୍ ୧୦ ବାୟୁ ପ୍ରଦୂଷଣ ସ୍ତରରେ ସୁଧାର ଆସିଛି । ୨୦୧୯-୨୦ରୁ ୨୦୨୪-୨୫ ମଧ୍ୟରେ ପିଏମ୍ ୧୦ ସାନ୍ଦ୍ରତାରେ ୨୯% ହ୍ରାସ ସହିତ ସ୍ୱଚ୍ଛ ବାୟୁ କ୍ଷେତ୍ରରେ କଟକ ସହରର ସ୍ଥିତିରେ ବଡ଼ ସୁଧାର ଆସିଛି । ଅନୁଗୁଳରେ ୨୮%, ବାଲେଶ୍ୱରରେ ୨୬% ପିଏମ ୧୦ ଧୂଳିକଣା ସ୍ତର ହ୍ରାସ ପାଇଛି । ଅନ୍ୟପକ୍ଷରେ କଳିଙ୍ଗନଗର, ରାଉରକେଲା, ତାଳଚେରରେ ବାୟୁ ପ୍ରଦୂଷଣ ସ୍ଥିତି ପୂର୍ବାପେକ୍ଷା ଅଧିକ ବିଗିଡ଼ିଛି । ସ୍ୱଚ୍ଛ ବାୟୁ କ୍ଷେତ୍ରରେ କଳିଙ୍ଗନଗରରେ ୧୩%, ତାଳଚେରରେ ୧୨%, ରାଉରକେଲାରେ ୨.୭% ଅବନତି ଘଟିଛି । ୨୦୨୩-୨୪ ସ୍ୱଚ୍ଛ ବାୟୁ ସର୍ବେକ୍ଷଣର ବର୍ଗ-୨ ସହରରେ (୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା) ଭୁବନେଶ୍ୱର ସପ୍ତମ, କଟକ ନବମ, ରାଉରକେଲା ଦ୍ୱାଦଶ ସ୍ଥାନରେ ଥିଲା । ବର୍ଗ-୩ ସହରରେ (୩ ଲକ୍ଷରୁ କମ୍ ଜନସଂଖ୍ୟା) ତାଳଚେର ଚତୁର୍ଥ, ଅନୁଗୁଳ ଷଷ୍ଠ, ବାଲେଶ୍ୱର ସପ୍ତମ ସ୍ଥାନରେ ଥିଲା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ କଳିଙ୍ଗନଗର, ରାଉରକେଲା ସର୍ବନିମ୍ନ ସ୍କୋର ପାଇଥିଲେ ।