ଭୁବନେଶ୍ଵର, ୨୩/୧୨ : ଜୀବନ ବଞ୍ଚାଇବ ନୂଆ ସାରଥୀ। ରୋଗୀ ସେବାରେ ସାମିଲ ହେଲା ନୂଆ ୧୦୮ ଆମ୍ବୁଲାନ୍ସ । ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କରିଛନ୍ତି। ୪୨୮ଟି ନୂଆ ଆମ୍ବୁଲାନ୍ସ ଗଡ଼ିବାର ଯୋଜନା ରହିଛି। ଏଥିରେ ୪୧୯ ଟି ପୁରୁଣା ଆମ୍ବୁଲାନ୍ସ, ୨ ଟି ଦୁର୍ଘଟଣାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍ସକୁ ପରିବର୍ତ୍ତନ କରାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବ। ଏହା ବ୍ୟତୀତ ବାଣିଜ୍ୟ ଏବଂ ପରିବହନ ବିଭାଗରେ ବିମାନବନ୍ଦର/ଏୟାରସ୍ଟ୍ରିପ୍‌ରେ ବ୍ୟବହାର ପାଇଁ ୫ ଟି ALS ଆମ୍ବୁଲାନ୍ସ ଏବଂ ଝାରସୁଗୁଡ଼ା କାର୍ଡିଆକ୍ କେୟାର୍ ହସ୍ପିଟାଲ୍ ପାଇଁ ୨ ଟି ALS ଆମ୍ବୁଲାନ୍ସ ବ୍ୟବହାର କରାଯିବ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଜରୁରୀକାଳୀନ ଆମ୍ୱୁଲାନ୍ସ ସେବାରେ ଅଧିକ ଉନ୍ନତି ଆଣିବା ପାଇଁ ପର୍ଯ୍ୟାୟକ୍ରମେ ପୁରୁଣା ଆମ୍ବୁଲାନ୍ସ ଗୁଡିକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ଅଣାଯାଉଅଛି । ସ୍ୱାସ୍ଥ୍ୟ ସେବାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆହୁରି ୧୦୮-EMAS ଆମ୍ବୁଲାନ୍ସ କ୍ରୟ କରାଯାଇଛି। ୪୨୮ଟି ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ୧୧୧ କୋଟି ଖର୍ଚ୍ଚ କରିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ନୂତନ ଜରୁରୀକାଳୀନ ଆମ୍ବୁଲାନ୍ସକୁ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରାଯାଉଛି । ଅବଶିଷ୍ଟ ନୂତନ ଆମ୍ବୁଲାନ୍ସ ଗୁଡିକୁ ଖୁବଶୀଘ୍ର ଆମ୍ବୁଲାନ୍ସ ସେବାରେ ନିୟୋଜିତ କରାଯିବ, ତାସହିତ ପୁରୁଣା ଏମରଜେନ୍ସି ମେଡିକାଲ ଆମ୍ଵୁଲାନ୍ସ ସର୍ଭିସ୍  ବା EMAS ଫ୍ଲିଟ୍‌କୁ ପରିବର୍ତ୍ତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

​​​​​​​​​​​​​​

ସୂଚନାନୁଯାୟୀ, ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ଚରଣ ମାଝୀ ଆଜି ପ୍ରଥମ ପର୍ଯ୍ୟାୟରେ ୧୫୦ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଜାନୁଆରୀ ସୁଦ୍ଧା ମୋଟ ୪୨୮ଟି ଆମ୍ଵୁଲାନ୍ସ ଲୋକାର୍ପଣ ହେବ। ଏବେ ସାରା ରାଜ୍ୟରେ ୮୬୬ଟି ଆମ୍ଵୁଲାନ୍ସ ଚାଲୁଛି। ଏହି ୮୬୬ଟି ମଧ୍ଯରେ (୪୧୧ଟି ଉନ୍ନତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ (ALS), ୪୪୯ ଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ (BLS) ଏବଂ ୬ ଟି ନୌକା ଆମ୍ବୁଲାନ୍ସ (Boat Ambulance)ଅନ୍ତର୍ଭୁକ୍ତ ରହିଛି। ୧୦୮ ଆମ୍ବୁଲାନ୍ସ ସେବା ବ୍ୟତୀତ ଗର୍ଭବତୀ ମା' ଏବଂ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ନିମନ୍ତେ ରାଜ୍ୟରେ ୫୦୦ଟି “ଜନନୀ ଏକ୍ସପ୍ରେସ୍'" ଆସୁଲାନ୍ସର ମଧ୍ୟ ବ୍ୟବସ୍ଥା ରହିଛି । ପ୍ରତିଦିନ ହାରାହାରି ୫୦୦୦ ରୁ ଅଧିକ ସଂଖ୍ୟକ ରୋଗୀ ଏହି ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଏବଂ ଜନନୀ ଏକ୍ସପ୍ରେସ୍ ଆମ୍ବୁଲାନ୍ସ ସେବା ଦ୍ବାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ, ଠୁଳ କରିଥିଲେ ଆୟଠୁ ଅଧିକ

ରାଜ୍ୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଅଧିକ ଉନ୍ନତି ଆଣିବା ପାଇଁ ପର୍ଯ୍ୟାୟକ୍ରମେ ପୁରୁଣା ଆମ୍ବୁଲାନ୍ସ ଗୁଡିକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ଅଣାଯାଉଛି । ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ଗୁଡିକର ପଞ୍ଜିକରଣ, ବୀମା ଏବଂ ବ୍ରାଣ୍ଡିଙ୍ଗ୍ ସହିତ ପ୍ରତି ଆମ୍ବୁଲାନ୍ସ ପାଇଁ ୨୫.୭୭ଲକ୍ଷ ଟଙ୍କାରେ ଖର୍ଚ୍ଚ କରାଯାଇଛି। ଏବଂ ୪୨୮ ଗୋଟି ଆମ୍ଵୁଲାନ୍ସ ପାଇଁ ମୋଟ ପ୍ରାୟ ୧୧୧ କୋଟି ଟଙ୍କା ବ୍ୟୟ ହୋଇଛି। ଏହାର ସମୁଦାୟ କ୍ରୟ ଖର୍ଚ୍ଚ ରାଜ୍ୟ ସରକାରଙ୍କ ପାଣ୍ଠିରୁ ବହନ କରାଯାଇଛି।

​​​​​​​