ଭୁବନେଶ୍ୱର,୦୯/୧୨: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଚମକିବ ରାଜଧାନୀ । ନାଚଗୀତରେ ଝୁମିବେ ରାଜଧାନୀବାସୀ । ଏନେଇ ଭୁବନେଶ୍ୱର  ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଭୁବନେଶ୍ୱର ଭାଇବସ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।  ଏହା ସହ ଡିସେମ୍ବର ତୃତୀୟ ସପ୍ତାହରୁ ପୁଣି  ପଥୋତ୍ସବ ଲେଉଟିବ । 

ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ ଏବଂ ମାଷ୍ଟରକ୍ୟାଣ୍ଟିନରେ ଭୁବନେଶ୍ୱର ଭାଇବସ୍‌ର ସ୍ୱତନ୍ତ୍ର ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମେୟର ସୁଲୋଚନା ଦାସ ଏବଂ କମିଶନର ରାଜେଶ  ପ୍ରଭାକର ପାଟିଲ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଜାନୁଆରୀ  ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପ୍ରଥମ ଥର ପ୍ରବାସୀ ଭାରତୀୟ ଦିବସ - ୨୦୨୫ ଆୟୋଜିତ ହେବାକୁ ଯାଉଛି । ବିଏମ୍‌ସି ପକ୍ଷରୁ  ଏହାକୁ ନେଇ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ  ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେବ । ଚଳିତ ମାସ  ତୃତୀୟ ସପ୍ତାହରୁ ପଥୋତ୍ସବ ଆୟୋଜନ କରାଯିବ ।  ଏନେଇ ମେୟରଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା  ବୈଠକରେ ରୂପରେଖ ଚୂଡାନ୍ତ ହେବ ।  

ପୂର୍ବଥର ଭଳି ଏଥର ମଧ୍ୟ ମାଷ୍ଟରକ୍ୟାଣ୍ଟିନ୍‌ରୁ  ରାମମନ୍ଦିରରେ ରାସ୍ତାରେ ପଥୋତ୍ସବ ହେବ । ପଥ  ଉତ୍ସବରେ ସାଇକେଲିଂ, ପେଣ୍ଟିଂ, ସାଂସ୍କୃତିକ କାର୍ଯ୍ୟକ୍ରମ,  ସ୍କେଟିଂ ଆଦି ରହିବ । ସଙ୍ଗୀତ ତାଳରେ ଝୁମିବେ ଦର୍ଶକ ।  ବିଭିନ୍ନ ସ୍ଥାନରେ ଖାଦ୍ୟ ଷ୍ଟଲ ଖୋଲିବ । ସେହିପରି ଭାରତୀୟ ଦିବସକୁ ନଜରରେ ରଖି ଭୁବନେଶ୍ୱର  ୱାକାଥନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ  ବୋଲି ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ।  

ବିଏମ୍‌ସି ପକ୍ଷରୁ ସହର ସୌନ୍ଦର୍ଯୀକରଣ  ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଏକ ବୈଠକ  ବସିଥିଲା । ଏଥିରେ ବିଡିଏ ଓ ବିଏମ୍‌ସିର ବରିଷ୍ଠ  ଅଧିକାରୀମାନେ ଉପସ୍ଥିତ ଥିଲେ । ସହରର ସବୁ  ପ୍ରମୁଖ ଛକର ସୌନ୍ଦର୍ଯୀକରଣ ହେବ । ଅର୍ଣ୍ଣାମେଣ୍ଟାଲ  ଟ୍ରି, ମେଡିଆନ ସଜା ହେବ । ଏୟାରପୋର୍ଟରୁ ଏଜି,  ରାଜଭବନ, ଜୟଦେବ ବିହାର, ଜନତା ମଇଦାନ  ଭଳି ଛକ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । 

ଏବେ ରଙ୍ଗ ବୋଳି ହେଉଛି ରାଜଧାନୀ । ରାସ୍ତାଘାଟ  ମରାମତି ଚାଲିଛି । ବିଡିଏ ପକ୍ଷରୁ ଡଟ୍‌ ଫେଷ୍ଟ ହେବା ନେଇ ଯୋଜାନା କରାଯାଉଛି । ଯଦିଓ ବର୍ତ୍ତମାନ ସୁଦ୍ଧା  ଏନେଇ ସ୍ପଷ୍ଟ ସୂଚନା ଆସିନି । କିନ୍ତୁ ବୈଠକରେ ଏନେଇ  ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।