ନୂଆଦିଲ୍ଲୀ,୨୩/୦୫; ଆଗାମୀ ଫିଫ। ବିଶ୍ୱକପ୍ ପାଇଁ ବର୍ତ୍ତମାନ ସମଗ୍ର ବିଶ୍ୱର ଫୁଟବଲ୍ ପ୍ରେମୀଙ୍କ ନଜର ଜର୍ମାନୀ ଉପରେ । ମାନୁଏଲ ନୁୟର ଅବସର ନିଷ୍ପତ୍ତି ବଦଳାଇ ପ୍ରତ୍ୟାବର୍ତ୍ତନ କରିବା ପରେ ଜର୍ମାନୀ ଟାଇଟଲ ଦାବିଦାର ରୂପେ ଗଣା ହେଉଛି । ଗତ ୨୦୧୮ ଓ ୨୦୨୨ ବିଶ୍ୱକପରେ ଲିଗ୍ ପର୍ଯ୍ୟାୟରୁ ଉଠି ପାରି ନଥିବା ଜର୍ମାନୀ ଏଥର ଶ୍ରେଷ୍ଠ ଦଳଗତ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛି । ଟାଇଟଲ ଦାବିଦାର ପାଇଁ ବୁକି ତାଲିକାରେ ଜର୍ମାନୀ ପଞ୍ଚମ ସ୍ଥାନରେ ରହିଛି । ଫ୍ରାନ୍ସ ସର୍ବାଗ୍ରେ ରହିଥିବାବେଳେ ବ୍ରାଜିଲ, ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରବର୍ତ୍ତୀ ସ୍ଥାନରେ ରହିଛନ୍ତି । ବିଶ୍ୱର ଦ୍ୱିତୀୟ ସଫଳ ଦଳ ଭାବେ ୪ଥର ବିଶ୍ୱକପ୍ ଚାମ୍ପିଅନ ହୋଇଥିବା ଜର୍ମାନୀ ଏଥର ସବୁ ବିଫଳତା ଓ ସମାଲୋଚନାକୁ ଭୁଲି ଟାଇଟଲ ହାସଲ କରିପାରିବ ।

ଜର୍ମାନୀ ମୋଟ୍ ୪ଥର ଜିତି ସାରିଛି । ୧୯୫୪ ବିଶ୍ୱକପ୍ ଫାଇନାଲରେ ଜର୍ମାନୀ ୩-୨ ଗୋଲ୍‌ରେ ହଙ୍ଗେରୀକୁ ହରାଇ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା । ବିଶ୍ୱକପ ଇତିହାସରେ ଏହି ମ୍ୟାଚ ‘ମିରାକଲ ଅଫ ବର୍ଣ୍ଣ’ ଭାବେ ପରିଗଣିତ । ସେତେବେଳ ପଶ୍ଚିମ ଜର୍ମାନୀ ବିଶ୍ୱକପରେ ଭାଗ ନେଉଥିଲା । ୧୯୭୪ରେ ପଶ୍ଚିମ ଜର୍ମାନୀ ଦ୍ୱିତୀୟ ଥର ଚାମ୍ପିଅନ ହୋଇଥିଲା । ଫାଇନାଲ୍‌ରେ ଦଳ ନେଦରଲାଣ୍ଡ୍ସକୁ ୨-୧ ଗୋଲ୍ରେ ହରାଇଥିଲା । ୧୯୯୦ରେ ପଶ୍ଚିମ ଜର୍ମାନୀ ତୃତୀୟ ଥର ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ରୋମରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ପଶ୍ଚିମ ଜର୍ମାନୀ ୧-୦ ଗୋଲ୍ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା । ୨୦୧୪ ବ୍ରାଜିଲ ବିଶ୍ୱକପ୍‌ରେ ଜର୍ମାନୀର ଦୀର୍ଘ ୨୪ବର୍ଷର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଏଥର ମଧ୍ୟ ଦଳ ଫାଇନାଲ୍‌ରେ ଆର୍ଜେଣ୍ଟିନାକୁ ୧-୦ ଗୋଲ୍‌ରେ ହରାଇଥିଲା । ଏହା ବ୍ୟତୀତ ଜର୍ମାନୀ ୧୯୬୬, ୧୯୮୨, ୧୯୮୬ ଓ ୨୦୦୨ ବିଶ୍ୱକପ୍ରେ ଫାଇନାଲ୍ରେ ପହଞ୍ଚିଥିଲେ ହେଁ ଟାଇଟଲରୁ ବଞ୍ଚିତ ହୋଇ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା ।  ଏଥର ବିଶ୍ୱକପ୍ ପାଇଁ ମୁଖ୍ୟ କୋଚ(ମ୍ୟାନଜେର) ଜୁଲିଆନ ନଗେଲ୍ସମାନ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଏକ ଶକ୍ତିଶାଳୀ ଦଳ ଗଠନ କରିଛନ୍ତି । ପ୍ରତି ବିଶ୍ୱକପ୍ ଭଳି ଜର୍ମାନୀ ଏଥର ମଧ୍ୟ ଅନ୍ୟତମ ଟାଇଟଲ ଦାବିଦାର ରୂପେ ୠଣା ହେଉଛି । ଏହା ପଛରେ ରହିଛି ଅନେକ କାରଣ ।

ଦକ୍ଷ ଫରୱାର୍ଡ ଜର୍ମାନୀର ଫରୱାର୍ଡ ବିଭାଗ ଏବେଠୁ ଅନ୍ୟ ଦଳଗୁଡ଼ିକ ପାଇଁ ଚିନ୍ତାର କାରଣ ହୋଇଛି । ଜମାଲ ମୁସିଆଲା ଓ ଫ୍ଲୋରିଆନ ରିଜ ସମ୍ପ୍ରତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଷ୍ଟ୍ରାଇକର ରୂପେ ଗଣା ହେଉଛନ୍ତି । ମୁସିଆଲାଙ୍କୁ ନଗେଲ୍ସମାନ ମିଡ ଫିଲ୍ଡରେ ଖେଳାଇବାର ଯୋଜନା କରିଛନ୍ତି । କାରଣ ଫରୱାର୍ଡରେ କାଇ ହଭର୍ଜ, ଲିଓରି ସେନ ଓ ଡେନିଜ ଉଣ୍ଡାଭଙ୍କ ଭଳି ଖେଳିବାକୁ ପ୍ରସ୍ତୁତ ଅଛନ୍ତି । ମୁସିଆଲା ସେମାନଙ୍କ ପାଇଁ ଗୋଲ୍ ସୁଯୋଗ ସୃଷ୍ଟି କରିବାର ଦାୟିତ୍ୱରେ ରହିବେ ।

ଅଭିଜ୍ଞତା ବିଶ୍ୱର ଶ୍ରେଷ୍ଠ ଗୋଲ କିପର ଭାବେ ଗଣା ହେଉଥିବା ମାନୁଏଲ ନୁୟର ୪୦ ବର୍ଷ ବୟସରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ପଞ୍ଚମ ବିଶ୍ୱକପ୍ ଖେଳିବେ । ନୁୟର ସମ୍ପ୍ରତି ଚମତ୍କାର ଫର୍ମରେ ରହିଛନ୍ତି । ଅôନାୟକ ଜୋଶୁଆ କିମିଚ ଅନ୍ୟତମ ଶ୍ରେଷ୍ଠ ଡିଫେଣ୍ଡର ଓ ୧୦୮ଟି ମ୍ୟାଚର ଅଭିଜ୍ଞତା ରଖିଛନ୍ତି । ଏମାନଙ୍କ ବ୍ୟତୀତ ରିୟଲ ମାଦ୍ରିଦ ପକ୍ଷରୁ ଖେଳୁଥିବା ଆଣ୍ଟୋନିଓ ରୁଡ଼ଗର, ଜନାଥନ ତାହ ଓ ଡେଭିଡ୍ ରୌମଙ୍କୁ ନେଇ ନଗେଲ୍ସମାନ ଏକ ୪ ଜଣିଆ ଡିଫେନ୍ସ ଲାଇନ ପ୍ରସ୍ତୁତ କରିଛନ୍ତି । ଏହି ଡିଫେନ୍ସ ଲାଇନକୁ ଭେଦ କରିବା ସହଜ ହେବ ନାହିଁ ।

ଏହା ବି ପଢନ୍ତୁ...Vijay Shankar: IPL ଭିତରେ ଭାରତୀୟ ଅଲରାଉଣ୍ଡର ନେଲେ ଅବସର, କହିଲେ କ୍ରିକେଟ୍ ମୋ ଜୀବନ...

ସହଜ ଗ୍ରୁପ୍ ଜର୍ମାନୀ ଏକ ସହଜ ଗ୍ରୁପ୍(ଗ୍ରୁପ୍-ଇ)ରେ ସ୍ଥାନ ପାଇଛି । ଏହି ଗ୍ରୁପ୍‌ରେ ଆଇଭରୀ କୋଷ୍ଟ, ପଦାର୍ପଣ କରିବାକୁ ଯାଉଥିବା କୁରାକାଓ ଓ ଇକ୍ୱେଡର ସ୍ଥାନ ପାଇଛନ୍ତି । ତେଣୁ ନକ୍ ଆଉଟ ରାଉଣ୍ଡ୍(ରାଉଣ୍ଡ-୩୨)ରେ ପ୍ରବେଶ କରିବା ପାଇଁ ଜର୍ମାନୀକୁ ବିଶେଷ ପରିଶ୍ରମ କରିବାକୁ ପଡ଼ିବ ନାହିଁ । ଜର୍ମାନୀ ଅତି ସହଜରେ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିପାରିବ ।

ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଟାଇଟଲ ଦୌଡ଼ରେ ଜର୍ମାନୀ ପାଇଁ ପ୍ରତିବନ୍ଧକ ସାଜିବେ ଫ୍ରାନ୍ସ, ଆର୍ଜେଣ୍ଟିନା, ବ୍ରାଜିଲ୍, ସ୍ପେନ ଭଳି ଅନ୍ୟ ଟାଇଟଲ ଦାବିଦାର ଦଳ । ଫ୍ରାନ୍ସର ଫରୱାର୍ଡ ବିଭାଗ ବାକି ସବୁ ଦଳର ନିଦ ହଜାଇ ଦେବ । ଆର୍ଜେଣ୍ଟିନା ଡିଫେଣ୍ଡିଂ ଚାମ୍ପିଅନ୍ । ସ୍ପେନ୍ ୨୦୨୪ ୟୁରୋ ଚାମ୍ପିଅନସିପ୍ ଜିତି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ରହିଛି ।

 

ଦୁର୍ବଳତା ବିଶ୍ୱକପ୍ ପୂର୍ବରୁ ଜର୍ମାନୀକୁ କିଛି ଛୋଟ ମୋଟ ତ୍ରୁଟି ଉପରେ ଧ୍ୟାନ ଦେବାକୁ ହେବ । ନଗେଲ୍ସମାନ ସୁଦୃଢ ଡିଫେନ୍ସ ପ୍ରସ୍ତୁତ କରିଥିଲେ ହେଁ ଫରୱାର୍ଡ ବିଭାଗ ସେଭଳି ଆତଙ୍କ ଖେଳାଇବାର କ୍ଷମତା ରଖିନାହିଁ । କେବଳ ମୁସିଆଲା ଓ ରିଜଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ଷ୍ଟ୍ରାଇକର ସର୍ବୋଚ୍ଚ ସ୍ତରରେ ଅନଭିଜ୍ଞ । ଆମେରିକାରେ ବହୁ ଜର୍ମାନୀ ସମର୍ଥକ ରହିଛନ୍ତି । ତେଣୁ ସେଠାରେ ଜର୍ମାନୀ ଦଳକୁ ଭରପୁର ସମର୍ଥନ ମିଳିବ । ନୁୟର ଟୁର୍ଣ୍ଣାମେଣ୍ଟ ସାରା ଫିଟ୍ ରହିଲେ ଓ ମୁସିଆଲା ଶତ ପ୍ରତିଶତ ଦକ୍ଷତା ପ୍ରଦର୍ଶନ କଲେ ଜର୍ମାନୀ ଟାଇଟଲ ଜିତି ପାରିବ ବୋଲି ବହୁ ପୂର୍ବତନ ଖେଳାଳି ମତ ଦେଇଛନ୍ତି ।