ନୂଆଦିଲ୍ଲୀ,୧୮/୧୦: ବ୍ରିଟେନର ଜୁରାସିକ୍ ତଟରେ ଏକ କଙ୍କାଳ ମିଳିଛି। ଯାହାକୁ ଇଚଥ୍ୟୋସର ନାମକ ନୂଆ ପ୍ରଜାତି ଭାବେ ଚିହ୍ନଟ କରାଯାଇଛି । ଏହା ପ୍ରାଗୈତିହାସିକ ସାମୁଦ୍ରିକ ସରୀସୃପର ଏକ ପ୍ରକାର, ଯାହା ଦିନେ ସମୁଦ୍ର ଉପରେ ରାଜ୍ କରୁଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହାକୁ ଏକ ଡଲ୍ଫିନର ଆକାର ସହ ତୁଳନା କରାଯାଇପାରେ । ଆପାତତଃ ଏହି ପୂର୍ଣ୍ଣ କଙ୍କାଳର ଆବିଷ୍କାର ସ୍ଥାନର ନାମ ଅନୁସାରେ ଇଚଥ୍ୟୋସର୍କୁ ଅସିଫୋଡ୍ରାକନ୍ ଗୋଲ୍ଡେନକାପେନସିସ୍ ବା ‘ସ୍ୱର୍ଡ ଡ୍ରାଗନ୍ ଅଫ୍ ଡୋରସେଟ୍’ ନାମ ଦିଆଯାଇଛି ।
ଏନେଇ ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟ କହିଛି, ଏହା ଅସ୍ତିତ୍ୱରେ ଥିବା ଏ ପ୍ରକାର ଏକମାତ୍ର ଉଦାହରଣ, ଯାହା ଇଚଥ୍ୟୋସର୍ଙ୍କ ବିକାଶବାଦ ଜୀବାଶ୍ମ ରେକର୍ଡରେ ଥିବା ଗୁରୁତ୍ୱପୂର୍ଣ୍ଣ ଅଭାବ ପୂରଣ କରିବାରେ ସାହାଯ୍ୟ କରିଛି। ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟର ଇଚଥ୍ୟୋସର୍ ବିଶେଷଜ୍ଞ ଡିନ୍ ଲୋମାକ୍ସ ଉକ୍ତ ଅଧ୍ୟୟନର ବିଶ୍ଳେଷଣ କରିଥିବା ପ୍ରତ୍ନତତ୍ତ୍ୱବିତ୍ମାନଙ୍କର ୩ଟି ଟିମ୍ର ନେତୃତ୍ୱ ନେଇଥିଲେ। ଅଧ୍ୟୟନ ଅନୁସାରେ, ଇଚଥ୍ୟୋସର ସରୀସୃପ ଥିଲେ ଏବଂ ପାଣି ତଳେ ବିଚରଣ କରୁଥିଲେ । ସେମାନଙ୍କୁ ଡାଇନୋସର ବୋଲି ବିବେଚନା କରାଯାଏ ନାହିଁ । ଖଣ୍ଡା ଆକୃତିର ଏହି ଡ୍ରାଗନ୍ ୧୯ କୋଟି ବର୍ଷ ତଳର ପ୍ଲିନ୍ସବେଚିଆନ କାଳର । ୨୦୦୧ ମସିହାରେ ଡୋରସେଟ୍ଠାରେ ଗୋଲ୍ଡେନ୍ କ୍ୟାପ୍ ନିକଟରେ ଏହାର କଙ୍କାଳ ଆବିଷ୍କୃତ ହୋଇଥିଲା । କିନ୍ତୁ ପ୍ରତ୍ନତତ୍ତ୍ୱବିତ୍ମାନେ ଏବେ ଏହାକୁ ବିଶ୍ଳେଷଣ କରିଛନ୍ତି । କଙ୍କାଳରେ ଏକ ବିଶାଳ ଆଖି ଡୋଳା ସହିତ ଏକ ଖପୁରି ଏବଂ ଖଣ୍ଡା ଭଳି ଏକ ଥଣ୍ଟ ରହିଛି । ଏହ ଦୈତ୍ୟ ବୋଧହୁଏ ପ୍ରାୟ ୩ ମିଟର ଲମ୍ବା ଥିଲା ଏବଂ ମାଛ ଓ ସ୍କ୍ୱିଡ୍ ଖାଉଥିଲା । ଅଧ୍ୟୟନର ତଥ୍ୟ ପାଲେଅଣ୍ଟଲୋଜି ପତ୍ରିକାରେ ପ୍ରକାଶ ପାଇଛି । କାନାଡାର ଟରଣ୍ଟୋ ସ୍ଥିତ ରୟାଲ ଓଣ୍ଟାରିଓ ସଂଗ୍ରହାଳୟରେ କଙ୍କାଳଟି ପ୍ରଦର୍ଶିତ ହେବ।