ନୂଆଦିଲ୍ଲୀ,୦୬/୦୧: ଦ ମ୍ୟାନ୍, ଦ ମାଇଥ୍, ଦ ଲିଜେଣ୍ଡ । ଭାରତୀୟ କ୍ରିକେଟ୍ ଇତିହାସର ଶ୍ରେଷ୍ଠ ଅଲରାଉଣ୍ଡର । କ୍ରିକେଟ ମହାରଥୀ କିମ୍ବଦନ୍ତୀ କପିଲ୍ ଦେବ । ଯିଏକି ପଡ଼ିଆରେ ଏଣ୍ଟ୍ରି କରିବା ମାତ୍ରେ ବିଶ୍ୱାସ ଥାଏ ଯେ ବିଜୟ ନିଶ୍ଚୟ । ଭାରତର ସଙ୍କଟ ପରିସ୍ଥିତିରେ ଯେକୌଣସି ମ୍ୟାଚ୍ ଜିତାଇ ପାରୁଥିଲେ କପିଳ । ତାଙ୍କର ସ୍ପିଡ୍ ରନ-ଅପ୍, ବାଉନ୍ସିଂ ବଲ୍, ନିର୍ଭୀକ ସଟ୍ ଭାରତୀୟ କ୍ରିକେଟ୍ର ପରିଚୟ ଦେଇଥିଲା । ଆଜି ଏହି ମହାନ୍ ଖେଳାଳିଙ୍କ ଜନ୍ମଦିନ । ୬୭ ବର୍ଷରେ ପଦାର୍ପଣ କରିଛନ୍ତି ମହାନ୍ ଅଲରାଉଣ୍ଡର କପିଳ ଦେବ । ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
୬୭ ବର୍ଷରେ ପାଦ ଥାପିଲେ କପିଳ- ୧୯୮୩ ବିଶ୍ୱକପ ବିଜେତା କପିଳ ଦେବଙ୍କର ଆଜି ଜନ୍ମଦିନ । ୬୭ ବର୍ଷରେ ପଦାର୍ପଣ କରିଛନ୍ତି ମହାନ୍ ଅଲରାଉଣ୍ଡର କପିଳ ଦେବ । ୧୯୫୯ ଜାନୁଆରୀ ୬ରେ ଚଣ୍ଡିଗଡ଼ରେ କପଳଙ୍କର ଜନ୍ମ । ୧୯୭୮ରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ୧୯୯୪ରେ ଶେଷ ମ୍ୟାଚ ଖେଳିଥିଲେ । ତାଙ୍କୁ କ୍ରିକେଟ ଇତିହାସର ସର୍ବଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ । ଆଜି ମଧ୍ୟ କେବଳ କପିଳ ଦେବଙ୍କ ପାଖରେ ୪୦୦ ୱିକେଟ୍ ଏବଂ ଟେଷ୍ଟରେ ୫୦୦୦ ରନ୍ ରେକର୍ଡ ରହିଛି । ସେ ଦିନିକିଆରେ ୨୦୦ ୱିକେଟ୍ ନେଇଥିବା ପ୍ରଥମ ବୋଲର ହୋଇଥିଲେ । ଅବସର ନେବା ସମୟରେ, କପିଳ ଦେବଙ୍କ ପାଖରେ ୪୩୪ ସହିତ ଟେଷ୍ଟରେ ସର୍ବାଧିକ ୱିକେଟ୍ ମଧ୍ୟ ଥିଲା । ୩୫୬ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି କପିଳ । ୯,୦୩୧ ରନ୍ କରିଛନ୍ତି । ସେଥିରେ ୯ ଶତକ, ୪୧ ଅର୍ଦ୍ଧଶତକ ରହିଛି । ୬୮୭ ୱିକେଟ ହାସଲ କରିଛନ୍ତି । ୨୪ ଥର ୫ ୱିକେଟ ହାସଲ କରିବାର ରେକର୍ଡ କରିଛନ୍ତି କପିଳ ଦେବ । ୧୯୮୩ରେ ଅଧିନାୟକ ହିସାବରେ ବିଶ୍ୱକପ ଜିତିଥିଲେ । ୧୯୮୮ ଏବଂ ୧୯୯୧ରେ ଏସିସି ଏସିଆ କପ ଜିତିଥିଲା ଭାରତ ।
ବିଜୟର ମୂଳଦୁଆ ପକାଇଥିଲେ କପିଳ- ପ୍ରଥମ କ୍ରିକେଟ ବିଶ୍ୱକପ୍ ୧୯୭୫ ମସିହାରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା । ୩ଟି ମ୍ୟାଚ୍ରେ ଦୁଇଟି ପରାଜୟ ସହିତ ଦଳ ଗ୍ରୁପ୍ ପର୍ଯ୍ୟାୟରୁ ବାଦ ପଡ଼ିଥିଲା । ଏହାପରେ ୪ ବର୍ଷ ପରେ, ୧୯୭୯ ବିଶ୍ୱକପରେ, ଭାରତ ତା'ର ଖୋଲିପାରିଲା ନାହିଁ । ଏହା ପରେ ପରେ ୧୯୮୩ ବିଶ୍ୱକପ ଖେଳିଥିଲା ଭାରତ । କପିଳ ଦେବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ମଇଦାନକୁ ଓହ୍ଲାଇଥିଲା । ଯଦିଓ, ଏଥର ମଧ୍ୟ ଦଳ ପାଇଁ କେହି ଆଶା ରଖି ନଥିଲେ କିନ୍ତୁ ଚମତ୍କାର କରିଥିଲା ଟିମ୍ । ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ କ୍ରିକେଟ୍ ଜଗତକୁ ଆଶ୍ଚର୍ଯ୍ୟ କରିଥିଲା । ଏହି ବିଜୟ ମଧ୍ୟ ସ୍ୱତନ୍ତ୍ର ଥିଲା କାରଣ ୱେଷ୍ଟଇଣ୍ଡିଜ୍ ପୂର୍ବରୁ ଉଭୟ ବିଶ୍ୱକପ୍ ଜିତିଥିଲା । ଶେଷ ଗ୍ରୁପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ସେମିଫାଇନାଲ୍ରେ ଇଂଲଣ୍ଡକୁ ଏବଂ ପରେ ଫାଇନାଲ୍ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ପ୍ରଥମ ବିଶ୍ୱକପ୍ ଜିତିଥିଲା । ଏହି ବିଜୟ ଭାରତୀୟ ଦଳର ଆଭିମୁଖ୍ୟକୁ ବଦଳାଇ ଦେଇଥିଲା । ସେହି ବିଶ୍ୱକପ୍ ବିଜୟ ଭାରତୀୟ କ୍ରିକେଟକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିଥିଲା ।
କପିଳଙ୍କୁ ସମ୍ମାନ- ୧୯୮୦ରେ ଅର୍ଜୁନ ପୁରସ୍କାର । ୧୯୮୨ରେ ପଦ୍ମଶ୍ରୀ ସମ୍ମାନ । ୧୯୮୩ରେ ୱିସଡେନ୍ କ୍ରିକେଟ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହୋଇଥିଲେ । ୧୯୯୧ରେ ପଦ୍ମଭୂଷଣ । ୨୦୧୦ରେ ଆଇସିସି ହଲ୍ ଅଫ୍ ଫେମ୍ ସହ ସିକେ ନାୟୁଡୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ । ୨୦୧୯ରେ ଭାରତ ଗୌରମ ସମ୍ମାନରେ ସମ୍ମାନିତ ହୋଇଥିଲେ କପିଳ ଦେବ ।