ସମ୍ବଲପୁର, ୨୩।୧୦: ଚାକିରି ଦେବା ନାଁରେ ଠକେଇ। ଟଙ୍କା ନେଇ ଚାକିରି ଦେବା ଅଭିଯୋଗରେ ୨ ଜଣକୁ ଗିରଫ କଲା ବୁର୍ଲା ପୋଲିସ। ଅଭିଯୁକ୍ତଙ୍କ ଠାରୁ ନଗଦ ୬୨ ଲକ୍ଷ ୧ ହଜାର ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାହୁଲ ରାଏ ଓ ପଦ୍ମାବତୀ ତାଣ୍ଡି ।
ଗିରଫ ଅଭିଯୁକ୍ତମାନେ ଲୋକଙ୍କ ଭରସା ଜିତି ସଫେଇ କର୍ମୀ ଭାବେ କାର୍ଯ୍ୟ ଦେବା ପାଇଁ ପାଖାପାଖି ୨ କୋଟି ଟଙ୍କା ଠକି ନେଇଥିବା ସମ୍ବଲପୁର ଏସପି କହିଛନ୍ତି । ଏମାନେ ବରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ନିଜର ନେଟଓ୍ବାର୍କ ଚଲାଇଥିଲେ । ଜଣଙ୍କୁ ଚାକିରୀ ଦେବା ପାଇଁ ୧୨ ହଜାର ଟଙ୍କା ଲେଖାଏଁ ନେଉଥିଲେ। ଲୋକଙ୍କୁ ମିଛ ଚାକିରୀ ଦେବା ସହ ମିଛ କାମ କରାଉଥିବା ଅଭିଯୋଗ ହୋଇଥିଲା। ବୁର୍ଲା ପୋଲିସ ଘଟଣାର ତଦନ୍ତ କରି ରାହୁଲ ରାଏ ଓ ପଦ୍ମାବତୀ ତାଣ୍ଡିଙ୍କୁ ଗିରଫ କରିଛି । RMAX - PVT LTD ନାଁରେ ଗୋଟିଏ ମିଛ କମ୍ପାନୀ ମଧ୍ୟ ଖୋଲିଥିବା ଏସପି କହିଛନ୍ତି । ସେମାନେ ମିଛ ନିଯୁକ୍ତି ଦେଇ ଲୋକଙ୍କୁ କିଛି ଦିନ ମିଛ କାମ ମଧ୍ୟ କରାଇଛନ୍ତି।