କଟକ, ୦୭/୦୧ : ସାଲେପୁର ଥାନା ମାତନଗର ଗାଁର ସୟଦ ଖାନ୍। ଇଣ୍ଟର୍ନେଟ୍ରୁ ଶିଶୁ ସମ୍ପର୍କିତ ଅଶ୍ଳୀଳ ଭିଡିଓ (ଚାଇଲ୍ଡ ପର୍ଣ୍ଣ) ଡାଉନ୍ଲୋଡ୍ କରୁଥିଲେ, ଫୋନ୍ରେ ଦେଖୁଥିଲେ । ଏକାଧିକ ବାର ସେ ଏସବୁକୁ ଅନ୍ୟ ୱେବ୍ସାଇଟ୍ରେ ଅପ୍ଲୋଡ୍ କରିଥିଲେ। ସେହିପରି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଧାନବାଦର ମୁକେଶ ବାରିକ୍, ନିଜ ଫୋନ୍ରେ ସମାନ ଧରଣର ଭିଡିଓ ରଖିଥିଲେ । ବିଭିନ୍ନ ଟେଲିଗ୍ରାମ୍ ଗ୍ରୁପ୍ରୁ ଉକ୍ତ ଭିଡିଓ ପାଇବା ପରେ ବାରମ୍ବାର ହ୍ୱାଟ୍ସ ଆପ୍ରେ ଫରୱାଡ୍ର୍ କରୁଥିଲେ । ଭିନ୍ନ ଭିନ୍ନ ସୋସିଆଲ୍ ମିଡିଆରେ ସାଙ୍ଗସାଥୀଙ୍କୁ ପଠାଉଥିଲେ । ଏବେ ସୟଦ ଖାନ୍ ଓ ମୁକେଶ ବାରିକ୍ ଗିରଫ ହୋଇ ଜେଲ୍ରେ ଅଛନ୍ତି । ପୋକ୍ସୋ ଆକ୍ଟ ଓ ଆଇଟି ଆକ୍ଟର ସଙ୍ଗିନ ଧାରାରେ ଦୁଇ ଦିନରେ ଉଭୟଙ୍କୁ ଗିରଫ କରାଯାଇଛି । ଆଇନ ବିଶେଷଜ୍ଞ କହୁଛନ୍ତି ପୁଲିସ ପାଖରେ ଯେଉଁ ଠୋସ୍ ତଥ୍ୟ ପ୍ରମାଣ ରହିଛି ସେଥିରେ ଉଭୟ ପ୍ରାୟ ୫ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ପାଇପାରନ୍ତି । ସହଜରେ ଜାମିନ ମିଳିବା କଷ୍ଟକର।
ଇଣ୍ଟର୍ନେଟ୍ରେ ଅଶ୍ଳୀଳ ଭିଡିଓ ସର୍ଚ୍ଚ କଲେ ଦଣ୍ଡ
ଭାରତ ସରକାର ଶିଶୁ ସମ୍ପର୍କିତ ଓ ଶିଶୁ ଜଡ଼ିତ ଥିବା ଅଶ୍ଳୀଳ ଭିଡିଓର ସମସ୍ତ ୱେବ୍ସାଇଟ୍କୁ ନିଷେଧ କରିଛନ୍ତି । ସୁପ୍ରିମ୍କୋର୍ଟ ଏ ବିଷୟରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦେଶରେ ଶିଶୁ ସମ୍ପର୍କିତ ଅଶ୍ଳୀଳ ଫଟୋ ଓ ଭିଡିଓକୁ ଦେଖିବା, ଇଣ୍ଟରନେଟ୍ରୁ ଡାଉନ୍ଲୋଡ୍ କରିବା ଏପରିକି ନିଜ ଫୋନ୍ରେ ରଖିବା ମଧ୍ୟ ସଙ୍ଗିନ ଅପରାଧ ବୋଲି କହିଛନ୍ତି । ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ୨୦୨୪ ସେପ୍ଟେମ୍ବରରେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି କ୍ରମରେ ଶିଶୁ ବା ନାବାଳିକା-ନାବାଳକଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।
ଇଣ୍ଟରନେଟ୍ ତଥ୍ୟ ଉପରେ‘ଏନ୍ସିଆର୍ବି’ର କଡ଼ା ନଜର
ଇଣ୍ଟରନେଟ୍ରେ କିଏ ଏହାକୁ ଦେଖୁଛି, କିଏ ଭିଡିଓ ଅପ୍ଲୋଡ୍ କରୁଛି, କିଏ ଡାଉନ୍ଲୋଡ୍ କରୁଛି, କିଏ କାହାକୁ ଏଭଳି ଫଟୋ-ଭିଡିଓ ପଠାଉଛି, କେତେ ଥର ପଠାଉଛି ତାହା ଉପରେ ନଜର ରଖାଯାଉଛି । ଏ ନେଇ ସମ୍ୟକ ତଥ୍ୟ ଏନ୍ସିଆର୍ବି ପାଇବା ମାତ୍ରେ ତୁରନ୍ତ ତାହାକୁ ରାଜ୍ୟ କ୍ରାଇମ୍ବ୍ରାଞ୍ଚ୍କୁ ପଠାଉଛି । ଏହାପରେ କ୍ରାଇମ୍ବ୍ରାଞ୍ଚ୍ ସ୍ଥାନୀୟ ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟକୁ ଉକ୍ତ ତଥ୍ୟ ପଠାଉଛି । ଏସ୍ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସାଇବର୍ କମ୍ପେ୍ଲକ୍ସ ସହଯୋଗରେ ବିସ୍ତୃତ ବିବରଣୀ ବାହାର କରାଯାଉଛି ଯେଉଁଥିରେ ଚାଇଲ୍ଡ ପର୍ଣ୍ଣ ଦେଖିଥିବା କିମ୍ବା ଫରୱାର୍ଡ କରିଥିବା ମୋବାଇଲ୍ ବ୍ୟବହାରକାରୀଙ୍କ ଆଇପି ଆଡ୍ରେସ୍ (ଇଣ୍ଟରନେଟ୍ ପ୍ରୋଟୋକଲ୍ ବା ଇଣ୍ଟରନେଟ୍ରେ ଥିବା ଫୋନ୍ର ଠିକଣା), ମୋବାଇଲ୍ ଲୋକେସନ୍, କେଉଁ ଲୋକେସନ୍ରେ ଉକ୍ତ ଭିଡିଓ ଦେଖାଯାଇଥିଲା, କେଉଁ ଇଣ୍ଟରନେଟ୍ ବ୍ୟବହାର କରାଯାଇଥିଲା(ମୋବାଇଲ୍ ଇଣ୍ଟରନେଟ୍ ବା ୱାଇଫାଇ), ଉକ୍ତ ଭିଡିଓ ଦେଖିବା ବେଳେ ଭିପିଏନ୍ (ଭର୍ଚୁଆଲ୍ ପ୍ରାଇଭେଟ୍ ନେଟ୍ୱର୍କ) ବ୍ୟବହାର ହୋଇଥିଲା କି ନାହିଁ ସେସବୁ ତଥ୍ୟ ସଂଗ୍ରହ କରାଯାଉଛି ।
ଫୋନ୍ରେ ‘ଚାଇଲ୍ଡ ପର୍ଣ୍ଣ’ ରଖିଲେ ବା ଫର୍ୱାର୍ଡ କଲେ ଅପରାଧ
ଏସବୁ ତଥ୍ୟ ଆସିବା ପରେ ଯେଉଁ ଭିଡିଓଗୁଡ଼ିକ ଇଣ୍ଟରନେଟ୍ ବ୍ୟବହାର କରି ଦେଖାଯାଇଛି, ଡାଉନ୍ଲୋଡ୍ କରାଯାଇଛି କିମ୍ବା ଅପ୍ଲୋଡ୍ କରାଯାଇଛି ତାହାକୁ ମଧ୍ୟ ସଂଗ୍ରହ କରାଯାଉଛି । ଯେଉଁ ବ୍ରାଉଜର୍ ବ୍ୟବହାର ହୋଇଛି (ଗୁଗଲ୍, କ୍ରୋମ୍, ମୋଜିଲା, ଇଣ୍ଟରନେଟ୍ ଏକ୍ସପ୍ଲୋରର, ଅପରୋ) ତା’ଠାରୁ ଭିଡିଓ ସଂଗ୍ରହ ହେଉଛି । ଉକ୍ତ ଭିଡିଓ ଗୁଡ଼ିକ ବ୍ରାଉଜରର ‘କ୍ଲାଉଡ୍’ ବା ଭର୍ଚୁଆଲ୍ ଷ୍ଟୋରେଜ୍ରୁ ଅଣାଯାଉଛି । ଏହାକୁ ହିଁ ପ୍ରମାଣ ଭାବେ ପୁଲିସ ବ୍ୟବହାର କରୁଛି । ଏହି ଭିଡିଓ ପୁଲିସ ହାତରେ ଲାଗିବା ପରେ ଉକ୍ତ ମୋବାଇଲ୍ ବ୍ୟବହାରକାରୀଙ୍କ ଠିକଣା ଅନୁସାରେ ସ୍ଥାନୀୟ ଥାନାରେ ମାମଲା କରାଯାଉଛି । ଏହି ମାମଲା ଆଇଟି ଆକ୍ଟ ଓ ପୋକ୍ସୋ ଆକ୍ଟରେ ହେଉଛି ଏବଂ ଅଭିଯୁକ୍ତ ଗିରଫ ପରେ କୋର୍ଟଚାଲାଣ କରାଯାଉଛି । ଏପରିକି ଅଭିଯୁକ୍ତକୁ ଗିରଫ କରାଯିବା ପରେ ଯଦି ତା’ ଫୋନ୍ରୁ କିଛି ଭିଡିଓ ବା ବ୍ରାଉଜିଂ ହିଷ୍ଟ୍ରି ନ ମିଳୁଛି ତେବେ ପୁଲିସ ପୂର୍ବରୁ ପାଇଥିବା ବୈଷୟିକ ତଥ୍ୟ ଓ ଭିଡିଓକୁ ପ୍ରମାଣ ଆଧାରରେ କୋର୍ଟରେ ଉପସ୍ଥାପନ କରୁଛି । ଏଭଳି ମାଳମାଳ ମାମଲା ଏବେ ଦେଶ ତମାମ୍ ମିଳୁଛି । ଏହି କ୍ରମରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚ୍ ପ୍ରାୟ ୪୧ଟି ମୋବାଇଲ୍କୁ ନିଜ ସ୍କାନର୍ରେ ରଖିଛି । ଏସବୁର ତଥ୍ୟ ବିଶ୍ଲେଷଣ ଚାଲିଛି । ଆବଶ୍ୟକ ହେଲେ ସ୍ଥାନୀୟ ପୁଲିସକୁ ପଠାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।