ଚନ୍ଦାହାଣ୍ଡି, ୪।୧୧ : ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଅଣ୍ଟିପଡ଼ା ସବସେଣ୍ଟରରୁ ଚୋରି ମାମଲାରେ ଚନ୍ଦାହାଣ୍ଡି ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୨ ଜଣ ହେଲେ କୈଳାସ ସାହୁ ଏବଂ ଚୈତନ୍ୟ ସାହୁ।
ଗତ ୩୧ ତାରିଖ ରାତିରେ ଆଣ୍ଟିପଡ଼ା ସବ ସେଣ୍ଟରରୁ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଝରକା ଭାଙ୍ଗି ସେଠାରେ ଥିବା ୮ ଟି ଫ୍ୟାନ, ୨ଟି ବ୍ୟାଟେରୀ, ୨ ଟି ମୋବାଇଲ, ଗୋଟିଏ ଲାପଟପ, ଗୋଟିଏ ଗ୍ରାଇଣ୍ଡର, ଗୋଟିଏ ଗ୍ୟାସ ଚୁଲି, ଗୋଟିଏ ପ୍ରେସର କୁକର ଚୋରି କରି ନେଇ ଥିଲେ। ଉକ୍ତ ସବ ସେଣ୍ଟର ରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀ ଯଜ୍ଞସେନି ସାହୁ ସକାଳେ ସେଣ୍ଟର କୁ ଆସି ଚୋରି ହୋଇଥିବା ଦେଖିବାକୁ ପାଇ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଚନ୍ଦାହାଣ୍ଡି ଆଇଆଇସି ପ୍ରଶାନ୍ତ କୋଲାରସ ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରି ଏ ଏସ ଆଇ ବସନ୍ତ କୁମାର ସ୍ୱାଇଁ ଙ୍କୁ ତଦନ୍ତ ଭାର ଦେଇଥିଲେ। ଏହି ମାମଲା ରେ ପୁଲିସ ଅଣ୍ଟିପଡ଼ା ଗ୍ରାମର କୈଳାସ ସାହୁ ଏବଂ ଚୈତନ୍ୟ ସାହୁକୁ ଥାନାରେ ଆଣି ଅଟକ ରଖି ପଚରାଉଚରା କରିଥିଲେ । ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।