ଭୁବନେଶ୍ୱର, ୨୧/୦୩: ରାଜଧାନୀରେ ପୁଣି ମାତିଲେ ଚେନ୍‌ ସ୍ନାଚର୍‌ । ଗୋଟିଏ ଦିନରେ ଦୁଇଟି ସ୍ଥାନରୁ କରିଲେ ଲୁଟ୍‌ । ଦିନ ଦ୍ୱିପ୍ରହରରେ ବେକରୁ ଝାମ୍ପିନେଲେ ପାଖାପାଖି ୧୦ ଲକ୍ଷ ଟଙ୍କାର ସୁନା ଚେନ୍‌ । ଏହି ଲୁଟ୍‌ ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳର ବିପିନ ବିହାରୀ ପାତ୍ରଙ୍କ ଠାରୁ ହୋଇଥିବା ବେଳେ ଦ୍ୱିତୀୟ ଲୁଟ୍‌ଟି ପଳାଶୁଣୀ ଛକ ନିକଟରୁ ହେଇଛି । 

ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ସୂଚନା ମୁତାବକ, ରାଜଧାନୀରେ ଉତ୍ପାତ ହେଲେଣି ଲୁଟେରା । ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରୁ ଲୁଟି ନେଲେ ସୁନା ଚେନ୍‌ । ପ୍ରଥମ ଲୁଟ୍‌ ବଡ଼ଗଡ଼ ଅଞ୍ଚଳରୁ ହୋଇଛି । ବଡ଼ଗଡ଼ ଅଞ୍ଚଳର ବିପିନ ବିହାରୀ ପାତ୍ର ଗୁରୁବାର ସକାଳ ସମୟରେ ବିଡିଏ ପାର୍କ ନିକଟସ୍ଥ ଏକ ପୂଜା ସାମଗ୍ରୀ ଦୋକାନକୁ ଯାଇଥିଲେ । ସେଠାରୁ ପୂଜା ସାମଗ୍ରୀ କିଣି ଗାଡ଼ି ଷ୍ଟାର୍ଟ କରିବା ବେଳେ ଏହି ଲୁଟ୍‌ ହୋଇଛି । ରାସ୍ତାର ରଙ୍ଗ୍‌ ସାଇଡ୍‌ରେ ଦୁଇଜଣ ଦୁର୍ବୃତ୍ତ ଏକ ପଲ୍ସର୍‌ ବାଇକ୍‌ରେ ଆସି ବ୍ୟକ୍ତିଙ୍କ ବେକରୁ ଦୁଇଟି ସୁନା ଚେନ୍‌ ଝାମ୍ପି ନେଇଥିଲେ । ଏନେଇ ବ୍ୟକ୍ତି ଜଣକ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି ।

ସେପଟେ ପଳାଶୁଣୀ ଛକରେ ଆଉ ଏକ ଲୁଟ୍‌ ହୋଇଛି । ମହିଳା ଜଣକ ଫର୍ଚୁନର୍‌ କାର୍‌ ଭିତରେ ବସିଥିବା ବେଳେ କାର୍‌ର ୱିନ୍‌ଡୋ ଖୋଲା ଥିଲା । ଏହି ସମୟରେ ଦୁଇ ଲୁଟେରା ଏକ ଆପାଚି ବାଇକ୍‌ରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ପୋଲିସ ତଦନ୍ତ ଆରମ୍ଭ କରିଛି । ଲୁଟ୍‌ ହୋଇଥିବା ସ୍ଥାନର ଆଖପାଖରେ ଲାଗିଥିବା ସମସ୍ତ ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ ।