‘ବାୟୁ: ଗୁରୁତ୍ବପୂର୍ଣ୍ଣ ଜୀବନ ଶକ୍ତି’ ଉପରେ ୨ ଦିନିଆ ଆଲୋଚନା ଚକ୍ର, ଉଦଘାଟନ କଲେ ରାଜ୍ୟପାଳ

ଭୁବନେଶ୍ବର ୦୩/ ୧୨: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଭୁବନେଶ୍ବରରେ ୨ ଦିନିଆ ଜାତୀୟ ଆଲୋଚନା ଚକ୍ର ‘ବାୟୁ: ଗୁରୁତ୍ବପୂର୍ଣ୍ଣ ଜୀବନ ଶକ୍ତି’ (Vayu: The Vital Life Force) ଉଦଘାଟନ କରିଛନ୍ତି ।
ଉଦଘାଟନ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ କହିଛନ୍ତି, ‘ଏହି ଆଲୋଚନା ଚକ୍ରର ମହତ୍ତ୍ବ ହେଉଛି ଆନ୍ତରିକ ଜାଗରଣ’ । ସେହିଭଳି କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ କହିଛନ୍ତି, ‘ସ୍ଥାୟୀ ଉତ୍ପାଦନ ଏବଂ ସ୍ଥାୟୀ ବ୍ୟବହାର ଯାହାକି ମିଶନ LiFEର ଏକ ଅଂଶ ଯାହାକି ଜଳବାୟୁ ପରିବର୍ତ୍ତନ ଏବଂ ବାୟୁ ପ୍ରଦୂଷଣକୁ ରୋକିପାରିବ’।

ଜାତୀୟ ସ୍ବଚ୍ଛ ବାୟୁ ସହର (National Clean Air City) ଭାବେ ପ୍ରଥମ ଥର ପାଇଁ ଦେଶର ମୋଟ ୯ଟି ସହରକୁ ୫ କୋଟି ଟଙ୍କାର ପୁରସ୍କାର ପ୍ରଧାନ କରାଯାଇଛି । ସ୍ବାଧୀନତାର ଅମୃତ ମହୋତ୍ସବର ଏକ ଅଂଶ ଭାବେ ‘ବାୟୁ: ଗୁରୁତ୍ବପୂର୍ଣ୍ଣ ଜୀବନ ଶକ୍ତି’ର ଦୁଇ ଦିନିଆ ଆଲୋଚନା ଚକ୍ର ଆୟୋଜନ କରାଯାଉଛି । ଏହି କନଫରେନ୍ସର ମୂଳ ଲକ୍ଷ୍ୟ ହେଉଛି ପଞ୍ଚମହାଭୂତ (ସୃଷ୍ଟିର ପାଞ୍ଚଟି ଜରୁରୀ ଉପାଦାନ) ଆଧାରରେ ପୂରା ବିଶ୍ବକୁ ଭାରତର ଭାବନାକୁ ପରିପ୍ରକାଶ କରିବା ।
ଉଦଘାଟନୀ ଉତ୍ସବରେ ରାଜ୍ୟପାଳ କହିଛନ୍ତି, ‘ସ୍ବାଧୀନତାର ଅମୃତ ମହୋତ୍ସବ ହେଉଛି ଭାରତ ତଥା ବିଶ୍ବକୁ ବଡ ପରିମାଣର କିଛି ଫେରାଇବା । କାରଣ ବିଶ୍ବ ଏବେ ତୀବ୍ର ଗତିରେ ବ୍ୟକ୍ତିଗତବାଦ ଆଡକୁ ଗତି କରୁଛି । ଏହି କନଫରେନ୍ସର ମୂଳ ଲକ୍ଷ୍ୟ ହେଉଛି ବ୍ରହ୍ବାଣ୍ଡ ଏବଂ ମଣିଷପଣିଆ ମଧ୍ୟରେ ଥିବା ସଂଯୋଗକୁ ବ୍ୟକ୍ତିବିଶେଷଙ୍କୁ ହୃଦବୋଧ କରାଇବା । କାରଣ ପୂରା ବ୍ରହ୍ମାଣ୍ଡ ସହଯୋଗ ଏବଂ ସହଭାଗିତା ଦ୍ବାରା ହିଁ ଚାଲୁଛି । ତେଣୁ ‘ବାୟୁ: ଗୁରୁତ୍ବପୂର୍ଣ୍ଣ ଜୀବନ ଶକ୍ତି’ ମଧ୍ୟ ସେହି ପଞ୍ଚମହାଭୂତ ତତ୍ତ୍ବରୁ ଅଲଗା ହୋଇପାରିବ ନାହିଁ । ଏହାକୁ ମଧ୍ୟ ଏକତ୍ରିତ ଭାବିବା ଆବଶ୍ୟକ । କେନ୍ଦ୍ର ସରକାର ଯେଉଁଭଳି ଭାବେ ପରିବେଶ ପାଇଁ ଚିନ୍ତିତ ଏବଂ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି ତାହା ପ୍ରକୃତରେ ପ୍ରଶଂସନୀୟ’।

କେନ୍ଦ୍ର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏହି ଅବସରରେ ରାଜ୍ୟପାଳଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବାକୁ ସେ ପ୍ରଶଂସା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଜଳବାୟୁ ପରିବର୍ତ୍ତନ ଦ୍ବାରା ହେଉଥିବା ସମସ୍ୟା ସବୁକୁ ବୁଝିବାକୁ ହେବ । ଆମେ ମାନେ ପ୍ରତ୍ୟେକ, ଦେଶ ତଥା ବିଶ୍ବର ଦାୟିତ୍ବ ନେବା ଉଚିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ, ବାୟୁ ପ୍ରଦୂଷଣ ଏବଂ ପାଣିପାଗ ପରିବର୍ତ୍ତନକୁ ରୋକିବାରେ ବିଶେଷ ସଫଳତା ପାଇଛି । ଏହା ସହିତ ଏନର୍ଜି ସେକ୍ଟର ପାଇଁ ଅନ୍ତର୍ଜାତୀୟ ସୌର ବୁଝାମଣା (International Solar Alliance), ବିଦ୍ୟୁତ ଚାଳିତ ଗାଡିଗୁଡିକୁ ଅଧିକରୁ ଅଧିକ ଲୋକାଭିମୁଖୀ କରିବା ଏବଂ ଯାନବାହନ ଗୁଡିକ ପାଇଁ ଇଥେନାଲ୍ ମିଶ୍ରଣ ବାଧ୍ୟତାମୂଳକ କରିବା ଭଳି ପଦକ୍ଷେପ ନିଆଯାଇଛି । କେବଳ ସେତିକି ନୁହେଁ ଶିଳ୍ପ ସଂସ୍ଥାନ ଗୁଡିକରେ ସ୍ବଚ୍ଛ ଇନ୍ଧନ ଯୋଗାଇବା, ଏକକ ପ୍ଲାଷ୍ଟିକ ବ୍ୟବହାର ମଧ୍ୟ ଏହାର ଏକ ଅଂଶ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
