ଚିକିଟି,୧୦।୯ - କେ. ନୂଆଗାଁ ଥାନା ଅଧୀନରେ ବୁଧବାର ପୃଥକ ସ୍ଥାନରୁ ଦୁଇଟି ମୃତଦେହ ଉଦ୍ଧାର କରିଛି ପୁଲିସ। ଚିକିଟି ପେଣ୍ଠ ୟୁନିୟନ ବ୍ୟାଙ୍କ ମୁଖ୍ୟରାସ୍ତା ପାର୍ଶ୍ୱ ଏକ ଘରୁ ଜଣେ ବୃଦ୍ଧଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ସେହିପରି ଗଡ଼ ଗୋବିନ୍ଦପୁର କେନାଲ ହିଡ଼ ନିକଟରୁ ଜଣେ ବୃଦ୍ଧଙ୍କ ଏକ ଗଳିତ ମୃତଦେହ ପୁଲିସ ଉଦ୍ଧାର କରିଛି।
ଚିକିଟି ପେଣ୍ଠ ୟୁନିୟନ ବ୍ୟାଙ୍କ ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ଏକ ଘରେ ସୁରେନ୍ଦ୍ର ବେହେରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରର ପୁଲିସ ଉଦ୍ଧାର କରିଛି। ସକାଳୁ ସୁରେନ୍ଦ୍ରର ସାନପୁଅ ବାପାକୁ ଝୁଲନ୍ତା ଅବସ୍ଥାରେ ଦେଖି ବାହାରପଟୁ ତାଲା ଦେଇ କେ.ନୂଆଗାଁ ଥାନାରେ ପହଞ୍ଚି ଥାନାରେ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠେଇ ତଦନ୍ତ କରୁଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମଙ୍ଗଳବାର ରାତିରେ ସୁରେନ୍ଦ୍ରର ଦୁଇପୁଅଙ୍କ ସହ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ଏହା ପରେ ବାପାକୁ ଆଣି ଘରେ ଛାଡିଥିଲେ। ବୁଧବାର ସକାଳୁ ସୁରେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏହା ହତ୍ୟା ନା ଆତ୍ମହତ୍ୟା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏନେଇ ଥାନା ଅଧିକାରୀଙ୍କୁ ପଚାରିବାରୁ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି l
ସେହ ଏହି ଥାନା ଅନ୍ତର୍ଗତ ଗଡ଼ଗୋବିନ୍ଦପୁର କେନାଲ ହିଡ଼ ନିକଟରୁ ଏକ ଗଳିତ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ଗଡ଼ଗୋବିନ୍ଦପୁର ଗ୍ରାମର କେ. ପୁନି। ସେ ମାନସିକ ଭାରସାମ୍ୟ ହରାଇ ଏଣେତେଣେ ବୁଲୁଥିଲେ ବୋଲି ପରିବାର ବର୍ଗ ପୁଲିସକୁ କହିଛନ୍ତି। ଘଟଣା ସ୍ଥଳରେ କେ ନୂଆଗାଁ ପୁଲିସ ପହଂଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠେଇଛି। ଘଟଣାର ତଦନ୍ତ କରାଯାଉଥିବା ଥାନା ଅଧିକାରୀ କିଶୋର ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି l