କୁକୁଡାଖଣ୍ଡି, ୨୯।୮ :  ସଦରଥାନା ଅନ୍ତର୍ଗତ ବାଇଗଣ ବାଡ଼ି ଛକରେ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଟାଟା ଏସି। ଘଟଣାସ୍ଥଳରେ ୨ ମୃତ। ମୃତକ ହେଲେ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ଗ୍ରାମର କର୍ଣ୍ଣ ସେଠି ଓ ସନାତନ ସୁଆଁସିଆ ।

ଖଲିଙ୍ଗି ଗ୍ରାମର କର୍ଣ୍ଣ ଓ ସନାତନ ଏକ ବାଇକରେ କୌଣସି କାମରେ ବ୍ରହ୍ମପୁର ଆସିଥିଲେ  କାମ ସରିବା ପରେ ଉଭୟ ବାଇକରେ ବସି ନିଜ ଗ୍ରାମ ଖଲିଙ୍ଗିକୁ ଯାଉଥିଲେ । ଏହି ସମୟରେ ଦିଗହପଣ୍ଡିରୁ ବ୍ରହ୍ମପୁର ଆଡକୁ ଆସୁଥିବା ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସୁଥିଲା । ବାଇଗଣବାଡି ଛକ ଠାରେ ପିକଅପ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାପରେ ବାଇକରେ ବସିଥିବା କର୍ଣ୍ଣ ଓ ସନାତନ ରାସ୍ତାରେ ଛିଟିକି ପଡିବା ସହ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକେ ସଦର ଥାନାକୁ ଖବର ଦେବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । 

ଏହି ଦୁର୍ଘଟଣା ପରେ ବାଇଗଣବାଡି ଅଞ୍ଚଳରେ ଉତ୍ତ୍ୟକ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ଫଳରେ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ସଡକରେ ପ୍ରାୟ ୪ ଘଣ୍ଟା ଧରି  ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଏହି ରାସ୍ତାରେ ଡିଭାଇଡର ନଥିବାରୁ ଯାନବାହନ ଅନିୟନ୍ତ୍ରିତ ହୋଇ ପ୍ରାୟତଃ ଦୁର୍ଘଟଣା ସୃଷ୍ଟି ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ । ସଦର ଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା । ଥାନା ଅଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ, ସଦର ଏସଡିପିଓ ଶୁଭ୍ରାଂଶୁ ପରିଡା, ତହସିଲଦାର ରାଜକିଶୋର ପଟ୍ଟନାୟକ ପହଞ୍ଚି ଲୋକଙ୍କୁ ମୁଝାସୁଝା କରିଥି‌ଲେ । ଶେଷରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ପହଞ୍ଚି   ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ସଦର ଥାନା ପୁଲିସ ମୃତଦେହ ଜବତ କରି  ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଥିଲା । ଦୁର୍ଘଟଣାରେ ଜଡିତ ପିକଅପ୍ ଭ୍ୟାନ୍ ଓ ବାଇକକୁ ପୁଲିସ ଜବତ କରିବା ସହ ପିକଅପ୍ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ।ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।