ଭାରତ ସୀମାରେ ୨ ଡ୍ରୋନ୍କୁ ଗୁଳିକରି ଖସାଇଲେ BSF ଯବାନ, ପାକିସ୍ତାନରୁ ପଞ୍ଜାବ ଚାଲାଣ ହେଉଥିଲା ନାର୍କୋଟିକ୍ସ

ଚଣ୍ଡିଗଡ ୨୯/ ୧୧: ପଞ୍ଜାବର ଅମୃତସର ସ୍ଥିତ ଭାରତ ଓ ପାକିସ୍ତାନ ସୀମାରେ ଦୁଇଟି ଡ୍ରୋନକୁ ଗୁଳି କରି ଖସାଇଦେଇଛନ୍ତି ବିଏସଏଫ ଯବାନ । ପାକିସ୍ତାନ ପଟୁ ଭାରତ ସୀମା ମଧ୍ୟରେ ପ୍ରବେଶ କରୁଥିବା ଦେଖି ଗୁଳିକରି ଡ୍ରୋନ୍ ଦୁଇଟିକୁ ଖସାଇଦିଆଯାଇଛି । ଡ୍ରୋନ୍ ମାଧ୍ୟମରେ ଡ୍ରଗ୍ସ ଚୋରା କାରବାର କରାଯାଉଥିବା ଜଣାପଡିଛି । ଏ ନେଇ ମଙ୍ଗଳବାର ବିଏସଏଫ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଭାରତ-ପାକ୍ ସୀମାରେ ଗୁଳିକରି ଖସାଯାଇଥିବା ଦୁଇଟି ଡ୍ରୋନରେ ପ୍ରାୟ ୧୦ କେଜିରୁ ଉର୍ଦ୍ଧ୍ବ ହେରୋଇନ ଚାଲାଣ କରାଯାଉଥିଲା । ସେଗୁଡିକୁ ବିଏସଏଫ୍ ପକ୍ଷରୁ ଜବତ କରାଯାଇଛି। ପାକିସ୍ତାନ ସୀମାନ୍ତ ଗାଁ ଚହରପୁରରେ ପାଟ୍ରୋଲିଂ ଚାଲିଥିବା ବେଳେ ଡ୍ରୋନ ଦେଖିବାକୁ ପାଇଥିଲେ ଯବାନ । ସୀମା ପାର୍ କରି ଭାରତ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଗୁଳି ଚଳାଇଥିଲେ ସୁରକ୍ଷାକର୍ମୀ ।
୭୩ ବାଟାଲିୟନର ଦୁଇ ମହିଳା ସୁରକ୍ଷାକର୍ମୀ ଡ୍ରୋନ ଦୁଇଟିକୁ ଦେଖିବା ପରେ ଗୁଳି କରିଥିଲେ । ପ୍ରାୟ ୨୫ ରାଉଣ୍ଡ ଗୁଳି କରିବା ପରେ ହେରୋଇନ ନେଇ ଯାଉଥିବା ଡ୍ରୋନ୍ ଖସିପଡିଥିଲା । ସର୍ଚ୍ଚ ଅପରେସନ ବେଳେ ଡ୍ରୋନ ନିକଟରୁ ହେରୋଇନ୍ ଏବଂ ନାର୍କୋଟିକ୍ସ ଜବତ କରାଯାଇଛି । ଗତ ଶୁକ୍ରବାର ମଧ୍ୟ ବିଏସଏଫ୍ ପକ୍ଷରୁ ସୀମାରେ ଗୋଟିଏ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଦେଇଥିଲା ।