ଭୁବନେଶ୍ୱର, ୦୪/୦୬: ଚୋରା ଗାଡ଼ିରେ ଗୋରୁ ଚାଲାଣ। ଏନେଇ ୨ କୁଖ୍ୟାତ ଲୁଟେରା ଗିରଫ କରିବା ସହ ୧୦ ଗାଡ଼ି ଜବତ କରିଛି ପୁଲିସ । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ପିପିଲି ଅଞ୍ଚଳର ଅରମାନ ଶାହ ଓ ଇଫତିକାର ଆଲାମ ବୋଲି ଜଣାପଡ଼ିଛି ।
ତେବେ ଏମାନେ ନକଲି ଚାବିରେ ରାସ୍ତାକଡ଼ରୁ ଚୁଟକିରେ ସ୍କର୍ପିଓ ଟାଟା ଏସି ଚୋରି କରୁଥିଲେ । ଆଉ ଚୋରା ଗାଡ଼ିରେ ଗଂଜେଇ, ମଦ ଚାଲାଣ ସହ ଅନ୍ୟାନ୍ୟ ଅପରାଧିକ କାମ କରୁଥିଲେ । ଏଭଳି ଏକ କୁଖ୍ୟାତ ଲୁଟେରା ଗ୍ୟାଙ୍ଗର କମିଶନରେଟ ପୁଲିସ ପର୍ଦାଫାଶ କରିଛି । ଚୋରା ଗାଡ଼ିରେ ଗୋରୁ ଚାଲାଣ କରିବା ଏହି ଗ୍ୟାଙ୍ଗର ମୁଖ୍ୟ କାମ ଥିଲା। ପୁଲିସ କମିଶନର ଡ଼. ଏସ ଦେବଦତ୍ତ ସିଂ ଙ୍କ କହିବା ମୁତାବକ, ୨ ଲୁଟେରା ରାତିବେଳା ଭୁବନେଶ୍ୱର, ପିପିଲି, ପୁରୀ, ଖୋର୍ଦ୍ଧା, ଜଟଣୀ ଅଞ୍ଚଳର ଏନଏଚ-୩୧୬ ଓ ଏନଏଚ- ୧୬ ରେ ଘୁରି ବୁଲୁଥିଲେ । ଆଉ ନକଲି ଚାବିରେ କାର, ଟାଟା ଏସି ଚୋରି କରୁଥିଲେ ।
କେବଳ ଗାଡି ଚୋରି କରୁଥିଲେ ତା ନୁହେଁ, ଚୋରି ଗାଡିରେ ଅନେକ ଅପରାଧିକ କାର୍ଯ୍ୟ କରୁଥିଲେ। ପୁଲିସକୁ ଚକମା ଦେବା ପାଇଁ ସେହି ଚୋରି ଗାଡ଼ିରେ ପଶ୍ଚିମବଙ୍ଗର ବିଭିନ୍ନ ସହରକୁ ଗାଈ ଚାଲାଣ କରୁଥିଲେ । ଜବତ ୧୦ଟି ଗାଡ଼ିରୁ ଏମାନେ ଗୋଟିଏ ଗାଡିର ପାର୍ଟସ ଖୋଲି ବିକିବାକୁ ଚେଷ୍ଟା କରୁଥିଲେ । ଏହା ସହିତ ୪ ଟି ଗାଡ଼ିକୁ ଲୁଟେରାମାନେ ସ୍କାର୍ପ କରି ଦେଇଥିବା ଜଣାପଡିଛି । ଗାଈ ଚାଲାଣ କରିବା ସହ ବଡ଼ ବଡ଼ ଅପରାଧରେ ରହିଛି ଏମାନଙ୍କର ସମ୍ପୃକ୍ତି । ଅରମାନ ଓ ଇଫତିକାର ନାଁରେ ପୁରୀ, ପିପିଲି, କଟକ, ଖୋର୍ଦ୍ଧା ସହ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୧ ରୁ ଅଧିକ ମାମଲା ରହିଛି ।