PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଯୁକ୍ତ ଦୁଇ ବିଜ୍ଞାନ ଫଳ ପ୍ରକାଶିତ; କମିଲା ପାସ୍‌ ହାର

ଭୁବନେଶ୍ୱର,୩ା୬(ବ୍ୟୁରୋ): ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ରାଜ୍ୟରେ ମୋଟ୍‌ ପାସ୍‌ ହାର ୭୨.୩୩ ପ୍ରତିଶତ ରହିଛି । ଗତବର୍ଷ ତୁଳନାରେ ଚଳିତବର୍ଷ ପାସ୍‌ ହାର ୪.୬୫ ପ୍ରତିଶତ କମ୍‌ ରହିଛି । ୨୦୧୭ରେ ପାସ୍‌ ହାର ୮୧.୧୧% ଥିବା ବେଳେ ୨୦୧୮ରେ ଏହା ୭୬.୯୮ ଓ ଚଳିତ ବର୍ଷ ୭୨.୩୩କୁ ଖସି ଆସିଛି । ଏଥରକ ବାଲେଶ୍ୱର ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ୮୬.୫୬% ଓ ଗଜପତିରେ ପାସ୍‌ହାର ସର୍ବନିମ୍ନ ୩୬.୨୦% ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି । ଛାତ୍ରୀଙ୍କ ପାସ୍‌ ହାର ୭୫.୦୨ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍‌ହାର ୭୦.୪% ରହିଛି ।

ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ ମୋଟ ୯୭,୭୫୦ ଜଣ । ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୮୭,୩୭୩ ଓ ଏକ୍ସରେଗୁଲାରଙ୍କ ସଂଖ୍ୟା ୧୦,୩୭୭ ଥିଲା । ମୋଟ ୭୦, ୭୦୬ ଜଣ ପାସ୍‌ କରିଛନ୍ତି । ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୋଟ୍‌ ୬୬, ୩୧୯ ଜଣ ପାସ କରିଥିବା ବେଳେ ୪୩୮୭ ଜଣ ଏକ୍ସରେଗୁଲାର ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ରାଜ୍ୟରେ ମୋଟ ୪୦, ୫୮ ଜଣ ଛାତ୍ର ଓ ମୋଟ ୩୦, ୬୪୮ ଜଣ ଛାତ୍ରୀ ପାସ୍‌ କରିଛନ୍ତି ।

ପାସ୍‌ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦,୮୦୬ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ବେଳେ ୨୩, ୯୦୪ ଜଣ ଦ୍ୱିତୀୟ, ୨୫, ୩୬୦ ଜଣ ତୃତୀୟ ଶ୍ରେଣୀରେ ଓ ୬୩୬ ଜଣ କମ୍ପାର୍ଟମେଣ୍ଟାଲରେ ପାସ୍‌ କରିଛନ୍ତି । ସେହିପରି ମୋଟ୍‌ ୧୩୧୭୯ ଜଣ ଅନୁସୂଚିତ ଜନଜାତି(ଏସ୍‌ଟି) ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୮୧୪ ଜଣ ପାସ କରିଥିବା ବେଳେ ପାସ୍‌ ହାର ୫୧.୯୦ ପ୍ରତିଶତ ହୋଇଛି । ଏହିବର୍ଗରେ ୭୬୯ ଜଣ ପ୍ରଥମ ଶ୍ରେଣୀ, ୧୭୭୧ ଜଣ ଦ୍ୱିତୀୟ ଶ୍ରେଣୀ, ୪୨୩୭ ଜଣ ତୃତୀୟ ଶ୍ରେଣୀ ଓ ୬୪ ଜଣ କମ୍ପାର୍ଟମେଣ୍ଟାଲ୍‌ରେ ପାସ୍‌ କରିଛନ୍ତି ।

ଚଳିତବର୍ଷ ବାଲେଶ୍ୱରରେ ମୋଟ୍‌ ୬୬୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୭୬୮ ଜଣ ପାସ୍‌ କରିଛନ୍ତି । ସେହିପରି ଗଜପତି ଜିଲ୍ଲାରେ ମୋଟ୍‌ ୧୦୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍‌ କରିଛନ୍ତି ୩୬୬ ଜଣ । ଗଜପତିରେ ପାସ୍‌ ହାର ଲଗାତର ଦୁଇ ବର୍ଷ ହେବ ସର୍ବନିମ୍ନ ରହିଛି । ଚଳିତବର୍ଷ ମାତ୍ର ଜଣେ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି ।

ରାଜ୍ୟରେ ୯ଟି କଲେଜର ପାସ୍‌ହାର ଶୂନ୍ୟ ଥିବା ବେଳେ ୨୯ଟି କଲେଜର ପାସହାର ଶତପ୍ରତିଶତ ରହିଛି । ତେବେ ଏହି ୯ଟି କଲେଜର ପରୀକ୍ଷାଫଳ ଏପରି ନୈରାଶ୍ୟଜନକ କାହିଁକି ହେଲା ତା’ର ଅନୁଧ୍ୟାନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି । ସେହିପରି ଚଳିତ ବର୍ଷ ସିସିଟିଭି ଲାଗିଥିବାରୁ ପାସ୍‌ ହାର କମିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

ଆସନ୍ତା ୧୭ ତାରିଖ ସୁଦ୍ଧା ସମସ୍ତ କଲେଜରେ ସାର୍ଟିଫିକେଟ୍‌, ମାର୍କସିଟ୍‌ ଓ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ପିଲାଙ୍କୁ ଯୋଗାଇ ଦିଆଯିବ । ରି-ଆଡିସନ ଏବଂ ରିଚେକିଂ ପ୍ରକ୍ରିୟା ଆସନ୍ତା ୬ ତାରିଖରୁ ଆରମ୍ଭ ହେବ । ୧୫ଦିନ ମଧ୍ୟରେ ଆବେଦନକାରୀମାନେ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିବେ । ଜୁଲାଇ ୧୦ ତାରିଖ ସୁଦ୍ଧା ଆବେଦନକାରୀଙ୍କୁ ଲିଙ୍କ୍‌ ଦିଆଯିବ । ଆବେଦନ କରିଥିବା ପିଲାମାନେ ସମ୍ପୃକ୍ତ ଲିଙ୍କ୍‌ ମାଧ୍ୟରେ ସେମାନଙ୍କ ଉତ୍ତରଖାତା ଦେଖିପାରିବେ । ଯଦି କିଛି ତ୍ରୁଟି ରହିଥାଏ ତେବେ ଜୁଲାଇ ୨୫ ପରେ ଅଭିଯୋଗ କରିପାରିବେ । ଏହାର ଚୂଡାନ୍ତ ଫଳ ସେପ୍ଟେମ୍ୱର ଶେଷ ସୁଦ୍ଧା ପ୍ରକାଶ କରାଯିବ । ସେହିପରି ୨୧୦ ମୋଟ ମାର୍କ ରଖି ଗୋଟିଏ ବିଷୟରେ ଫେଲ ହୋଇଥିବା ପିଲାଙ୍କ ଲାଗି ଇନ୍‌ଷ୍ଟାଣ୍ଟ୍‌ ପରୀକ୍ଷା କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବା ପରେ କରାଯିବ ଏବଂ ୪୫ ଦିନ ମଧ୍ୟରେ ଏହାର ଫଳ ପ୍ରକାଶ କରାଯିବ ।

ଆଜି ପୂର୍ବାହ୍ନ ୧୨ଟାରେ ଜୟଦେବ ଭବନରେ ଥିବା ଗୀତ ଗୋବିନ୍ଦ ସଦନରେ ଯୁକ୍ତ ଦୁଇ ବିଜ୍ଞାନ ଫଳ ପ୍ରକାଶ ପାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ପତ୍ରିକା ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯୁଗ୍ମ ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ୍‌, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ସଚିବ ଲୋପାମୁଦ୍ରା ମହାନ୍ତି, ପ୍ରଶାସନିକ ଅଧିକାରୀ ଦେବଜାନି ଧଳ, ବିଶ୍ୱଜିତ୍‌ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ସିଏଚଏସଇ ଯୁକ୍ତ ଦୁଇ ବିଜ୍ଞାନ ଫଳରେ ବିଜେବି ହାୟର୍‌ ସେକେଣ୍ଡାରୀ ସ୍କୁଲର ଛାତ୍ର ଭବାନୀ ଶଙ୍କର ପଟ୍ଟନାୟକ ସର୍ବାଧିକ ୫୫୯ ନମ୍ବର ରଖି ରାଜ୍ୟ ଟପର୍‌ ହୋଇଥିବା ବେଳେ ଶୁଭଶ୍ରୀ ମହାରଣା ୫୫୮ ରଖି ଦ୍ୱିତୀୟ ହୋଇଛନ୍ତି ।