ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ଥୟ! ସତ୍ତା ବଞ୍ଚାଇବାକୁ ଅଛି ମାତ୍ର ୨ଟି ବିକଳ୍ପ

ନୂଆଦିଲ୍ଲୀ ୨୩/ ୦୬: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେ ସରକାରର ପତ୍ତନ ଏକ ପ୍ରକାର ଥୟ ଜଣାପଡୁଛି । ଗତ ୩ ଦିନ ହେଲା ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା ଲାଗିରହିଥିବା ବେଳେ ଶିବସେନାର ୩୭ରୁ ଅଧିକ ବିଧାୟକ ଗୌହାଟୀର ଏକ ହୋଟେଲରେ ଅବସ୍ଥାନ କରିଛନ୍ତି । ମହା ବିକାଶ ଅଘାଡି ସରକାରରେ ଆସିଥିବା ଝଡ ଏବେ ବାତ୍ୟାରେ ପରିଣତ ହୋଇଛି ।
ଅନ୍ୟପଟେ କ୍ଷମତା ବଞ୍ଚାଇବା ପାଇଁ ମେଣ୍ଟ ସରକାରର ସହଯୋଗୀ କଂଗ୍ରେସ ଏବଂ ଏନସିପି ଜୋରଦାର ପ୍ରୟାସ କରୁଛନ୍ତି । କିନ୍ତୁ କୌଣସି ନିଷ୍କର୍ଷ ବାହାରିବା ବଦଳରେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ଏପରିକି ଖୁବଶୀଘ୍ର ମହାରାଷ୍ଟ୍ର ସରକାରର ପତ୍ତନ ଘଟିବ ବୋଲି ରାଜନୈତିକ ବିଶ୍ଲେଷକ ମାନେ ମତ ଦେଉଛନ୍ତି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟରେ ସରକାର ବଞ୍ଚାଇବା ପାଇଁ ଦୁଇଟି ବିକଳ୍ପ ହିଁ ରହିଛି ।
ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ କରି ସତ୍ତା ରଖିପାରିବେ ଉଦ୍ଧବ
ଶିବସେନାର ମୋଟ ୫୫ ଜଣ ବିଧାୟକଙ୍କ ମଧ୍ୟରୁ ୪୦ରୁ ଅଧିକ ଏବେ ଫାୟାରବ୍ରାଣ୍ଡ ନେତା ଏକନାଥ ସିନ୍ଧେଙ୍କ କ୍ୟାମ୍ପରେ । ତେଣୁ ଏବେ ନିଜ ଚୌକି ଅପେକ୍ଷା ଦଳ ଏବଂ ସତ୍ତାକୁ ବଞ୍ଚାଇବା ବଡ ଚ୍ୟାଲେଞ୍ଜ ହୋଇ ଛିଡାହୋଇଛି । ଏଥିପାଇଁ ଉଦ୍ଧବ ଠାକରେଙ୍କୁ ବଡ ତ୍ୟାଗ କରିବାକୁ ହେବ । ଅର୍ଥାତ ମୁଖ୍ୟମନ୍ତ୍ରୀ ପଦରୁ ହଟି ଏକନାଥ ସିନ୍ଧେଙ୍କୁ ଯଦି ସେ ମୁଖ୍ୟମନ୍ତ୍ରୀ ଘୋଷଣା କରିଦିଅନ୍ତି ତେବେ ମେଣ୍ଟ ସରକାର ଏବଂ କ୍ଷମତା ଉଭୟ ରହିଯିବ । ନଚେତ୍ ସିନ୍ଧେ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିବା ପାଇଁ ପୂର୍ବରୁ କହିସାରିଛନ୍ତି । ତେଣୁ ସିନ୍ଧେ ମୁଖ୍ୟମନ୍ତ୍ରୀ ହେଲେ ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ଘମାସନ ଶେଷ ହୋଇପାରେ ।
ବିଜେପି ସହ ମେଣ୍ଟ ସରକାର ଗଠନ
ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଯେଉଁଭଳି ଭାବେ କଂଗ୍ରେସ ଏବଂ ଏନସିପି ସହ ମେଣ୍ଟକୁ ନେଇ ମୁହଁ ମୋଡୁଛନ୍ତି ଏଥିରୁ ଜଣାପଡୁଛି ଯେ ସେ ମେଣ୍ଟକୁ ଫେରିବାର ସମ୍ଭାବନା କମ । ଅଧିକାଂଶ ବିଧାୟକଙ୍କ ସମର୍ଥନ ଥିବାରୁ ଏକନାଥଙ୍କ ଦବଦବା ଅଧିକ । ତେଣୁ କଂଗ୍ରେସ ଏବଂ ଏନସିପି ସହ ମେଣ୍ଟ ଭାଙ୍ଗି ବିଜେପି ମେଣ୍ଟରେ ସରକାର ଗଠନ କଲେ ଉଦ୍ଧବ ତ୍ରାହି ପାଇଯିବେ । କିନ୍ତୁ ଏହା ହେଲେ ସେ ସରକାରରେ ତ ରହିବେ କିନ୍ତୁ ମୁଖ୍ୟମନ୍ତ୍ରୀ ଚୌକି ଯିବାଟା ଥୟ । ସିନ୍ଧେଙ୍କ ନିକଟରେ ଯେତିକି ବିଧାୟକଙ୍କ ସମର୍ଥନ ରହିଛି ସେଥିରେ ସେ ଏକାକି ବିଜେପି ସହ ମେଣ୍ଟ କରି ସରକାର ଗଠନ କରିପାରିବେ ଏବଂ ଉପମୁଖ୍ୟମନ୍ତ୍ରୀ ପଦବୀ ମଧ୍ୟ ପାଇପାରନ୍ତି ।