ଭୁବନେଶ୍ୱର, ୨୬/୦୫ : ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ବଉଲାଙ୍ଗ ପଞ୍ଚାୟତ କରମଙ୍ଗା ଗ୍ରାମର ଦୀନବନ୍ଧୁ ବେହେରା । ଦୀନବନ୍ଧୁ ଜଣେ ପକ୍ଷାଘାତ ରୋଗୀ । ଆଜକୁ ୩୦ ବର୍ଷ ହେଲା ସ୍ତ୍ରୀ ଅଲଗା ହୋଇରହୁଛନ୍ତି । ଦୀନବନ୍ଧୁ ଦୀର୍ଘଦିନ ହେଲା କଟକର ମହାତ୍ମା ଗାନ୍ଧି ପକ୍ଷାଘାତ ନିବାରଣ କେନ୍ଦ୍ରରେ ରହୁଛନ୍ତି । ସେ ମାସିକ ଦିବ୍ୟାଙ୍ଗ ଭତ୍ତା ୩ ହଜାର ୫୦୦ ଟଙ୍କା ପାଉଥିଲେ । ସେଥିରେ ଅତି କଷ୍ଟରେ ଚଳୁଥିଲେ । କିନ୍ତୁ ଗତ ୩ ମାସ ହେଲା ଭତ୍ତା ମିଳୁନି । କଟକରୁ ପ୍ରତି ମାସରେ ଭତ୍ତା ପାଇଁ ନିଜ ପଞ୍ଚାୟତକୁ ଦୌଡ଼ୁଛନ୍ତି । କିନ୍ତୁ ଭତ୍ତା ନ ପାଇ ନିରାଶରେ ଫେରୁଛନ୍ତି । ସୋମବାର ବି ଆସି ବିଡିଓଙ୍କୁ ଦେଖା କରିଥିଲେ । ଭତ୍ତା ଟଙ୍କା ନ ଦେଲେ ସେ କିପରି ଚଳିବେ ବୋଲି କାନ୍ଦି କାନ୍ଦି ବିଡିଓଙ୍କୁ କହୁଥିଲେ । ଏହା କେବଳ ଜଣେ ଦୀନବନ୍ଧୁଙ୍କ କାହାଣୀ ନୁହେଁ । ରାଜ୍ୟର ବହୁ ହିତାଧିକାରୀ ଭତ୍ତା ନ ପାଇ ଅତି ଦୁଃଖକଷ୍ଟରେ ବଞ୍ଚୁଛନ୍ତି । ଗତ ତିନିମାସ ହେଲା ଭତ୍ତା ମିଳିନାହିଁ । ଦିନ ପରେ ଦିନ ଗଡ଼ି ଚାଲିଛି । ଏହାକୁ ନେଇ ଅସନ୍ତୋଷ ମଧ୍ୟ ତେଜିବାରେ ଲାଗିଛି । ନ୍ୟାସ୍‌ନାଲ ସୋସିଆଲ ଆସିଷ୍ଟାନ୍ସ ପୋଗ୍ରାମ (ଏନ୍‌ଏସ୍‌ଏପି) ଯୋଜାନାରେ ରାଜ୍ୟର ୨୦ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ମିଳୁଛି ।

ଓଡ଼ିଶାରୁ ଇନ୍ଦିରା ଗାନ୍ଧି ନ୍ୟାସନାଲ ଓଲ୍‌ଡ ଏଜ୍‌ ପେନସନ ସ୍କିମ୍‌ରେ ୧୪,୨୧,୧୬୦ ହିତାଧିକାରୀ ରହିଛନ୍ତି । ୬୦ ବର୍ଷରୁ ଉର୍ଦ୍ଧ୍ୱ ୧ ହଜାର ଟଙ୍କା ଏବଂ ୮୦ରୁ ଉର୍ଦ୍ଧ୍ୱ ଲୋକ ୧୨୦୦ ଟଙ୍କା ଭତ୍ତା ପାଉଛନ୍ତି । ସେଥିମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୯୫,୭୭୨ ଜଣ ହିତାଧିକାରୀ ରହିଛନ୍ତି । ଏହା ସହ କଟକରେ ୭୭,୦୭୯, ମୟୂରଭଞ୍ଜରେ ୭୦,୭୧୨ ଜଣ, କଳାହାଣ୍ଡିରୁ ୫୪,୩୦୯ ଜଣ, ବାଲେଶ୍ୱରରୁ ୭୪,୫୪୭ ହିତାଧିକାରୀ ରହିଛନ୍ତି । ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୧୩,୯୮୫ ଜଣ ହିତାଧିକାରୀ ରହିଛନ୍ତି । ଓଡ଼ିଶାରୁ ୫,୨୫,୦୪୫ ଜଣ ଇନ୍ଦିରା ଗାନ୍ଧି ନ୍ୟାସନାଲ ୱିଡୋ ପେନସନ ସ୍କିମ୍‌ ବା ବିଧବା ଭତ୍ତା ପାଉଛନ୍ତି । ଏଥିରେ ମଧ୍ୟ ଗଞ୍ଜାମ ଆଗରେ ରହିଛି । ଏଠାରେ ମୋଟ ୪୭,୬୩୯ ଜଣ ହିତାଧିକାରୀ ରହିଥିବା ବେଳେ ମୟୂରଭଞ୍ଜରେ ୪୩,୬୯୪, କଟକରେ ୨୫,୦୦୪, ବାଲେଶ୍ୱରରେ ୨୩,୨୧୩, ରାୟଗଡ଼ାରେ ୨୩,୮୭୯ ଓ ବୌଦ୍ଧରେ ସର୍ବନିମ୍ନ ୫,୪୨୨ ହିତାଧିକାରୀ ରହିଛନ୍ତି । ଓଡ଼ିଶାରୁ ଇନ୍ଦିରା ଗାନ୍ଧି ନ୍ୟାସନାଲ ଡିଜାବିଲିଟି ବା ଦିବ୍ୟାଙ୍ଗ ଭତ୍ତା ୯୦,୨୮୩ ଲୋକ ପାଉଛନ୍ତି ।

ଏହା ଛଡ଼ା ନ୍ୟାସ୍‌ନାଲ ଫ୍ୟାମିଲି ବେନିଫିଟି ସ୍କିମ୍‌ ଜରିଆରେ ୨୪,୬୯୭ ଲୋକେ ଉପକୃତ ହେଉଛନ୍ତି । ଏହି ସବୁ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଟଙ୍କା ଟ୍ରାନ୍ସଫର ହୋଇଥାଏ । ହେଲେ ଗତ ୩ ମାସ ହେବ ରାଜ୍ୟରେ ଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ଫଳରେ ଭତ୍ତା ଟଙ୍କା ଉପରେ ନିର୍ଭର କରୁଥିବା ପରିବାର ଏବେ ଆଶା ଆଶଙ୍କାରେ ରହିଛନ୍ତି । ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଯୋଗୁ ପେଟ୍ରୋଲ, ଡିଜେଲ ସହ ଏଲ୍‌ପିଜି ସିଲିଣ୍ଡର ଦର ବଢ଼ିଛି । ଏହା ସହ ଦରଦାମ ବଢ଼ି ଚାଲିଛି । ଏପରି ସ୍ଥିତିରେ ଭତ୍ତା ଟଙ୍କା ଉପରେ ନିର୍ଭର କରି ଚଳୁଥିବା ପରିବାର ଭତ୍ତା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ଖବରଟିକୁ ପଢନ୍ତୁPanchayat Vote : ପଞ୍ଚାୟତ ଭୋଟ ଆଗରୁ ଆଭ୍ୟନ୍ତରୀଣ ସଂଘର୍ଷ, ଆଶା ବାନ୍ଧି ବସିଥିଲେ ପୁରୁଣା, ପଶିଲେଣି ମାଳମାଳ ନୂଆ