ଭୁବନେଶ୍ୱର, ୨୬/୦୫ : ସବୁଠି ନୂଆ- ପୁରୁଣା ବିବାଦ । ପୁରୁଣା ଆଶା ବାନ୍ଧି ବସିଥିଲେ । ହଠାତ୍ ପଲପଲ ହୋଇ ନୂଆ ମାଡ଼ି ଆସୁଛନ୍ତି । ସଭିଙ୍କ ନଜର କ୍ଷମତା ଆସନ ଉପରେ । ଏହାକୁ ନେଇ ରାଜ୍ୟ ସ୍ତରରୁ ତୃଣମୂଳ ଯାଏଁ ନୂଆ-ପୁରୁଣା ନେତା, କର୍ମୀଙ୍କ ଭିତରେ ଛକାପଞ୍ଝା ତେଜିଛି । ଯେବେଠୁ ବିଜେପି କ୍ଷମତାକୁ ଆସିଛି, ସେବେଠୁ ପଦ୍ମ ଦଳ ସଭିଙ୍କ ଫେଭରାଇଟ । ଉପରୁ ତଳ ସ୍ତର ଯାଏଁ ବିଜେଡି ଓ କଂଗ୍ରେସର ବହୁ ନେତା, କର୍ମୀ ବିଜେପି ମୁହାଁ । ବିଜେଡି କ୍ଷମତାରୁ ହଟିବା ପରେ ପରେ ଦଳର ୨ ରାଜ୍ୟସଭା ସାଂସଦ ବିଜେପିକୁ ପଳାଇଥିଲେ । ଏବେ ଦେବାଶିଷ ସାମନ୍ତରାୟ ବି ରାଜ୍ୟସଭା ପଦ ସହ ବିଜେଡି ଛାଡ଼ିଦେଲେ । ଖୁବଶୀଘ୍ର ବିଜେପିରେ ମିଶିବେ ।

ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ବିଧାୟକ କ୍ରସ ଭୋଟିଂ କଲେ । ସେଥିରୁ ଅଧିକାଂଶ ବିଜେପି ଯୋଗାଯୋଗରେ । କେବଳ ବିଧାୟକ ପଦ ରବ୍ଦ ହୋଇଯିବା ଭୟରେ ଏଯାଏଁ ମିଶିପାରିନାହାନ୍ତି । ବହୁ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ବି ବିଜେପିରେ ସାମିଲ ହେଲେଣି । ତୃଣମୂଳ ସ୍ତରରେ ବିଜେପିରେ ମିଶିବାକୁ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ଭିତରେ ଯେମିତି ପ୍ରତିଯୋଗିତା ଚାଲିଛି । ସରକାର ବଦଳିବା ପରେ ଏବେ ସୁଦ୍ଧା ପ୍ରାୟ ୧୮ଟି ବ୍ଲକ ବିଜେଡିରୁ ହାତରୁ ବିଜେପିକୁ ପଳାଇଲାଣି । ଏହାକୁ ନେଇ ବିଭିନ୍ନ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ରାଜନୀତିରେ ଟଣାଓଟରା ବଢ଼ିଲାଣି । ବାଲେଶ୍ୱରରେ ରବୀନ୍ଦ୍ର ଜେନାଙ୍କ ମିଶ୍ରଣକୁ ଏଯାଏଁ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମର୍ଥକ ହଜମ କରିପାରୁନାହାନ୍ତି । ରବୀନ୍ଦ୍ର ନିଜ ସାଥୀରେ ଆଣିଥିବା ସମର୍ଥକଙ୍କ ପତିଆରା ବୃଦ୍ଧି ପାଇଁ ଲାଗିଥିବାବେଳେ ପ୍ରତାପଙ୍କ ସମର୍ଥକ ଏଥିରେ ବାଧକ ହେଉଛନ୍ତି ।

ସେହିପରି ବାଲେଶ୍ୱର ସଦର ବିଧାୟକ ମାନସ ଦତ୍ତ ଏବଂ ରବୀନ୍ଦ୍ରଙ୍କ ଗୋଷ୍ଠୀ ମଧ୍ୟ ପୃଥକ ପୃଥକ ବାଟରେ ଚାଲୁଛନ୍ତି । ସିମୁଳିଆରେ ଶଶୀ ସାହୁ ୨ ମାସ ହେବ ବିଜେଡି ଛାଡ଼ି ବିଜେପିକୁ ଯିବା ପାଇଁ ପାଦ ଟେକି ଅପେକ୍ଷା କରିଥିବାବେଳେ ବିଧାୟକ ପଦ୍ମଲୋଚନ ପଣ୍ଡା ତାଙ୍କ ବାଟ ଉଗାଳି ବସିଥିବା ଚର୍ଚ୍ଚା ହେଉଛି । ଭୁବନେଶ୍ଵର ଜୟଦେବ ନିର୍ବାଚନମଣ୍ଡଳୀରେ ବି ଏମିତି ଅଡ଼ୁଆ ସ୍ଥିତି । ରାଜ୍ୟସଭା କ୍ରସ ଭୋଟିଂ ନେଇ ବିଧାୟକ ନବକିଶୋର ମଲ୍ଲିକ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ନବ ଓ ତାଙ୍କ ସମର୍ଥକ ଗୋଷ୍ଠୀ ବିଜେପି ଆଡ଼କୁ ଢଳୁଥିଲେ ମଧ୍ୟ ପୁରୁଣା ବିଜେପି ଗୋଷ୍ଠୀ ଏଥିରେ ବାଧକ ସାଜିଛନ୍ତି । ଏମିତିକି ସାଂସଦଙ୍କ କାର୍ଯ୍ୟକ୍ରମରେ ବି ବିଧାୟକଙ୍କୁ ନିକଟରେ ଦେଖିବାକୁ ମିଳିଲାନି । ସେହିପରି ଅରବିନ୍ଦ ଢାଲି ମଧ୍ୟ ବିଜେଡିର ଏହା ପ୍ରଭାବଶାଳୀ ଗୋଷ୍ଠୀର ବିଜେପିରେ ପ୍ରବେଶ ରୋକିବା ପାଇଁ ଲାଗି ପଡ଼ିଥିବା କୁହାଯାଉଛି । ଚୌଦ୍ୱାର କଟକରେ ବି ବିଜେପିରେ ନୂଆ- ପୁରୁଣା ବିବାଦ ଦେଖା ଦେଲାଣି । ବିଜେଡିରୁ ପ୍ରଭାତ ବିଶ୍ୱାଳ ବିଦା ହେବା, ତାଙ୍କ ପୁଅ ବିଧାୟକ ସୌଭିକ ବିଶ୍ୱାଳଙ୍କ ନିଲମ୍ବନ ପରେ ବିଶ୍ୱାଳ ପରିବାର ବିଜେପିକୁ ଯିବା ଚର୍ଚ୍ଚା ଜୋର ଧରିଛି । ପ୍ରଭାତ ମଧ୍ୟ ସେଇ ଦିଗରେ ଆଗେଇ ଥିବା ଜଣାପଡ଼ୁଛି । ମାତ୍ର ବିଜେପିର ଭେଟେରାନ ନୟନ ମହାନ୍ତିଙ୍କ ଗୋଷ୍ଠୀ ପ୍ରଭାତଙ୍କୁ ସବୁଜ ସଙ୍କେତ ଦେଖାଉ ନାହାନ୍ତି । ନୟନ ଯଦି ନିଗମ କିମ୍ବା ବୋର୍ଡରେ ଥଇଥାନ ହୁଅନ୍ତି, ତେବେ ହୁଏତ ପ୍ରଭାତଙ୍କ ପାଇଁ ପଦ୍ମ କବାଟ ସହଜରେ ଖୋଲିପାରେ ।

କେନ୍ଦୁଝରରେ ବି ଏମିତି ବି ନୂଆ-ପୁରୁଣା ବିବାଦ ରହିଛି । କେନ୍ଦୁଝର ସଦର ଓ ସାହରପଡ଼ା ବ୍ଲକ ଅଧ୍ୟକ୍ଷ, ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଏବଂ ୮ କାଉନସିଲର ବିଜେଡିରୁ ଯାଇ ବିଜେପିରେ ମିଶିଛନ୍ତି । ହେଲେ ତଳସ୍ତରରେ ପୁରୁଣା ବିଜେପି ନେତା ଓ କର୍ମୀ ସେମାନଙ୍କୁ ଗ୍ରହଣ କରିପାରୁନାହାନ୍ତି । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ କାଳେ ନୂଆ ଗୋଷ୍ଠୀ ନେତୃତ୍ୱଙ୍କ ଆଶୀର୍ବାଦ ପାଇଯିବେ, ସେଇ ଡର ପୁରୁଣାଙ୍କୁ ଘାରିଛି । କଳାହାଣ୍ଡିରେ ବି ନୂଆ-ପୁରୁଣା ବିବାଦ ପାଇଁ ବିଜେଡିରୁ ବିଜେପିକୁ ଯିବା ପାଇଁ ଅନେକ ନେତା ଚାହୁଁଥିଲେ ବି ଯାଇପାରୁନାହାନ୍ତି । ଚର୍ଚ୍ଚା ହେଉଛି, ଏହି କାରଣରୁ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ କୁଆଡ଼େ ବିଜେପିକୁ ଫେରିବାକୁ ବାଟ ପାଉନାହାନ୍ତି । ଏଭଳି ସ୍ଥିତି ବର୍ତ୍ତମାନ ରାଜ୍ୟର ସବୁ ଅଞ୍ଚଳରେ । ୨୦୨୨ର ପଞ୍ଚାୟତ ଫଳାଫଳ ଏକତରଫା ଥିଲା । ୮୫୨ରୁ ୭୬୬ ଜିଲ୍ଲା ପରିଷଦ ଜୋନ୍ ଥିଲା ବିଜେଡି କବ୍ଜାରେ । ବିଜେପି ୪୨, କଂଗ୍ରେସ ୩୭ଟି ଜୋନ୍ ଜିତିଥିଲା । ୩୧୪ରୁ ୨୭୮ ବ୍ଲକ ଦଖଲ କରିଥିଲା ଶଙ୍ଖ ଦଳ । ୨୧ଟିରେ ବିଜେପି ଏବଂ ୧୩ଟି ବ୍ଲକରେ କଂଗ୍ରେସ ସମର୍ଥିତ ଏବଂ ୩ଟି ବ୍ଲକରେ ସିପିଆଇଏମ୍ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ସମସ୍ତ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ବିଜେଡିର ଥିଲେ ।

ପଞ୍ଚାୟତ ନିର୍ବାଚନକୁ ଆଉ ବେଶି ଡେରି ନାହିଁ । ୨୦୨୭ ଫେବ୍ରୁଆରୀ ସୁଦ୍ଧା ନିର୍ବାଚନ ହେବ । ଏବେଠାରୁ ଗାଁ ରାଜନୀତି ମୋଡ଼ ନେଲାଣି । କାଲି ଯାଏଁ ଯେଉଁଠି ବିଜେଡି ଗଡ଼ ଥିଲା, ସେଇଠି ବିଜେପି ପତାକା ଉଡ଼ିଲାଣି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ବଳରେ ଜିତିଥିବା ସରପଞ୍ଚ, ସମିତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ବର୍ତ୍ତମାନ ଶାସକ ଦଳ ଆଡ଼କୁ ଢଳୁଛନ୍ତି । ହେଲେ ମୂଳ ବିଜେପି ନେତା, କର୍ମୀମାନେ ସହଜରେ ସେମାନଙ୍କୁ ପ୍ରବେଶ କରାଇ ଦେବାକୁ ଚାହୁଁଛନ୍ତି । କାଳେ ନିଜ ପତ୍ତା କଟିଯିବ, ସେଇ ଡର ସଭିଙ୍କୁ ଘାରିଛି । ବର୍ଷ ବର୍ଷ ଧରି ଯାହା ସହ ଲଢ଼ିଥିଲେ, ସେମାନଙ୍କୁ ପୁଣି କ୍ଷମତାସୀନ କରାଇବାକୁ ଦଳର ପୁରୁଣା କର୍ମୀ ରାଜି ନୁହନ୍ତି ।

ଏହି ଖବରଟିକୁ ପଢନ୍ତୁPoor Family Struggle : ଡିସେମ୍ଵର ମାସରେ ଘର ଜଳିଗଲା, ଯେଉଁଠି ଗୁହାରି କଲେ ବି ଲାଭ ହେଲାନି, ଶେଷରେ ଛେଳି ଗୁହାଳରେ ୮ ପ୍ରାଣୀ କୁଟୁମ୍ଵ