ମନମୁଣ୍ଡା ୧୧।୬ : ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ବୌଦ୍ଧ ଆଡିସନାଲ ଜିଲ୍ଲା ଆଣ୍ଡ ସେସନ୍ସ ଜଜ୍ ଅଖିଳ କୁମାର ପଶ୍ଚିମକବାଟ ଅଭିଯୁକ୍ତ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ୬ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଚିକିତ୍ସା ଆଳରେ ବାବା ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ।
ମନମୁଣ୍ଡା ଥାନା ଅଧୀନ ଏକ ଗ୍ରାମର ଜଣେ ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହୁ ନ ଥିଲା। ଅନେକ ଡାକ୍ତରୀ ଚିକିତ୍ସା ନାବାଳିକା କରାଇଥିଲେ। କିନ୍ତୁ ଝିଅ ଆରୋଗ୍ୟ ହୋଇ ନ ଥିଲା। ନାବାଳିକାଙ୍କ ବାପା ଜଣକ ନିରାଶ ହୋଇ ୨୦୨୫ ମହିହା ଜୁଲାଇ ୧ ତାରିଖରେ ଗ୍ରାମରେ ଥିବା ଜଣେ ବାବା ସୀତାରାମଙ୍କ ଶରଣାପନ୍ନ ହୋଇଥିଲେ। ଚିକିତ୍ସା ସକାଶେ ଗୋଟିଏ ରାତି ଝିଅ ଏଠାରେ ଛାଡ଼ି ଦେଲେ ସେ ଆରୋଗ୍ୟ କରି ଦେବେ ବୋଲି ବାବା ଜଣକ କହିଥିଲେ। ବାବାଙ୍କ କଥାରେ ବିଶ୍ୱାସ କରି ସେଠାରେ ଝିଅକୁ ବାପା ଛାଡ଼ି ପଳାଇ ଆସିଥିଲେ। ମନ୍ଦ ଉଦ୍ଦେଶ୍ୟ ରଖିଥିବା ଉକ୍ତ ବାବା ସେହି ରାତ୍ରିରେ ନାବାଳିକାକୁ ଚିକିତ୍ସା ବାହାନାରେ ଦୁଷ୍କର୍ମ କରିଥିଲେ। ନାବାଳିକା ଭୟଭୀତ ହୋଇ ସେହି ରାତ୍ରିରେ କୌଣସି ପ୍ରକାରେ ବାବା ନିକଟରୁ ଖସି ପଳାଇ ଆସିଥିଲେ। ବାଟରେ ଜଣେ ଲୋକଙ୍କୁ ସାହାଯ୍ୟ ମାଗିଥିଲେ।ଉକ୍ତ ଲୋକ ନାବାଳିକାଙ୍କ ବାପାକୁ ଖବର ଦେଇଥିଲେ। ଏହା ପରେ ଆମ୍ବୁଲାନ୍ସ ଯୋଗେ ନାବାଳିକାକୁ ମନମୁଣ୍ଡା ଡାକ୍ତରଖାନା କୁ ନିଆଯାଇଥିଲା । ପୀଡ଼ିତାର ବାପାଙ୍କ ଏତଲା ପ୍ରକାରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ତଥାକଥିତ ବାବାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ବୌଦ୍ଧ ଆଡିସନାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍ସ ଜଜ ଙ୍କ ଠାରେ ଉକ୍ତ ମାମଲା ନଂ ୧୦/୨୫ ବିଚାରାଧୀନ ଥିଲା। ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଅଖିଳ କୁମାର ପଶ୍ଚିମକବାଟ ୧୬ ଜଣ ସାକ୍ଷ୍ୟ ଙ୍କ ବୟାନ ଓ କେତେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ କୁ ଆଧାର କରି ଉପରୋକ୍ତ ପ୍ରକାଶ କରିଛନ୍ତି।
ଘଟଣାର ମାତ୍ର ଏକ ବର୍ଷ ୪ ମାସ ମଧ୍ୟରେ ମାମଲାର ବିଚାରକରି କାରାଦଣ୍ଡାଦେଶ ଶୁଣାଇ ପୀଡ଼ିତା ପକ୍ଷ ଙ୍କୁ ଠିକ୍ ସମୟରେ ଉଚିତ୍ ନ୍ୟାୟ ପ୍ରଦାନ କରିଥିବାରୁ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରାଯାଇଛି । ସରକାର ଙ୍କ ପକ୍ଷରୁ ସ୍ପେସାଲ୍ ପବ୍ଲିକ ପ୍ରସିକ୍ୟୁଟର (ପୋକ୍ସୋ) ଧୁରୀଣ କୁମାର ଦେହୁରୀ ଏହି ମାମଲା ପରିଚାଳନା କରିଥିଲେ।
ଆହୁରି ପଢନ୍ତୁ : ମାଡ଼ ମାରି କୂଅରେ ପକାଇ ଦେଇଥିଲେ ଦୁର୍ବୃତ୍ତ, ୪ ଦିନ ପରେ ଯୁବକ ଜୀବନ୍ତ ଉଦ୍ଧାର