ପଦ୍ମପୁର ୧୧।୬: ମାଡ ମାରି ମରିଗଲା ଭାବି ଜଣେ ଯୁବକଙ୍କୁ କୂଅରେ ପକାଇ ଦେଇଥିଲେ। କୂଅରେ ୪ ଦିନ ପଡି ରହିବା ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ନର୍ସରୀରେ ଥିବା ନିଛାଟିଆ କୂଅରୁ ଉଦ୍ଧାର ହୋଇଛନ୍ତି । ଯୁବକ ଜଣକ ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମର ତୁଳସିରାମ ବରିହା ।

ଉଦ୍ଧାର ବ୍ୟକ୍ତିଙ୍କ କହିବା ଅନୁସାରେ ଗତ ରବିବାର ୫ ଜଣ ବ୍ୟକ୍ତି ଯୁବକଙ୍କୁ ମାଡ଼ ମାରି ମରିଗଲା ଭାବି କୂଅରେ ପକାଇ ଚାଲି ଯାଇଥିଲେ । ସମଲାଇପଦର ଗ୍ରାମର ଜଣେ ବ୍ୟକ୍ତି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ କୂଅରେ ପଡ଼ିଥିବା ଯୁବକ ଜଣଙ୍କ ରଡ଼ି ଛାଡ଼ିବା ଶୁଣିଥିଲେ । ଏ ସମ୍ପର୍କରେ ଗ୍ରାମକୁ ଯାଇ କିଛି ଲୋକଙ୍କୁ ଜଣାଇଥିଲେ । ପରେ ଗ୍ରାମବାସୀ ଆସି ପୋଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ଉକ୍ତ ଯୁବକଙ୍କୁ ଉଦ୍ଧାର କରି ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏନେଇ ଉକ୍ତ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଗତ ୩ ଦିନ ହେଲା ତାଙ୍କ ନାମରେ ପଦ୍ମପୁର ଥାନାରେ ନିଖୋଜ ଥିବା ଏତଲା ଦିଆ ଯାଇଥିଲା ବୋଲି ପ୍ରାଥମିକ ସୂଚନାରୁ ଜଣାଯାଇଛି । ପୋଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ କରୁଛି ।

ଆହୁରି ପଢନ୍ତୁ : ଆଉ ୩ ଦିନ ପରେ ଓଡିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ