୨୦୦୦ ଟଙ୍କିଆ ନୋଟ୍ ବଦଳ ପ୍ରକ୍ରିୟା, ସେପ୍ଟେମ୍ବର ୩୦ ଯାଏଁ ବ୍ୟାଙ୍କରେ ବଦଳ କିମ୍ବା ଜମା କରିପାରବେ..

ନୂଆଦିଲ୍ଲୀ,୨୩/୦୫: ମଙ୍ଗଳବାରଠୁ ୨,୦୦୦ ଟଙ୍କିଆ ନୋଟ୍ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶର ସମସ୍ତ ବ୍ୟାଙ୍କରେ ଲୋକେ ଏ ସୁବିଧା ପାଇବେ । ତେବେ ବ୍ୟାଙ୍କ ଶାଖାଗୁଡ଼ିକରେ ଭିଡ଼ ନ ଲଗାଇବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ଶ୍ରୀ ଦାସ କହିଛନ୍ତି ଯେ ଆମେ ୪ ମାସ ସମୟ ଦେଇଛୁ । ଲୋକେ ଆରାମରେ ନୋଟ୍ ବଦଳାନ୍ତୁ । କିନ୍ତୁ ସମୟସୀମାକୁ ମଧ୍ୟ ଗମ୍ଭୀରତାର ସହ ନିଅନ୍ତୁ । ସେପ୍ଟେମ୍ବର ୩୦ ଡେଡ୍ଲାଇନ୍ ପରେ ବି ୨୦୦୦ ଟଙ୍କିଆ ନୋଟ୍ ଲିଗାଲ ଟେଣ୍ଡର ରହିବ ଅର୍ଥାତ୍ ବୈଧ ରହିବ ।
ଆର୍ବିଆଇ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତି ଘୋଷଣା କରିଛି । ସେପ୍ଟେମ୍ବର ୩୦ ସୁଦ୍ଧା ଏହାକୁ ବ୍ୟାଙ୍କରେ ବଦଳ କିମ୍ବା ଆକାଉଣ୍ଟରେ ଜମା କରିବା ପାଇଁ ସର୍ବୋଚ୍ଚ ବ୍ୟାଙ୍କ କହିଥିଲା । ଥରକରେ ୨୦,୦୦୦ ଟଙ୍କା ବା ୧୦ ଖଣ୍ଡ ପର୍ଯ୍ୟନ୍ତ ନୋଟ୍ ବଦଳ କରିହେବ । ଜଣେ ଲୋକଙ୍କର ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ବି ସେ କୌଣସି ବି ବ୍ୟାଙ୍କରେ ଥରକେ ୨୦ ହଜାର ଟଙ୍କା ଯାଏ ୨ ହଜାର ଟଙ୍କିଆ ନୋଟ ବଦଳାଇପାରିବେ । କେୱାଇସି ନିୟମ ସହ ଅନ୍ୟ ବୈଧାନିକ ଆବଶ୍ୟକତା ଅନୁସାରେ ଲୋକେ ଯେ କୌଣସି ମୂଲ୍ୟ ଏବଂ ବିନା ପ୍ରତିବନ୍ଧକରେ ଅର୍ଥ ଜମା କରିପାରିବେ । ଜମା ବେଳେ ବ୍ୟାଙ୍କଗୁଡିକ ନଗଦ ନେଣଦେଣ ରିପୋର୍ଟିଂ (ସିଟିଆର୍), ସନ୍ଦିଗ୍ଧ ନେଣଦେଣ ରିପୋର୍ଟିଂ (ଏସ୍ଟିଆର) ଦିଗକୁ ମଧ୍ୟ ଆବଶ୍ୟକତା ଭିତ୍ତିରେ ଦେଖିବେ।
ବ୍ୟାଙ୍କ ଆକାଉଣ୍ଟରେ ଜମା କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନାହିଁ । ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କିଆ ନୋଟ ଜମା କରି ଲୋକେ ପରେ ନିଜ ଆବଶ୍ୟକତା ଅନୁସାରେ ଏହାକୁ ଉଠାଣ କରିପାରିବେ । ନୋଟ ବଦଳ ଏବଂ ଜମା ଗ୍ରହଣ କ୍ଷେତ୍ରରେ ବ୍ୟାଙ୍କ ଅଗ୍ରାହ୍ୟ କଲେ ଗ୍ରାହକ ପ୍ରଥମେ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିପାରିବେ । ଅଭିଯୋଗ କରିବାର ୩୦ ଦିନ ମଧ୍ୟରେ କୌଣସି ଉତ୍ତର ନ ମିଳିଲେ କିମ୍ବା ମିଳିଥିବା ଉତ୍ତର ସନ୍ତୋଷଜନକ ନ ହେଲେ ରିଜର୍ଭ ବ୍ୟାଙ୍କର ସମନ୍ୱିତ ଅମ୍ବୁଡ୍ସମ୍ୟାନ ସ୍କିମ ୨୦୨୧ ଅଧିନରେ ଅଭିଯୋଗ ପରିଚାଳନା ସିଷ୍ଟମକୁ ଯାଇ ଲୋକେ ଅଭିଯୋଗ କରିପାରିବେ । ୫୦ ହଜାରରୁ ଅଧିକ ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ଜମା ପାଇଁ ପାନ୍ ଦେବାକୁ ପଡ଼ିବ । ଏ ନିୟମ ପୂର୍ବରୁ ବି ଥିଲା ।
ଆର୍ବିଆଇ ପକ୍ଷରୁ ସୋମବାର ଏକ ଗାଇଡ୍ଲାଇନ୍ ଜାରି କରାଯାଇଛି । ତାତିକୁ ଦୃଷ୍ଟିରେ ରଖି ଶାଖାଗୁଡ଼ିକରେ ଲୋକଙ୍କ ପାଇଁ ଛାଇ ଜାଗା ଏବଂ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । କେତେ ନୋଟ୍ ବଦଳ ହେଲା ଏବଂ କେତେ ଜମା କରାଗଲା ତାହାର ଦୈନିକ ହିସାବ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆର୍ବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଯାହା କିଛି ସମସ୍ୟା ଆସିବ, ଆମେ ତାହାକୁ ଦୂର କରିବୁ । ଆମେ ବି ବ୍ୟାଙ୍କଗୁଡ଼ିକ ଜରିଆରେ ଏହି ପ୍ରକ୍ରିୟା ଉପରେ ନଜର ରଖିବୁ । ଚିନ୍ତା କରିବାର ଆବଶ୍ୟକତା ନାହିଁ । କରେନ୍ସି ମ୍ୟାନେଜ୍ମେଣ୍ଟ ଅପରେଶନ ଜରିଆରେ ହିଁ ଆମେ ୨,୦୦୦ ଟଙ୍କିଆ ନୋଟ୍କୁ ସର୍କୁଲେସନରୁ ହଟାଇବା କାର୍ଯ୍ୟ ଆରମ୍ଭ କରିଛୁ । ଏହି ନୋଟ୍ରେ ବର୍ତ୍ତମାନ ନେଣଦେଣ ହୋଇପାରିବ । ଲୋକେ ନିଜ ଦୈନନ୍ଦିନ ଆବଶ୍ୟକତା ମୁତାବକ ସାମଗ୍ରୀ ଏଥିରେ କିଣିପାରିବେ । ସେପ୍ଟେମ୍ବର ୩୦ ସୁଦ୍ଧା ବୃହତ୍ ସଂଖ୍ୟାରେ ୨,୦୦୦ ଟଙ୍କିଆ ନୋଟ୍ ଆମ ପାଖକୁ ଆସିଯିବ, ତାହା ପରେ ଡେଡ୍ଲାଇନ୍ ସମ୍ପ୍ରସାରଣ ଉପରେ ନିଷ୍ପତ୍ତି ନେବୁ ।
ଶ୍ରୀ ଦାସ କହିଛନ୍ତି ଯେ ୨୦୦୦ ଟଙ୍କିଆ ନୋଟ୍ ଆଣିବାର ଉଦ୍ଦେଶ୍ୟ ପୂରଣ ହୋଇଯାଇଛି । ନୋଟବନ୍ଦୀ ବେଳେ ଯୋଜନା ଥିଲା, ପର୍ଯ୍ୟାପ୍ତ ସ୍ୱଳ୍ପ ମୂଲ୍ୟାଙ୍କ ନୋଟ୍ ଉପଲବ୍ଧ ହେବା ପରେ ଏହାକୁ ପ୍ରତ୍ୟାହାର କରାଯିବ । ଉକ୍ତ ଉଦ୍ଦେଶ୍ୟ ପୂରଣ ହୋଇଛି । ଏବେ ସର୍କୁଲେଶନରେ ପର୍ଯ୍ୟାପ୍ତ ଛୋଟ ମୂଲ୍ୟ ନୋଟ୍ ଆସିଯାଇଛି । ତେଣୁ ବଡ଼ ନୋଟ୍କୁ ପ୍ରତ୍ୟାହାର କରାଯାଉଛି ।
ପ୍ରକାଶଯୋଗ୍ୟ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରବିବାର ୨,୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଏକ ଗାଇଡ୍ଲାଇନ୍ ଜାରି କରିଥିଲା । ଭାରତର ସର୍ବବୃହତ୍ ବ୍ୟାଙ୍କ କହିଛି ଯେ ନୋଟ୍ ବଦଳାଇବା ପାଇଁ ଆଇଡି ବା ପରିଚୟପତ୍ରର ଆବଶ୍ୟକତା ନାହିଁ । କୌଣସି ଫର୍ମ ବି ପୂରଣ କରିବାକୁ ପଡ଼ିବ ନାହିଁ । ଥରକରେ ୧୦ଟି ନୋଟ୍ ବଦଳା ଯାଇପାରିବ ।